Viral Video: ୨୩ ବର୍ଷରେ ପ୍ରଥମ ଥର ‘ତେଜସ୍’ ବିମାନ ଦୁର୍ଘଟଣାଗ୍ରସ୍ତ, କ୍ରାସ୍ ପୂର୍ବରୁ ବାହାରି ଆସିଲେ ପାଇଲଟ୍
ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ବାୟୁସେନାର ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହଷ୍ଟେଲରେ ପଡ଼ିଥିଲା।
ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ । ହାଲୁକା ଯୁଦ୍ଧ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସାଲମେରରେ ଏହି ଦୁର୍ଘଟଣା ଘଟିଛି । ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଲଢ଼ୁଆ ବିମାନ ତେଜସ୍ ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ଯାଉଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ୨୩ ବର୍ଷ ଭାରତୀୟ ସେନାକୁ ସେବା ଯୋଗାଇ ଦେବା ମଧ୍ୟରେ ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି ତେଜସ୍।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ବାୟୁସେନାର ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହଷ୍ଟେଲରେ ପଡ଼ିଥିଲା। ଏହାପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଥିଲେ। ତେବେ ଦୁର୍ଘଟଣା ପୂର୍ବରୁ ହିଁ ବିମାନରୁ ବାହାରି ଆସିଥିଲେ ପାଇଲଟ୍। ବିମାନ ଦୁର୍ଘଟଣା ହେବ ଜାଣିବା ପରେ ପାରାଚ୍ୟୁଟ୍ ସାହାଯ୍ୟରେ ପାଇଲଟ୍ ଜଣକ ବାହାରକୁ ଆସିଥିଲେ ଏବଂ ନିରାପଦର ସହ ତଳେ ଲ୍ୟାଣ୍ଡିଂ କରିଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
जैसलमेर में सेना का फाइटर प्लेन क्रैश: घर की दीवार से टकराया विमान, भारत शक्ति अभ्यास में जा रहा था |#Rajasthan #Jaisalmer #fighterplanecrash #jaisalmer pic.twitter.com/X58wLsmx6y — Kishore Singh Rathore (@Fortkotra) March 12, 2024
ଅନ୍ୟପଟେ ବାୟୁସେନା ପକ୍ଷରୁ ଏକ ବିବୃତି ଜାରି କରି ଏହି ଦୁର୍ଘଟଣାର ସୂଚନା ଦିଆଯାଇଛି। ଏହି ବିବ୍ରୁତିରେ କୁହାଯାଇଛି ଯେ ଆଜି ଏକ ତେଜସ୍ ବିମାନ ଜୈସଲମେରରେ ଅପରେସନ୍ ଟ୍ରେନିଂ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ । ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା। ତା'ର କାରଣ ଜାଣିବା ଲାଗି କୋର୍ଟ ଅଫ୍ ଇନ୍କ୍ୱାୟରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।