ଅତ୍ୟଧିକ ଆନୁଗତ୍ୟ ଅନୁଚିତ

କାହାର ସେବା କି ସାହାଯ୍ୟ ପାଇଁ ଆନୁଗତ୍ୟ ଭାବ ପ୍ରକଟ କରିବା ସମୀଚୀନ ଓ ଯଥାର୍ଥ। ମନୁଷ୍ୟର ଏହି ଗୁଣ ବିବେକାନୁମୋଦିତ, ସର୍ବଜନାଦୃତ ହୋଇଥାଏ। ବେଳେ ବେଳେଆମେ ଅତ୍ୟଧିକ, ଅନାବଶ୍ୟକ ଆନୁଗତ୍ୟ ପ୍ରକାଶ କରିବାରେ ବିମୁଖ ହୋଇ ନ ଥାଉ। ଯେଉଁଥିପାଇଁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ। ଏଠାରେ ଦୁଇଟି ପରିସ୍ଥିତିର ଆଲୋଚନା କରାଯାଇପାରେ। ପ୍ରଥମ, ଯାହା ପ୍ରତି ଆନୁଗତ୍ୟ ଭାବ ପ୍ରଦର୍ଶନ କରାଯାଉଛି ତାହା କେତେଦୂର ଯଥାର୍ଥ ଏବଂ ସେହିବ୍ୟକ୍ତି ଏଥିପାଇଁ କେତେ ଯୋଗ୍ୟ। ଯଦି […]

ଅତ୍ୟଧିକ ଆନୁଗତ୍ୟ ଅନୁଚିତ
sakala article

କାହାର ସେବା କି ସାହାଯ୍ୟ ପାଇଁ ଆନୁଗତ୍ୟ ଭାବ ପ୍ରକଟ କରିବା ସମୀଚୀନ ଓ ଯଥାର୍ଥ। ମନୁଷ୍ୟର ଏହି ଗୁଣ ବିବେକାନୁମୋଦିତ, ସର୍ବଜନାଦୃତ ହୋଇଥାଏ। ବେଳେ ବେଳେଆମେ ଅତ୍ୟଧିକ, ଅନାବଶ୍ୟକ ଆନୁଗତ୍ୟ ପ୍ରକାଶ କରିବାରେ ବିମୁଖ ହୋଇ ନ ଥାଉ। ଯେଉଁଥିପାଇଁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ। ଏଠାରେ ଦୁଇଟି ପରିସ୍ଥିତିର ଆଲୋଚନା କରାଯାଇପାରେ। ପ୍ରଥମ, ଯାହା ପ୍ରତି ଆନୁଗତ୍ୟ ଭାବ ପ୍ରଦର୍ଶନ କରାଯାଉଛି ତାହା କେତେଦୂର ଯଥାର୍ଥ ଏବଂ ସେହିବ୍ୟକ୍ତି ଏଥିପାଇଁ କେତେ ଯୋଗ୍ୟ। ଯଦି ଏହି ଦୁଇଟି ଚିନ୍ତାଧାରାରେ ସଠିକ ନିର୍ଣ୍ଣୟ ହୋଇ ନ ଥାଏ ତେବେ ଆନୁଗତ୍ୟ ପାଇଁ ବ୍ୟକ୍ତିର ଆତ୍ମସମ୍ମାନ, ବ୍ୟକ୍ତିତ୍ୱ ଆଦି ପ୍ରତି ପ୍ରଶ୍ନବାଚୀ ସୃଷ୍ଟିହୁଏ। ଅପରପକ୍ଷରେ ଅନାବଶ୍ୟକ ଭାବେ ଆନୁଗତ୍ୟ ପ୍ରାପ୍ତି ପରେ ଅଯୋଗ୍ୟ ବ୍ୟକ୍ତି ଜଣକ ଆତ୍ମସନ୍ତୋଷ, ଅହଙ୍କାରରେ ମାନସିକ ବିକାରଗ୍ରସ୍ତ ହୋଇଥା’ନ୍ତି। ତାଙ୍କ ପ୍ରତି ଯେ ସମାଜରେ ଲୋକଙ୍କର ଏତେ ଆନୁଗତ୍ୟ ଅଛି, ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଏପରି ଉଦ୍‌‌ଭ୍ରାନ୍ତ ଚିନ୍ତା ତାଙ୍କ ମନରେ ସୃଷ୍ଟିହୁଏ। ଆଜିର ସମାଜରେ ଲୋକମାନଙ୍କ ଭିତରେ ଏହି ଚିନ୍ତା ବିଭିନ୍ନ ରୂପରେ ପ୍ରକାଶ ପାଉଛି। ଦେଖିଲେ ଦୁଃଖ ଲାଗିଲେ ବି ସମସ୍ତେ ଆଖିମୁଜି ଦେବା ପରି ଅଭିନୟ କରୁଛନ୍ତି।

