LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ

ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ।

LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ

ଏଲ୍‌ଏସିରେ ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର ରହିଛି। ଭାରତୀୟ ସେନା ପ୍ରତିଟି ସ୍ଥିତି ମୁକାବିଲା କରିବାକୁ ପ୍ରସ୍ତୁତ। ଭାରତ ଓ ଚୀନ୍‌ ସୀମା ବିବାଦକୁ ନେଇ ଆଜି ଏଭଳି କିଛି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

ସୀମା ବିବାଦକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଦୀର୍ଘ ଦିନ ଧରି ତିକ୍ତ ରହିଛି। କିନ୍ତୁ ନିକଟରେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। LAC ପ୍ରସଙ୍ଗ ସମ୍ବେଦନଶୀଳ କିନ୍ତୁ ସେଠାରେ ସ୍ଥିତି ସ୍ଥିର ରହିଛି। ଏହି ପ୍ରସଙ୍ଗକୁ ନେଇ ଅନେକ ସ୍ତରରେ ବୈଠକ ହୋଇଛି।

ଉଭୟ ପକ୍ଷର ସେନା ପଛକୁ ହଟିଛନ୍ତି ଏବଂ ଉଭୟ ସନ୍ତୁଷ୍ଟ ଅଛନ୍ତି। ତଥାପି, କେତେକ ବିବାଦୀୟ ସ୍ଥାନରେ କୌଣସି ବଫର୍ ଜୋନ୍ ନାହିଁ। ପୂର୍ବ ଲଦାଖର ଡେପସଙ୍ଗ ଏବଂ ଡେମଚୋକର ପାରମ୍ପାରିକ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଗୋରୁ ଚରିବା ଆରମ୍ଭ ହୋଇଛି। ଆମର ନିୟୋଜନ ସନ୍ତୁଳିତ ଏବଂ ମଜଭୁତ, ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ଅଟୁ। ଆମେ ସୀମାରେ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛୁ ବୋଲି ସ୍ଥଳ ସେନା ମୁଖ୍ୟ କହିଛନ୍ତି

ସେହିପରି ଜମ୍ମୁ କଶ୍ମୀରରେ ହ୍ରାସ ପାଇଛି ଆତଙ୍କବାଦ। ଟେରରିଜିମରୁ ଟୁରିଜମ ଆଡକୁ ଅଗ୍ରସର ହେଉଛି ଉପତ୍ୟକା। କାଶ୍ମୀରରେ ଆଜିର ସ୍ଥିତି ନେଇ ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହା କହିଛନ୍ତି। ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ଏବେ ଉପତ୍ୟକାରେ ସକ୍ରିୟ ଆତଙ୍କୀଙ୍କ ମଧ୍ୟରୁ ୮୦% ପାକିସ୍ତାନୀ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ। ତେବେ ଆତଙ୍କୀ କାର୍ଯ୍ୟକଳାପ ଓ ସୀମାପାର ଅନୁପ୍ରବେଶ ଜାରି ରହିଛି ବୋଲି କହିଛନ୍ତି। ଗତ କିଛି ମାସ ମଧ୍ୟରେ ଉତ୍ତର କାଶ୍ମୀର ଓ ଡୋଡା-କିସ୍ତୱାଡା ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ବଢିଛି।

ତେବେ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ଥିବା କହିଛନ୍ତି। ଅମରନାଥ ଯାତ୍ରାରେ ଏଥର ୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ସମାଗମ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଏକ ସକରାତ୍ମକ ପରିବର୍ତ୍ତନକୁ ସୂଚାଉଛି ବୋଲି ସେନା ମୁଖ୍ୟ କହିଛନ୍ତି।