Air India ନିଯୁକ୍ତି ଡ୍ରାଇଭରେ ଦଳାଚକଟା, ୨ ହଜାର ପଦବୀ ପାଇଁ ୨୫,୦୦୦ ଆଶାୟୀ

ନିଯୁକ୍ତି ପାଇଁ ସାଧାରଣ ଯୋଗ୍ୟତା ଆବଶ୍ୟକ ଥିବାବେଳେ ମାସିକ ଦରମା ୨୨ରୁ ୨୫ ହଜାର ଟଙ୍କା।

Air India ନିଯୁକ୍ତି ଡ୍ରାଇଭରେ ଦଳାଚକଟା, ୨ ହଜାର ପଦବୀ ପାଇଁ ୨୫,୦୦୦ ଆଶାୟୀ

ଦେଶରେ ନିଯୁକ୍ତି ସମସ୍ୟା ଚରମରେ ପହଞ୍ଚିଛି। ଯଦି କେଉଁଠି ଖାଲି ପଦବୀର ବିଜ୍ଞାପନ ପ୍ରକାଶ ପାଉଛି, ତେବେ ସେଠାରେ ହଜାର ହଜାର ଆଶାୟୀଙ୍କ ଭିଡ଼ ଜମୁଛି। ନିକଟରେ ଗୁଜରାଟରେ ଏକ ନିଯୁକ୍ତି ଡ୍ରାଇଭରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଥିବାବେଳେ ବର୍ତ୍ତମାନ ମୁମ୍ବାଇରେ ସମାନ ଘଟଣା ଦେଖିବାକୁ ମିଳିଛି।

ଏୟାର ଇଣ୍ଡିଆ ବିମାନ ବନ୍ଦର ଲୋଡର୍ ପାଇଁ ପ୍ରକାଶ କରିଥିବା ନିଯୁକ୍ତି ଡ୍ରାଇଭରେ ହଜାର ହଜାର ଆଶାୟୀଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଘଣ୍ଟା ଘଣ୍ଟା ଅଖିଆ ଅପିଆ ଧାଡ଼ିରେ ଛିଡ଼ା ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇ ପଡିଥିବା ମଧ୍ୟ ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ NDTV ରିପୋର୍ଟ ଅନୁସାରେ, ନିକଟରେ ଏୟାର ଇଣ୍ଡିଆ ୨,୨୧୬ ଏୟାରପୋର୍ଟ ଲୋଡର୍ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା। ଗତକାଲି ଏହାର ନିଯୁକ୍ତି ଡ୍ରାଇଭ୍ ଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ୨୫,୦୦୦ ଆଶାୟୀ ଆବେଦନ ପାଇଁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ।

ଫର୍ମ ଆବେଦନ ସମୟରେ ଆଶାୟୀମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଅନେକ ପିଲା ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି। ରିପୋର୍ଟ ଅନୁସାରେ, ବିମାନ ବନ୍ଦର ଲୋଡରଙ୍କ କାମ ହେଉଛି, ବିମାନରେ ଲଗେଜ୍ ଲୋଡ୍-ଅନଲୋଡ୍ କରିବା ଏବଂ ବ୍ୟାଗେଜ୍ ବେଲ୍ଟ ଓ ରାମ୍ପ ଟ୍ରାକ୍ଟର ପରିଚାଳନା କରିବା ଇତ୍ୟାଦି। 

ପ୍ରତ୍ୟେକ ବିମାନରେ ପାଞ୍ଚ ଜଣ ଲୋଡର୍ ରହିଥାନ୍ତି। ଏହି ପଦବୀ ପାଇଁ ୨୨ରୁ ୨୫ ହଜାର ଟଙ୍କା ଦରମା ମିଳିଥାଏ। ବେଳେ ବେଳେ ଓଭର୍ ଡ୍ୟୁଟି ପାଇଁ ଦରମା ୩୦ ହଜାର ଟଙ୍କା ହୋଇଯାଏ। ଏହି ପଦବୀ ପାଇଁ ଅତି ସାଧାରଣ ଯୋଗ୍ୟତା ଆବଶ୍ୟକ କରୁଥିବା ବେଳେ BBA, BA, Bcom ଗ୍ରାଜୁଏଟ ପିଲା ଆବେଦନ କରିଛନ୍ତି।

ମହାରାଷ୍ଟ୍ର ବୁଲଧନ ଜିଲ୍ଲାରୁ ଆସିଥିବା ଜଣେ ଆଶାୟୀ କହିଛନ୍ତି, ସେ ହ୍ୟାଣ୍ଡମ୍ୟାନ ପଦବୀ ପାଇଁ ଆବେଦନ କରିଛନ୍ତି। ଏଥିପାଇଁ ୨୨,୫୦୦ ଟଙ୍କା ଦରମା ରହିଛି। ସେ BBA ଦ୍ୱିତୀୟ ବର୍ଷର ଛାତ୍ର। ଯଦି ଏଠାରେ ଚାକିରି ହୋଇଯାଏ, ତେବେ ସେ ପାଠ ପଢା ଛାଡ଼ି ଦେବେକି ପଚାରିବାରୁ ସେ କହିଛନ୍ତି, "ବର୍ତ୍ତମାନ ଯେଉଁପରି ଭାବେ ବେକାରୀ ସମସ୍ୟା ବଢ଼ି ଚାଲିଛି ଚାକିରିଟିଏ ନିହାତି ଆବଶ୍ୟକ। ମୁଁ ସରକାରଙ୍କୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଅନୁରୋଧ କରୁଛି।" 

ସେହିପରି ଅନ୍ୟ ଜଣେ Bcom ଗ୍ରାଜୁଏଟ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି। ସେ କହିଛନ୍ତି, ମୁଁ ଅନ୍ୟାନ୍ୟ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛି। କିନ୍ତୁ ଏଠାରେ ଭଲ ଦରମା ଥିବା ଶୁଣି ଆବେଦନ କରିବାକୁ ଆସିଛି।