Timepass Booker Puraskar: ୧୭ତମ ‘ଟାଇମପାସ୍’ ବୁକର ପୁରସ୍କାର ପାଇବେ ସୁଜିତ୍; ବିକାଶଙ୍କୁ ବହିବନ୍ଧୁ ସମ୍ମାନ
‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ।
ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୭ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ। ୪୫ ବର୍ଷ ବୟସସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ଓ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକାକାରରେ ପ୍ରକାଶିତ ହୋଇଥାଏ।
ପୂର୍ବରୁ ଏହି ପୁରସ୍କାର ଲାଭ କରିଥିବା ସାରଦା ପ୍ରସାଦ ମିଶ୍ର, ସତ୍ୟପ୍ରିୟ ମହାଳିକ, ମମତାମୟୀ ଚୌଧୁରୀ, ତପନ ମହାପାତ୍ର, ଅମରେଶ ବିଶ୍ୱାଳ, ହିରଣ୍ମୟୀ ମିଶ୍ର, ଆଦିତେଶ୍ୱର ମିଶ୍ର, ରମାକାନ୍ତ ସାମନ୍ତରାୟ, ବାଦଲ ମହାନ୍ତି, ଶକ୍ତି ମହାନ୍ତି, ଆଶିଷ ଗଡ଼ନାୟକ, ସ୍ୱାଗତିକା ସ୍ୱାଇଁ, ରାଜେନ୍ଦ୍ର କୁମାର ରାଉଳ, ସୃଷ୍ଟିଶ୍ରୀ ନାଏକ, ଅମିୟ ବେଜ୍, ମହାଶ୍ୱେତା ସାହୁ ପ୍ରମୁଖ କଥାକାରମାନେ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟକୁ ବହୁଭାବେ ରୁଦ୍ଧିମନ୍ତ କରିଛନ୍ତି।
ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ଗଳ୍ପ ବିଭାଗରେ ଚିରଶ୍ରୀ ଇନ୍ଦ୍ରସିଂଙ୍କ ‘ନାଭିସୂତ୍ର’, କବିତା ବିଭାଗରେ ଇଂ. ସରୋଜ ମହାପାତ୍ରଙ୍କ ‘ମାର୍ଫତ୍ରେ ମୁଁ’ ଏବଂ ଉପନ୍ୟାସରେ ଅନୀଲ କୁମାର ପାଢ଼ୀଙ୍କ ‘ଆଦିମୂଳ’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି। ଓଡ଼ିଆ ପୁସ୍ତକର ପ୍ରଚାରପ୍ରସାର ପାଇଁ ନିସ୍ୱାର୍ଥ ଭାବେ କାର୍ଯ୍ୟ କରୁଥିବା ବିକାଶ ଶତପଥୀଙ୍କୁ ଚଳିତ ବର୍ଷର ‘ଟାଇମପାସ୍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।
ଡିସେମ୍ବର ୨୧ ଓ ୨୨ ତାରିଖରେ ଟାଇମପାସ ଦ୍ୱାରା ଆୟୋଜିତ ପଞ୍ଚମ ‘ଉତ୍ସାହିତ୍ୟ’ ଉତ୍ସବରେ ଉପରୋକ୍ତ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ। ଏଥିସହିତ ୧୦ଜଣଙ୍କୁ ‘ପ୍ରଥମା’ ଓ ୩୦ଜଣ ତରୁଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ପ୍ରଦାନ କରାଯିବ। ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍ୱାକ୍, ଗୀତ-ସଙ୍ଗୀତର କକ୍ଟେଲ୍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।