INDIA ମେଣ୍ଟକୁ ଝଟକା; ପଞ୍ଜାବରେ ସମସ୍ତ ଲୋକସଭା ଆସନରୁ ଏକାକୀ ଲଢିବ AAP

ପଞ୍ଜାବର ସମସ୍ତ ୧୩ଟି ଆସନ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଆସନରୁ ଦଳ ନିଜସ୍ୱ ପାର୍ଥୀ ଦେବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।

INDIA ମେଣ୍ଟକୁ ଝଟକା; ପଞ୍ଜାବରେ ସମସ୍ତ ଲୋକସଭା ଆସନରୁ ଏକାକୀ ଲଢିବ AAP

ଧୀରେ ଧୀରେ ଦୁର୍ବଳ ହୋଇଯାଉଛି ଇଣ୍ଡିଆ ମେଣ୍ଟ। ନିର୍ବାଚନ ଯେତେ ପାଖେଇ ଆସୁଛି, ମେଣ୍ଟରେ ଥିବା ଦଳମାନେ ସେତେ ଦୂରେଇ ଯାଉଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ ହେବ ନାହିଁ, ପଞ୍ଜାବର ସମସ୍ତ ୧୩ ଲୋକସଭା ଆସନରୁ ଦଳ ଖୁବ୍ ଶୀଘ୍ର ପ୍ରାର୍ଥୀ ଦେବ। 

ରାଜ୍ୟର ସମସ୍ତ ୧୩ଟି ଆସନ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଆସନରୁ ଦଳ ନିଜସ୍ୱ ପାର୍ଥୀ ଦେବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ପଞ୍ଜାବରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏପରି କହିଛନ୍ତି କେଜ୍ରିୱାଲ।

ସେ କହିଛନ୍ତି, ଦୁଇ ମାସ ମଧ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ... ପଞ୍ଜାବରେ ୧୩ଟି ଆସନ ଏବଂ ଚଣ୍ଡିଗଡ଼ରେ ଗୋଟିଏ ରହିଛି। ଆସନ୍ତା ୧୦-୧୫ ଦିନ ମଧ୍ୟରେ , ସମସ୍ତ ୧୪ଟି ଆସନ ପାଇଁ AAP ପ୍ରାର୍ଥୀ ଘୋଷଣା କରିବ। ଦୁଇ ବର୍ଷ ପୂର୍ବେ ଯେପରି ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଆମକୁ ଆଶୀର୍ବାଦ କରିଥିଲେ ସେହିପରି ଆଶୀର୍ବାଦ କରିବାକୁ ଅନୁରୋଧ କରୁଛି। ସମସ୍ତ ୧୪ ଆସନ କ୍ଲିନ୍ ସ୍ୱିପ କରିବା ପାଇଁ ଆଶୀର୍ବାଦ କରନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବିରୋଧୀ ମେଣ୍ଟ ଦଳ ଇଣ୍ଡିଆର ସମସ୍ୟାକୁ ବଢାଇ ଦେଇଛି। କାରଣ ମେଣ୍ଟରେ ଥିବା ତୃଣମୂଳ କଂଗ୍ରେସ ମଧ୍ୟ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି। କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ମମତା ବାନାର୍ଜୀ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ। ସେହିପରି ନିକଟରେ ଜେଡି(ୟୁ) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ମେଣ୍ଟରୁ ଓହରି ଏନଡିଏରେ ଯୋଗ ଦେଇଛନ୍ତି।