RTO କହି ରାସ୍ତାରେ ଗାଡ଼ି ଯାଞ୍ଚ କରୁଥିଲେ, ମାଡ଼ି ବସିଲା ପୁଲିସ୍‌

ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ ସାଦା ପୋଷାକରେ ଥିବା ପୁଲିସ୍‌ ଦେବେନ୍ଦ୍ର ଓ ତୁଷାରଙ୍କୁ ଧରିଥିଲା। ସେମାନଙ୍କର ଆଇଡି କାର୍ଡ ମାଗିଥିଲା। ହେଲେ ସେମାନେ କିଛି ପ୍ରମାଣ ଦେଖାଇ ପାରିଲେ ନାହିଁ। ଏହା ପରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା।

RTO କହି ରାସ୍ତାରେ ଗାଡ଼ି ଯାଞ୍ଚ କରୁଥିଲେ, ମାଡ଼ି ବସିଲା ପୁଲିସ୍‌

RTO ଅଫିସର କହି ରାସ୍ତା ପାର୍ଶ୍ୱରେ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଦୀର୍ଘ ଦିନ ଧରି ଏହି ବେପାର ଚଳାଇଥିଲେ। ହେଲେ ଆଜି ବେଳା ଭଲନଥିଲା। ସକାଳେ ବକ୍‌ରା ଖୋଜୁଥିବା ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ ଦୁଇ ଫେକ୍‌ RTO ଅଫିସର। ବାଲେଶ୍ୱର ଦେଇ ଯାଇଥିବା ୬୦ ନମ୍ୱର ଜାତୀୟ ରାଜପଥ(NH)ର ଲକ୍ଷ୍ମଣ ନାଥ ଟୋଲ୍ ଗେଟ୍‌ ନିକଟରୁ ପୁଲିସ୍‌କୁ ଏହି ସଫଳତା ମିଳିଛି।

ଜଳେଶ୍ୱର ଅଞ୍ଚଳର ତୁଷାର ରଞ୍ଜନ ପରିଡ଼ା ଓ ଝାରଖଣ୍ଡ ନନ୍ଦଦିଆ ଗାଁର ଦେବେନ୍ଦ୍ର ନାଥ ସାହୁ ୬୦ ନମ୍ୱର ଜାତୀୟ ରାଜପଥ(NH)ର ଲକ୍ଷ୍ମଣ ନାଥ ଟୋଲ୍ ପ୍ଲାଜା ଓ ଆଖପାଖ ଅଞ୍ଚଳରେ ନିୟମିତ ଛିଡ଼ା ହେଉଥିଲେ। ଆଉ ସେମାନେ ନିଜକୁ ଆର୍‌ଟିଓ ଅଫିସ୍‌ର ଭାବେ ପରିଚୟ ଦେଉଥିଲେ। ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଯାହାର କାଗଜପତ୍ର ଠିକ୍‌ ନଥିଲା, ତା’ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରୁଥିଲେ। ଦୀର୍ଘଦିନ ଧରି ଦେବେନ୍ଦ୍ର ଓ ତୁଷାର ଏ କାରବାର କରୁଥିଲେ।

ବାଲେଶ୍ୱର ଏସ୍‌ପି ସାଗରୀକା ନାଥ ଏ ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ସାଦା ପୋଷାକରେ ସେହି ଅଞ୍ଚଳରେ ଘୂରି ବୁଲୁଥିଲା ଜଳେଶ୍ୱର ଥାନା ପୁଲିସ୍‌। ହେଲେ ସେମାନେ ଜାଣିପାରି ବାରମ୍ୱାର ସ୍ଥାନ ବଦଳାଉ ଥିଲେ। ଯେଉଁଥିପାଇଁ ପୁଲିସ୍‌ ପଞ୍ଝାରେ ପଡ଼ି ପଡ଼ୁନଥିଲେ। ଆଜି ସକାଳେ ଦେବେନ୍ଦ୍ର ଓ ତୁଷାର ଲକ୍ଷ୍ମଣ ନାଥ ଗେଟ୍‌ ନିକଟରେ ଥିବା ଏକ ଘରେ ନିଜର ପଶରା ମେଲାଇଥିଲେ। ଯିବା ଆସିବା ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ସେହି ସମୟରେ ସାଦା ପୋଷାକରେ ସେଠାରେ ପୁଲିସ୍‌ ପହଞ୍ଚିଥିଲା।

ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ ସାଦା ପୋଷାକରେ ଥିବା ପୁଲିସ୍‌ ଦେବେନ୍ଦ୍ର ଓ ତୁଷାରଙ୍କୁ ଧରିଥିଲା। ସେମାନଙ୍କର ଆଇଡି କାର୍ଡ ମାଗିଥିଲା। ହେଲେ ସେମାନେ କିଛି ପ୍ରମାଣ ଦେଖାଇ ପାରିଲେ ନାହିଁ। ଏହା ପରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୧୧ଟି ଅସଲି ଦେଖାଯାଉଥିବା ନକଲି ଷ୍ଟାମ୍ପ ଜବତ କରିଥିଲା। ଏଥିସହ ପରିବହନ ବିଭାଗ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଏପିଟିଡି ଚେକ୍ ପୋଷ୍ଟ ରସିଦ୍‌ ଜବତ କରିଥିଲା। ସେହିପରି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ଆରଟିଓ ରସିଦ ପ୍ରମୁଖ ଜବତ କରିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