ଜନ୍ମରୁ କେହି କାହାର ବଶ୍ୟତା ବା ଅଧୀନତା ସ୍ୱୀକାର କରି ନଥା’ନ୍ତି। କେବଳ ଜନ୍ମଦାତ୍ରୀ ମା’ ବ୍ୟତୀତ ସନ୍ତାନଟିଏ ଅନ୍ୟ କାହାର ବଶ୍ୟତା ସହଜରେ ଗ୍ରହଣ କରି ନ ଥାଏ। ଅଧୀନତା ବ୍ୟକ୍ତିର ସ୍ୱାଧୀନତା କେବଳ ସଙ୍କୁଚିତ ବା ଅପହରଣ କରେନି, ବରଂ ଆତ୍ମମର୍ଯ୍ୟାଦା ହାନି କରିଥାଏ। କଥାରେ ହେଉ କି କାର୍ଯ୍ୟରେ, ଭାଷାରେ ହେଉ କି ଭାବରେ, ଆଚରଣରେ କିମ୍ବା ଉଚ୍ଚାରଣରେ ଆନୁଗତ୍ୟ ପ୍ରକାଶ କରିବାର ସୀମା ସରହଦ ରହିଛି। ସୀମା ଲଂଘନ କଲେ ସମାଲୋଚନା ତ ଅବଶ୍ୟ ମିଳିବ, ଏହି ଶବ୍ଦର ଉପଯୁକ୍ତ ମୂଲ୍ୟବୋଧ ପ୍ରକାଶ ପାଇବ ନାହିଁ।

ଅତୀତରେ ରାଜାରାଜୁଡ଼ାଙ୍କ ଶାସନକାଳରେ ଶାସକମାନଙ୍କ ପ୍ରତି ପ୍ରଜାମାନଙ୍କର ଆନୁଗତ୍ୟ ପ୍ରଦର୍ଶନ ଯଥେଷ୍ଟ ପରିମାଣରେ ଥିଲା। ରାଜାମାନେ ଧନ, ଧାନ୍ୟ, ଅଳଙ୍କାର, ଆଭୂଷଣାଦି ପ୍ରଦାନ କରି ସାଧାରଣ ପ୍ରଜାମାନଙ୍କର ଆନୁଗତ୍ୟ ଲାଭ କରୁଥିଲେ। ଏପରିକି ଜ୍ଞାନୀ, ଗୁଣୀ ମାନେ ମଧ୍ୟ ରାଜାଙ୍କର ଅଧୀନତା ସ୍ୱୀକାର କରିବାକୁ ଏକପ୍ରକାର ବାଧ୍ୟ ହେଉଥିଲେ। ଅନେକ ପ୍ରଜାନୁରଞ୍ଜନ ରାଜା ପ୍ରଜାମାନଙ୍କ ଜରୁରୀ ଅସୁବିଧାର ସମାଧାନ କରି ତାଙ୍କର ଆନୁଗତ୍ୟ ଲାଭ କରୁଥିଲେ। ଦେବତା ପରି ମାନ୍ୟତା ବି ପାଉଥିଲେ। ତତ୍କାଳୀନ ଜମିଦାରମାନେ ରାଜାଙ୍କୁ ଖୁସି କରିବାକୁ ଯାଇ ପ୍ରଜାମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଥିଲେ। ପ୍ରଜାମାନଙ୍କର ଡରି ମରି ଅଧୀନତା ସ୍ୱୀକାର କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା। ଏପରିକି ଦେଖାଯାଇଛି କାହା ବାଡ଼ିରେ ବଡ଼ କଦଳୀ କାନ୍ଧି, ପାଚିଲା ପଣସ, ପୋଖରୀରେ ବଡ଼ମାଛ ଦେଖିଲେ ଜମିଦାରମାନେ ପିଆଦା ପଠାଇ ଲୋକମାନଙ୍କଠାରୁ ବଳପୂର୍ବକ ସେଗୁଡ଼ିକ ସଂଗ୍ରହ କରୁଥିଲେ ଏବଂ ସେହି ସାମଗ୍ରୀକୁ ରାଜାଙ୍କ ପାଖରେ ଭେଟିଦେଇ ଆନୁଗତ୍ୟ ପ୍ରକାଶ ଭଙ୍ଗୀରେ ଦୁଆର ମୁହଁରେ ହାତଯୋଡ଼ି ଛିଡ଼ା ହେଉଥିଲେ। ଜମିଦାରମାନେ ଓ ରାଜାମାନେ ଉଭୟେ ଉଭୟଙ୍କର ଆନୁଗତ୍ୟ ସ୍ୱୀକାର କରି ଆତ୍ମସନ୍ତୋଷ ଲାଭ କରୁଥିଲେ।

