ଇସ୍ରାଏଲ ଏୟାର ଷ୍ଟ୍ରାଇକ: ପୁଅ ପରେ ଆଣବିକ ବୈଜ୍ଞାନିକ ମହମ୍ମଦଙ୍କ ମୃତ୍ୟୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପୂର୍ବରୁ ଇସ୍ରାଏଲ ଏପରି ଏୟାର ଷ୍ଟ୍ରାଇକ କରିଥିଲେ। ଏଥିରେ ବୈଜ୍ଞାନିକ ମହମ୍ମଦଙ୍କ ମୃତ୍ୟୁ ହୋଇଛି।

ଇସ୍ରାଏଲ ଏୟାର ଷ୍ଟ୍ରାଇକ: ପୁଅ ପରେ ଆଣବିକ ବୈଜ୍ଞାନିକ ମହମ୍ମଦଙ୍କ ମୃତ୍ୟୁ

ସୋମବାର ବିଳମ୍ବିତ ରାତିରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଇରାନର ପ୍ରସିଦ୍ଧ ଆଣବିକ ବୈଜ୍ଞାନିକ ମହମ୍ମଦ ରେଜା ସେଦ୍ଦିଘି ସାବେରଙ୍କ ମୃତ୍ୟୁ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପୂର୍ବରୁ ଇସ୍ରାଏଲ ଏପରି ଏୟାର ଷ୍ଟ୍ରାଇକ କରିଥିଲେ। ଏଥିରେ ବୈଜ୍ଞାନିକ ମହମ୍ମଦଙ୍କ ମୃତ୍ୟୁ ହୋଇଛି।

ସେହିପରି ଏହାର ଜବାବରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଥିଲା। ଏଥିରେ ବୀରଶେବାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।

କିନ୍ତୁ ଯୁଦ୍ଧ ବିରତି ଲାଗୁ ହେବା ପୂର୍ବରୁ ଇରାନ ତା’ର ଆଉ ଜଣେ ଆଣବିକ ବୈଜ୍ଞାନିକଙ୍କୁ ହରାଇ ସାରିଥିଲା। ବୈଜ୍ଞାନିକ ମହମ୍ମଦ ଉତ୍ତର ଇରାନର ଅସତାନେ-ୟେ- ଅଶରଫିୟେ ସ୍ଥିତ ନିଜ ବାପାଙ୍କ ଘରେ ସୋମବାର ରାତିରେ ରହିଥିଲେ। ଏହି ସମୟରେ ସେଠାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏକଥାକୁ ଇରାନ ଗଣମାଧ୍ୟମ ମଧ୍ୟ ନିଶ୍ଚିତ କରିଛି।

ଆମେରିକାର କଟକଣା ତାଲିକାରେ ମଧ୍ୟ ବୈଜ୍ଞାନିକ ମହମ୍ମଦ ରହିଥିଲେ। କିଛି ଦିନ ପୂର୍ବରୁ ତାଙ୍କର ୧୭ ବର୍ଷୀୟ ପୁଅ ମଧ୍ୟ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ। ତେହରାନ ସ୍ଥିତ ମହମ୍ମଦଙ୍କ ଘର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲେ। ସେତେବେଳେ ମହମ୍ମଦ ସେଠାରେ ନଥିଲେ। କିନ୍ତୁ ଏୟାର ଷ୍ଟ୍ରାଇକରେ ତାଙ୍କ ପୁଅ ଓ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା।