ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ୍

ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା।

ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ୍

ରାସ୍ତା କଡ଼ରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଗାଡ଼ି ଅଟକି ଥିଲା। ଆଉ ଜଣେ ଦୁଇ ଜଣ ସେଠି ଟହଲ ମାରୁଥିଲେ। ପୋଲିସ୍‌ର ସନ୍ଦେହ ହେଲା। ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଭ୍ୟାନ୍ ଭିତରେ ଅତି ସତର୍କତାର ସହ ଚାଲିଛି ଗ୍ୟାସ୍ ଚୋରି। ଆପଣ ବି ସତର୍କ ରୁହନ୍ତୁ। ଏମିତି ଗ୍ୟାସ୍ ଚୋରିର ଶିକାର ହୋଇ କମ୍ ଓଜନର ସିଲିଣ୍ଡର ପାଇପାରନ୍ତି।

ଏମିତି ଏକ ଘଟଣା ସାମ୍ନକୁ ଆସିଛି ମୁମ୍ବାଇର ଶିବାଜୀନଗର ଅଞ୍ଚଳରୁ। ଗତ ଶୁକ୍ରବାର ଦିନର ଘଟଣା। ପୋଲିସ ପାଟ୍ରୋଲିଂ କରିବା ବେଳେ ଏକ ଗ୍ୟାସ୍ ବୋଝେଇ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନଖି ଆରମ୍ଭ କରିଥିଲା।

ତେବେ ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା। ଫଳରେ ଗ୍ରାହକ ଗ୍ୟାସ୍ ନେବା ବେଳେ ଚୋରି ହୋଇଛି ବୋଲି ଜାଣିବାର ବାଟ ନଥିଲା।

ପ୍ରତି ଗ୍ୟାସ୍‌ ଟାଙ୍କିରୁ ସେମାନେ ଅଳ୍ପ ଅଳ୍ପ ଗ୍ୟାସ୍ ଚୋରି କରି ଅନ୍ୟଏକ ଟାଙ୍କିରେ ଭର୍ତ୍ତି କରୁଥିଲେ। ଏକ ପାଇପ୍ ସାହାଯ୍ୟରେ ସେମାନେ ଏହା ଅତି ଚତୁରତାର ସହ କରୁଥିଲେ। ଫଳରେ ସିଲ୍‌ର କୌଣସି କ୍ଷତି ହେଉନଥିଲା। କିଛି କିଛି ଗ୍ୟାସ୍ ଚୋରି କରି ସେମାନେ ଆଉ ଏକ ଟାଙ୍କି ଫୁଲ୍ କରିବା ପରେ ତାକୁ ବିକ୍ରି କରି ଭଲ ରୋଜଗାର କରୁଥିଲେ।

ପୋଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ଅନୁସଂଧାନ ଚଳାଇଛି। ଗିରଫ ଦୁଇ ଜଣ ହେଉଛନ୍ତି ସଲିମ୍ ବେଗ୍(୨୬) ଓ ମହମ୍ମଦ ଖାଁ (୨୮)। ସେମାନେ ଶିବାଜୀନଗର ଅଞ୍ଚଳରେ ଗତ ଏକ ବର୍ଷ ଧରି ଏହି କାରବାର ଚଳାଇ ଆସୁଥିଲେ।