IAS ବିଷ୍ଣୁପଦ ସେଠୀଙ୍କୁ CBI ସମନ : ମର୍ସିଡିଜ୍ରୁ ୧୦ ଲକ୍ଷ ଜବତ ଘଟଣାରେ ସମନ ଜାରି
ଭୁବନେଶ୍ବର : ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ କାର୍ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଗତ କିଛିଦିନ ହେଲା ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ଚଳାଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ତଥା ଆଇଏଏସ୍ ବିଷ୍ଣୁପଦ ସେଠୀ ଏବେ ସିବିଆଇ ସ୍କାନରକୁ ଆସିଛନ୍ତି। ଏଡି ଘଟଣାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି। ଗତକାଲି ଅର୍ଥାତ ଡିସେମ୍ବର […]

ଭୁବନେଶ୍ବର : ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ କାର୍ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଗତ କିଛିଦିନ ହେଲା ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ଚଳାଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ତଥା ଆଇଏଏସ୍ ବିଷ୍ଣୁପଦ ସେଠୀ ଏବେ ସିବିଆଇ ସ୍କାନରକୁ ଆସିଛନ୍ତି। ଏଡି ଘଟଣାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି।
ଗତକାଲି ଅର୍ଥାତ ଡିସେମ୍ବର ୧୧ ତାରିଖ ସକାଳ ୧୦ ଟାରେ ସିବିଆଇ ଅଫିସରେ ହାଜର ପାଇଁ ବିଷ୍ଣୁପଦଙ୍କୁ ହୋଇଥିଲା ନୋଟିସ। ହେଲେ ଏନେଇ ମୁହଁ ଖୋଲିନାହାନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।
ଅନ୍ୟପଟେ ଆଇଏଏସ୍ ଶ୍ରୀ ସେଠୀ ବିଭିନ୍ନ ବିଭାଗରେ ବ୍ୟବହାର କରୁଥିବା ଗାଡ଼ିର ଡ୍ରାଇଭରମାନଙ୍କ ନାମ, ଠିକଣା ଓ ମୋବାଇଲ୍ ନମ୍ବର ଦେବାକୁ ସିବିଆଇ ଡିଏସ୍ପି ଅଜିତ୍ କୁମାର ପାଣ୍ଡେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି। ଏଥିପାଇଁ ଶ୍ରୀ ସେଠୀଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସିବିଆଇ ଡିଏସ୍ପି ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସିବିଆଇର ଏହି ଚିଠି ପରେ ରାଜ୍ୟ କ୍ଷମତା ଅଳିନ୍ଦରେ ଆଲୋଡ଼ନ ସୃଷ୍ଟି ହୋଇଛି। ଠିକାଦାରଙ୍କ ଲାଞ୍ଚ କାରବାର ସହ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରମାନଙ୍କର କି ସମ୍ପୃକ୍ତି ରହିଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସିବିଆଇ ରାଜ୍ୟ ସରକାରଙ୍କଠାରୁ ଲୋଡ଼ିଥିବା ସୂଚନା ‘ଜରୁରୀ’ ବୋଲି ଉଲ୍ଲେଖ କରିଥିବାରୁ ଏହି ଘଟଣାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଏହା ସହ ବିଷ୍ଣୁପଦଙ୍କ ଡ୍ରାଇଭରମାନଙ୍କୁ ସିବିଆଇ ତା’ର ତଦନ୍ତ ପାଇଁ ଭୁବନେଶ୍ୱର ଅଫିସକୁ ଡାକିବ ବୋଲି ସୂଚନା ମଧ୍ୟ ମିଳିଛି।
ଚଳିତମାସ ୭ତାରିଖରେ ସିବିଆଇ ଏକ ଗାଡ଼ିରୁ ୧୦ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ଜବତ ଘଟଣାରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ‘ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀ’ର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ ଓ ନୟାପଲ୍ଲୀସ୍ଥିତ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି। ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ମିଳିବା ପରେ ସିବିଆଇ ଆଜି ବିଷ୍ଣୁପଦ ସେଠୀଙ୍କ ଡ଼୍ରାଇଭରମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଲୋଡ଼ିଛି ।
୧୦ ଲକ୍ଷ ଲାଞ୍ଚ କାରବାରରେ ମଧ୍ୟସ୍ଥ କୁହାଯାଉଥିବା ଆଦିତ୍ୟ ଦେବ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ୍ର ପରିଚାଳନ ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କ କାର୍ଯ୍ୟାଳୟକୁ ସିବିଆଇ ସିଲ୍ କରିଛି। ଦେବଦତ୍ତଙ୍କ ଘରୁ ନଗଦ ଟଙ୍କା ସହ ବହୁ କାଗଜପତ୍ର ମଧ୍ୟ ଠାବ ହୋଇଛି। ଲାଞ୍ଚ କାରବାରର ପର୍ଦ୍ଦାଫାସ୍ ଲାଗି ବହୁଦିନ ହେବ ଏମ୍/ଏସ୍ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ(ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିବା ସିବିଆଇ ଜୟଦେବ ବିହାର ନିକଟ ଏକ ତାରକା ହୋଟେଲ ନିକଟରୁ ତାଙ୍କ ଗାଡ଼ି ଯାଞ୍ଚ କରି ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ଏମ୍/ଏସ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ(ଇଣ୍ଡିଆ) ଲିମିଟେଡ୍ର ଚଞ୍ଚଲ ମୁର୍ଖାଜୀ ଓ ଦୁଇ ବିଲ୍ଡର ସନ୍ତୋଷ କୁମାର ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ ହେଁ ଅଦାଲତ ସେମାନଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ୟ୍ୟାଳୟକୁ ନେଇ ପୁଣି ଥରେ ପଚରାଉଚରା କରାଯାଉଛି।