ଅଣ୍ଡର-୧୯ ଏସିଆ କପ ଫାଇନାଲରେ ଭାରତ, ଜଲୱା ଦେଖାଇଲେ ସୂର୍ଯ୍ୟବଂଶୀ

ଭାରତ ପୂର୍ବରୁ ବାଂଲାଦେଶର ଜୁନିୟର ଟିମ ଶକ୍ତିଶାଳୀ ପାକିସ୍ତାନକୁ ୭ ୱିକେଟରେ ହରାଇ ଫାଇନାଲ ଟିକେଟ ହାତେଇଥିଲା। ଏବେ ଭାରତ ଓ ବାଂଲାଦେଶ ଆସନ୍ତା ରବିବାର ଦିନ ଏସିଆ କପ ଟାଇଟଲ ପାଇଁ ଲଢ଼େଇ କରିବେ।

ଅଣ୍ଡର-୧୯ ଏସିଆ କପ ଫାଇନାଲରେ ଭାରତ, ଜଲୱା ଦେଖାଇଲେ ସୂର୍ଯ୍ୟବଂଶୀ

ୟୁଏଇରେ ଚାଲିଥିବା ଅଣ୍ତର-୧୯ ଏସିଆ କପ ଫାଇନାଲରେ ଭାରତୀୟ ଟିମ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରି ସମସ୍ତଙ୍କୁ ନିରାଶ କରିଥିବା ଯୁବ ଭାରତୀୟ ବାହିନୀ ଏବେ ଟ୍ରଫି ପାଇଁ ଟକ୍କର କରିବ। ଆଜି ସେମି ଫାଇନାଲରେ ମହମ୍ମଦ ଅମନଙ୍କ ଭାରତୀୟ ଟିମ ଶ୍ରୀଲଙ୍କାକୁ ଏକତରଫା ଭାବେ ୭ ୱିକେଟରେ ହରାଇ ଦେଇଛି। ଦଳକୁ ଛକା ମାରି ଅଧିନାୟକ ମହମ୍ମଦ ୧୭୦ ବଲ ପୂର୍ବରୁ ବିଜୟ ଭେଟି ଦେଇଛନ୍ତି।

ଭାରତ ପୂର୍ବରୁ ବାଂଲାଦେଶର ଜୁନିୟର ଟିମ ଶକ୍ତିଶାଳୀ ପାକିସ୍ତାନକୁ ୭ ୱିକେଟରେ ହରାଇ ଫାଇନାଲ ଟିକେଟ ହାତେଇଥିଲା। ଏବେ ଭାରତ ଓ ବାଂଲାଦେଶ ଆସନ୍ତା ରବିବାର ଦିନ ଏସିଆ କପ ଟାଇଟଲ ପାଇଁ ଲଢ଼େଇ କରିବେ।

ଆଜି ଗୋଟିଏ ଦିନରେ ଦୁଇଟି ଯାକ ସେମି ଫାଇନାଲ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ପୂରା ୫୦ ଓଭର ମଧ୍ୟ ଖେଳିବାକୁ ସକ୍ଷମ ହୋଇ ନଥିଲା। ଦଳ ୩୭ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୧୬ ରନ କରିପାରି ଥିଲା।

ଏହାର ଜବାବରେ ବାଂଲାଦେଶ ୨୨.୧ ଓଭରରେ ମାତ୍ର ୩ଟି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ପ୍ରଥମ ଦଳ ଭାବେ ବାଂଲାଦେଶ ଫାଇନାଲରେ ପହଞ୍ଚି ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟକ୍କର ହୋଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଟିମ ଭାରତୀୟ ବୋଲରଙ୍କ ସାମ୍ନା କରି ନପାରି ୪୬.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୩ ରନ କରିଥିଲା। ଭାରତ ପକ୍ଷରୁ ଚେତନ ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଆୟୁଷ ମହାତ୍ରେ, କିରଣ କୋରମାଲେ ୨ଟି ଲେଖାଏ, ଯୁଦ୍ଧଜିତ ଗୁହା ଓ ହାର୍ଦ୍ଦିକ ରାଜଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।

ଲାଗୁଥିଲା ମ୍ୟାଚ୍‌ରେ ଶ୍ରୀଲଙ୍କା କଡ଼ା ଚ୍ୟାଲେଞ୍ଜ ଦେବ। କିନ୍ତୁ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜର ଜଲୱା ଦେଖାଇଥିଲେ। ନିକଟରେ ଆଇପିଏଲ ଅକ୍ସନରେ ସାମିଲ ହୋଇ ୧.୧୦ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ପାଖକୁ ଯାଇଥିବା ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ।

ସେ ଏକାକୀ ୩୬ ବଲରେ ୬୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ୫ଟି ଛକା ଓ ୬ଟି ଚୌକା ରହିଛି। ତାଙ୍କୁ ଅନ୍ୟତମ ଓପନର ଆୟୁଷ ସାଥ ଦେଇଥିଲେ।

ଉଭୟ ପ୍ରଥମ ୱିକେଟ ପାଇଁ ୯୧ ରନ ଯୋଡ଼ିବା ପରେ ପ୍ରଥମ ବ୍ୟାଟର ଭାବେ ଆୟୁଷ ୩୪ ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୩୨ ଥିବା ବେଳେ ସୂର୍ଯ୍ୟବଂଶୀ ୬୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ଆନ୍ଦ୍ରେ ସିଦ୍ଧାର୍ଥ ୨୨ ରନ କରିଛନ୍ତି। ଭାରତ ୧୪୮ ରନରେ ତୃତୀୟ ୱିକେଟ ହରାଇଥିଲା।

ଏହାପରେ ଅଧିନାୟକ ମହମ୍ମଦ ଅମନ ଓ କେପି କାର୍ତ୍ତିକେୟ ସ୍ଥିତି ସମ୍ଭାଳି ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଶେଷରେ ଅମନ ଛକା ମାରି ବିଜୟ ମୁଣ୍ଡି ମାରିଥିଲେ।

ଅମନ ଶେଷ ଯାଏ ୨୬ ବଲରେ ୨୫ ଓ କାର୍ତ୍ତିକେୟ ୧୪ ବଲରେ ୧୧ ରନ କରି ଅପରାଜିତ ରହିଥିଲେ। ଭାରତ ୨୧.୪ ଓଭରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିବା ସହ ଫାଇନାଲରେ ପହଞ୍ଚିଛି।