Subhadra Yojana: ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ, ଯାଞ୍ଚ ପାଇଁ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି

ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।

Subhadra Yojana: ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ, ଯାଞ୍ଚ ପାଇଁ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି

ଏଇମାସ ଶେଷ ସୁଦ୍ଧା ୨୦ ଲକ୍ଷ, ଆଉ ଡିସେମ୍ବର ଶେଷସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସ୍ପଷ୍ଟ କରିବା ସହ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନ ଉପରେ ବି ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି, ଖାରଜ ସବୁ ଆବେଦନର ପୁଣି ରିଚେକ୍ କରାଯିବ, କିଏ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ଜଣାପଡ଼ିବା ପରେ ଆବଶ୍ୟକ ସ୍ଥଳେ ଯୋଜନାରେ ସାମିଲ କରାଯିବ ।

ଗଞ୍ଜାମ ଜିଲ୍ଲା ଖଲିକୋଟ୍ କଦଳୀବସନ୍ତ ଗାଁର ବନି ନାହକଙ୍କ ପରି ଆପଣଙ୍କର ବି ଖାରଜ ହୋଇଯାଇଛି କି ସୁଭଦ୍ରା ଆବେଦନ ? ବନିଙ୍କ କହିବା କଥା ପରିବାରର ୫ ଏକର ଜମି ପାଇଁ ତାଙ୍କ ଆବେଦନ ଖାରଜ ହୋଇଯାଇଛି। ହେଲେ ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର । ଆପଣଙ୍କ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି । ପୁଣି ଥରେ ଯାଞ୍ଚ ହେବ ଖାରଜ ୨ ଲକ୍ଷ ୬୭ ହଜାର ଆବେଦନ । ଯେଉଁଥିରେ ସବୁଠୁ ଅଧିକ ରହିଛି ଜମି ବା ଭୂସଂପତ୍ତି ଆଧାରରେ ଖାରଜ ହୋଇଥିବା ଆବେଦନ ସଂଖ୍ୟା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଏସବୁ ଖାରଜ ଆବେଦନର ପୁନଃ ଯାଞ୍ଚ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ପରେ ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଏଥିସହ ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଏ କମିଟି ଖାରଜର ଆଧାର ଓ କାରଣକୁ ଆଉ ଥରେ ବିଚାର କରିବେ। ଜମି ଆଧାରରେ ଅଧିକ ଆବେଦନ ଖାରଜ ହୋଇଥିବାରୁ ସେଗୁଡ଼ିକୁ ଆଉଥରେ ଯାଞ୍ଚ ପାଇଁ ଆରଆଇଙ୍କ ଜରିଆରେ ତହସିଲଦାର ଦେବେ ଭୂସଂପତ୍ତି ରିପୋର୍ଟ । ସେହିପରି ବ୍ୟାଙ୍କ ଲିଙ୍କେଜ୍ ନ ହେବା କାରଣରୁ କଟିଥିଲେ, ବ୍ୟାଙ୍କ ଏଥିପାଇଁ ସ୍ପଷ୍ଟୀକରଣ ଦେବ। ଏହାସହ ଅଙ୍ଗନୱାଡ଼ି କର୍ମୀ ଓ ଏମ ବି କେ ଚାକିରିକୁ ସରକାରୀ ଚାକିରି ଦର୍ଶାଇ ଖାରଜ ହୋଇଥିବା ଆବେଦନର ବି ପୁନଃ ବିଚାର ହେବ ।

ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ ୨ ହଜାର ଆବେଦନ ହୋଇଥିଲା ବେଳେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଲାଣି । ଏଇ ମାସ ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଏବଂ ଡିସେମ୍ବର ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟରେ ମୋଟ୍ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବଡ଼ କଥା ହେଲା ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ । ହେଲେ ଏବେବି ଯୋଜନା ଆରମ୍ଭରୁ ଆବେଦନ କରି ଦୁଇଟି ଯାକ ପର୍ଯ୍ୟାୟରେ ସାମିଲ ହୋଇ ନଥିବାରୁ ତୃତୀୟ ପର୍ଯ୍ୟାୟକୁ ନେଇ ଆଶା ଆଶଙ୍କାରେ ଅନେକ ଆବେଦନକାରୀ ।

ଖାରଜ ହୋଇଥିବା ଆବେଦନର ପୁନଃ ଯାଞ୍ଚ ପାଇଁ ସରକାର କରିଥିବା ବ୍ୟବସ୍ଥା କେତେ ସଫଳ ହେଉଛି, ଏବଂ ବାଦ୍ ୨ ଲକ୍ଷ ୬୭ ହଜାର ଆବେଦନାକରୀଙ୍କ ଭିତରୁ କେତେ ଜଣ ଯୋଜନାରେ ସାମିଲ ହୋଇ ପାରୁଛନ୍ତି ଏବେ ତା ଉପରେ ନଜର ।