ECI ଗ୍ରହଣ କଲେ ଦୀପାଳିଙ୍କ ଆବେଦନ, ଝାରସୁଗୁଡ଼ାରେ ପୁଣି ଯାଞ୍ଚ ହେବ EVM
ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ ।
ଝାରସୁଗୁଡ଼ାରେ ପୁଣି ଯାଞ୍ଚ ହେବ ଇଭିଏମ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର । ନିୟମ ମୁତାବକ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃଗଣତି କରାଯିବ । ଏନେଇ ଦୀପାଳି ଦାସ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର।
ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍ର ପୁନଃଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା ।
#ଦୀପାଳିଙ୍କ_ଆବେଦନ_ECIରେ_ଗୃହିତ
ଝାରସୁଗୁଡ଼ା: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI । ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି । ନିର୍ବାଚନ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ #Jharsuguda #OTV pic.twitter.com/kGWrF44UB4 — ଓଟିଭି (@otvkhabar) June 21, 2024
ଏନେଇ ଦୀପାଳି ଦାସ କହିଛନ୍ତି, ମୁଁ ରେଜଲ୍ଟକୁ ନେଇ ନିରାଶ ନାହିଁ । ଭାରତର ନାଗରିକ ହିସାବରେ ମୁଁ ମୋ ଅଧିକାର ପାଇଁ ଲଢ଼ୁଛି। ଏଥିନିମନ୍ତେ ନିର୍ବାଚନ କମିଶନରଙ୍କ ନିକଟରୁ ପତ୍ର ପାଇ ସାରିଛି । ଜୁଲାଇ ୧୯ ତାରିଖ ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ତାରିଖ ନିର୍ଦ୍ଧାରିତ ହେବ । ଏଥିରେ କାହାକୁ କୌଣସି ଅସୁବିଧା ହେବା ଉଚିତ ନୁହେଁ, କାରଣ ମୁଁ ମୋ ଅଧିକାର ପାଇଁ ଲଢ଼ୁଛି।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, କିଛି ଲୋକ ଶାସନ ବ୍ୟବସ୍ଥାକୁ ନିଜ ପରିବାରର ଜାଗିରଦାରୀ ଭାବନ୍ତି । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ସେମାନେ ଭୁଲି ଯାଉଛନ୍ତି। ଗଣତନ୍ତ୍ରରେ ଜନାଦେଶକୁ ସମ୍ମାନ ଦେବା ପ୍ରତି ନିର୍ବାଚିତ ଓ ପରାଜିତ ପ୍ରାର୍ଥୀଙ୍କ ଦାୟିତ୍ୱ। ମାତ୍ର କିଛି ପ୍ରାର୍ଥୀ ଜନାଦେଶକୁ ଗ୍ରହଣ କରି ପାରନ୍ତି ନାହିଁ । ଜନାଦେଶକୁ ଗ୍ରହଣ କରିବା ଶିଖନ୍ତୁ, କାରଣ ଏଠାରେ ପରିବାରବାଦ ରାଜନୀତି ସମାପ୍ତ ହୋଇଛି।
ମାତ୍ର ସେମାନେ ସେ ମାନସିକତାରୁ ବାହାରି ପାରୁ ନାହାନ୍ତି। ନିର୍ବାଚନ କମିଶନରଙ୍କ ନଜରରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ଗଣତି ହୋଇଥିବା ବେଳେ ସିସିଟିଭିରେ ଏହା କଏଦ ହୋଇଛି। ଏଥିସହ ତାଙ୍କ ଏଜେଣ୍ଟ ସବୁ ଡକ୍ୟୁମେଣ୍ଟରେ ଦସ୍ତଖତ ମଧ୍ୟ କରିଛନ୍ତି ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।
ସୂଚନା ଅନୁସାରେ ଝାରସୁଗୁଡ଼ା ଏଥର ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିଲା । ଏହି ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଦୀପାଳି ଦାସ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଥିଲେ । ତେବେ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀଙ୍କଠାରୁ ୧୩୩୩ ଭୋଟରେ ପରାଜିତ ହୋଇଛନ୍ତି ।