୫ ବର୍ଷ ପରେ ଚାଇନା ଲୋକଙ୍କ ପାଇଁ ଦ୍ୱାର ଖୋଲିଲା ଭାରତ

ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୨୪ରୁ ଚାଇନା ନାଗରିକ ଭାରତ ଆସିବାକୁ ପର୍ଯ୍ୟଟନ ଭିସା ପାଇପାରିବେ। ୨୦୨୦ ଗଲୱାନି ଘାଟି ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଥିଲା।

୫ ବର୍ଷ ପରେ ଚାଇନା ଲୋକଙ୍କ ପାଇଁ ଦ୍ୱାର ଖୋଲିଲା ଭାରତ

ଦୀର୍ଘ ୫ ବର୍ଷର ବ୍ୟାନ ପରେ ଭାରତ ସରକାର ଚାଇନା ନାଗରିକଙ୍କ ପାଇଁ ଦେଶର ଦ୍ୱାରକୁ ଖୋଲିଛନ୍ତି। ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୨୪ରୁ ଚାଇନା ନାଗରିକ ଭାରତ ଆସିବାକୁ ପର୍ଯ୍ୟଟନ ଭିସା ପାଇପାରିବେ। ୨୦୨୦ ଗଲୱାନି ଘାଟି ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଥିଲା।

ଏହାପରେ ଚାଇନା ଲୋକଙ୍କୁ ଭିସା ବନ୍ଦ କରି ଦିଆଯାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପୁଣି ସୁଧୁରିବା ଆରମ୍ଭ ହୋଇଛି। ସ୍ଥିତିକୁ ଆହୁରି ସ୍ୱାଭାବିକ କରିବା ପାଇଁ ଭାରତ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସ ସୋଶାଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ଖବର ଦେବା ସହ ଭିସା ଆବେଦନର ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଛନ୍ତି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ “୨୦୨୫ ମସିହା ଜୁଲାଇ ୨୪ରୁ ଚାଇନିଜ ନାଗରିକମାନେ ଭାରତ ପାଇଁ ପର୍ଯ୍ୟଟନ ଭିସା ଆବେଦନ କରିପାରିବେ।

ପ୍ରଥମେ ସେମାନଙ୍କୁ ୱେବ ଲିଙ୍କରେ ଥିବା ଆବେଦନ ଫର୍ମକୁ ପୂରଣ କରି ପ୍ରିଣ୍ଟ ବାହାର କରିବାକୁ ପଡ଼ିବ। ଏହାପରେ ୱେବ ଲିଙ୍କରେ ଅଫିସ ଆସିବାକୁ ସମୟ ନେବାକୁ ପଡ଼ିବ। ଭାରତୀୟ ଭିସା ଆପ୍ଲିକେସନ ସେଣ୍ଟରରେ ସେମାନଙ୍କୁ ପାସପୋର୍ଟ, ଭିସା ଆପ୍ଲିକେସନ ଫର୍ମ ଓ ଅନ୍ୟ ଆବଶ୍ୟକ ଦସ୍ତାବିଜକୁ ଧରି ଗୋଟିଏ ଫର୍ମ ଦାଖଲ କରିବାକୁ ପଡ଼ିବ।”

ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହାର ଜବାବରେ ଭାରତ ଶତାଧିକ ଚାଇନିଜ ଆପକୁ ବ୍ୟାନ କରିଥିଲା।

ଚାଇନା ଲୋକଙ୍କୁ ଭିସା ମନା କରି ଦେଇଥିଲା। ଚାଇନା ସହ ଏକ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଥିଲା। ୨୦୨୦ ମହାମାରୀ କରୋନା ପାଇଁ ଭାରତ ସରକାର ସମସ୍ତ ପ୍ରକାରର ପର୍ଯ୍ୟଟନ ଭିସାକୁ ବାତିଲ କରି ଦେଇଥିଲେ।