IAS ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହାଭାରତର 'କୃଷ୍ଣ'

ଲୋକପ୍ରିୟ ଟିଭି ସିରିଏଲ 'ମହାଭାରତ'ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ନୀତୀଶ ଭରଦ୍ୱାଜ।

IAS ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହାଭାରତର 'କୃଷ୍ଣ'

'ନିର୍ଯାତନ ସହୁଛନ୍ତି ଶ୍ରୀକୃଷ୍ଣ। ତାଙ୍କୁ ଦିଆଯାଉଛି ମେଣ୍ଟାଲ ଟର୍ଚର। ' ପୂର୍ବତନ ପତ୍ନୀଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଟିଭି ସିରିଏଲ୍‌ 'ମହାଭାରତ'ର ଶ୍ରୀକୃଷ୍ଣ ତଥା ଅଭିନେତା ନୀତୀଶ ଭରଦ୍ୱାଜ। ସେ ତାଙ୍କ ଆଇଏଏସ୍‌ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିବା ସହ ଏଥିରୁ ତାଙ୍କୁ ବଞ୍ଚାଇବା ପାଇଁ ସେ ପୁଲିସ ପାଖରେ ଗୁହାରି କରିଛନ୍ତି।

Nitish-bhardwaj and Wifeଅଭିନେତା ନୀତୀଶ ଭରଦ୍ୱାଜ ଓ ପତ୍ନୀ ସ୍ମିତା

ଅଭିନେତା ତଥା ପୂର୍ବତନ ସାଂସଦ ନୀତୀଶ ଭରଦ୍ୱାଜ ନିଜ ପୂର୍ବତନ ପତ୍ନୀ ତଥା ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍‌ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଛନ୍ତି। ସ୍ମିତା ତାଙ୍କୁ ଦୀର୍ଘ ଦିନ ହେବ ମାନସିକ ନିର୍ଯାତନା ଦେଉଥିବା ସେ କହିଛନ୍ତି। ଏନେଇ ସେ ଏକ ମାମଲା ରୁଜୁ କରିବା ସହ ଭୋପାଲ ପୁଲିସ କମିଶନର ହରି ନାରାୟଣଚାରୀ ମିଶ୍ରଙ୍କୁ ଏକ ମେଲ୍‌ ଲେଖି ସହାୟତା ମାଗିଛନ୍ତି।

ନୀତୀଶଙ୍କ ଅଭିଯୋଗ ମୁତାବକ, ତାଙ୍କ ପୂର୍ବତନ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ନିଜର ଦୁଇ ଯାଆଁଳା ଝିଅଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି। ନୀତୀଶଙ୍କ ଏହି ଅଭିଯୋଗକୁ ଆଧାର କରି ଭୋପାଳ ପୁଲିସ କମିଶନର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଦାୟିତ୍ୱ ଆଡିସନାଲ ଡିସିପି ଶାଳୀନି ଦିକ୍ଷିତଙ୍କୁ ଦିଆଯାଇଛି।

ଲୋକପ୍ରିୟ ଟିଭି ସିରିଏଲ 'ମହାଭାରତ'ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ନୀତୀଶ ଭରଦ୍ୱାଜ। ତାଙ୍କ ଅଭିନୟକୁ ଲୋକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ତାଙ୍କୁ ଏହି ସିରିଏଲ୍‌ରୁ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ମିଳିଥିଲା। ସେ ଜଣେ ଅଭିନେତା ହେବା ସହ ରାଜନେତା ମଧ୍ୟ। ସେ ୨୦୦୯ ମାର୍ଚ୍ଚ ୧୪ରେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଫିସର ସ୍ମିତାଙ୍କୁ ବିବାହ କରିଥିଲା। ଏହା ଥିଲା ଉଭୟଙ୍କ ଦ୍ୱିତୀୟ ବିବାହ।

ନୀତୀଶ ଓ ସ୍ମିତାଙ୍କର ଦୁଇ ଯାଆଁଳା ଝିଅ ଅଛନ୍ତି। ତେବେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଛାଡପତ୍ର ପାଇଁ ନୀତୀଶ ୨୦୧୯ରେ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ। ଏକ ଇଣ୍ଟରଭ୍ୟୁରେ ନୀତୀଶ ଏନେଇ ଖୁଲାସା କରିଥିଲେ। ବିବାହର ୧୨ ବର୍ଷ ପରେ ୨୦୨୨ରେ ନୀତୀଶ ଓ ସ୍ମିତାଙ୍କ ଛାଡପତ୍ର ହୋଇଥିଲା। ଏବେ ସ୍ମିତା ନିଜର ଦୁଇ ଝିଅଙ୍କୁ ନେଇ ଇନ୍ଦୋରରେ ରହୁଛନ୍ତି।