ଆଜିର ସମାଜରେ ଉଚ୍ଚପଦାଧିକାରୀ କିମ୍ବା ରାଜନେତାମାନେ ଏପରି ମାନସିକତା ପୋଷଣ କରୁଥିବା ବହୁଳ ଭାବରେ ଦେଖାଯାଏ। ଆନୁଗତ୍ୟ ପ୍ରଦର୍ଶନରେ ଊଣା ହେଲେ ତଳିଆ କର୍ମଚାରୀଟିଏ ପଦାନତ ହୋଇପାରେ, ସାଧାରଣ କର୍ମୀଟିଏ ଜୀବନସାରା ପତକା ଧରି ବୁଲିବା ଯଥେଷ୍ଟ ହୁଏ। ଭଣ୍ଡ ସାଧୁଟିଏ ଚେଲାଟିର ସାମାନ୍ୟ ସେବାରୁ ଊଣା ଅନୁଭବ କଲେ ଆନୁଗତ୍ୟ ନ ଥିବା ଅନୁଭବ କରି ଚେଲାଟିକୁ ସେବାନିବୃତ କରିଦିଏ। ସେବା, ସାହାଯ୍ୟ କିମ୍ବା ଉପକାର ପାଇଥିବା ବ୍ୟକ୍ତିଟି ସାମାନ୍ୟ ଆନୁଗତ୍ୟର ଅଭାବରେ ଜୀବନ ଯନ୍ତ୍ରଣାରେ ଛଟପଟ ହୁଏ।

ମନୁଷ୍ୟ ପରି ପଶୁ, ପକ୍ଷୀମାନେ ମଧ୍ୟ ମାଲିକମାନଙ୍କୁ ଆନୁଗତ୍ୟ ଦେଖାଇବାରେ ଅବହେଳା କରି ନ ଥା’ନ୍ତି। ମାଲିକ ଘରେ ପଶୁ ପଶୁ ଦରୁଆନ ସାଲ୍ୟୁଟ ମାରିବାରେ ଅବହେଳା କଲେ କିମ୍ବା କାର୍‌‌ର ଦୁଆର ଖୋଲି ଆଟାଚି ଧରିବାରେ ଅଣଦେଖା କଲେ ତତ୍‌‌କ୍ଷଣାତ ଚାକରଟିର ଚାକିରି ଚାଲିଯାଏ। ସେହିପରି ମାଲିକକୁ ଦୁଆରେ ଦେଖିବା ମାତ୍ରେ କୁକୁରଟି ଲାଞ୍ଜ ହଲାଇ, ଉପରେ ଚଢ଼ି ଆନୁଗତ୍ୟ ଦେଖାଏ। ପୋଷା ଶୁଆଟିଏ ପିଞ୍ଜରା ଭିତରେ ‘ବାବୁ ଆସିଲେ, ବାବୁ ଆସିଲେ’ ଡାକଦିଏ। ବିରାଡ଼ିଟିଏ ମିଆଁଉ ମିଆଁଉ ଶବ୍ଦ କରି ମାଲିକ ପାଦ ଚାରିପଟେ ଘେରା ମାରେ। ଗାଇଗୋରୁମାନେ ମଧ୍ୟ ଘରମାଲିକକୁ ଦେଖିଲେ ହମ୍ବା ରଡ଼ି ପକାନ୍ତି। ଏପରି ଘଟଣା ଆମ ଆଖିଆଗରେ ସବୁବେଳେ ଘଟିଥାଏ। ଆନୁଗତ୍ୟ ଭାବ ପ୍ରକାଶ ପେଟପାଟଣା ପାଇଁ ହେଉ କି ବାଧ୍ୟବାଧକତାରେ ହେଉ, ମଣିଷ ଏସବୁ ବୁଝିବାରେ ଅସମର୍ଥ ହୁଏ। ଜୀବଜନ୍ତୁମାନଙ୍କ ଆନୁଗତ୍ୟ ଭାବ ଦେଖିଲେ ସେ ଆତ୍ମହରା ହୁଏ, ନିଜକୁ ଧନ୍ୟ ମନେକରେ।

ବାସ୍ତବରେ ଆନୁଗତ୍ୟ ଭାବ ପ୍ରଦର୍ଶନ କରିବା ଅନୁଚିତ ନୁହେଁ। କାହାର ସେବା କି ସାହାଯ୍ୟ ପାଇଁ ମଣିଷର ଏହି ଆନୁଗତ୍ୟ ଭାବ ପ୍ରକଟ କରିବା ଏକ ମହତ ଗୁଣର ପରିଚାୟକ। କିନ୍ତୁ ଅତ୍ୟଧିକ ଆନୁଗତ୍ୟ, ବଶ୍ୟତା, ଅଧୀନତା ସ୍ୱୀକାର କରିବା ଆଦୌ ସ୍ଫୃହଣୀୟ କି ଗ୍ରହଣୀୟ ନୁହେଁ। ମାନବୋଚିତ କାର୍ଯ୍ୟ ମଣିଷର ମୂଲ୍ୟବୋଧ ସୃଷ୍ଟି କରେ। ଅତିଶୟ ଭାବ ପ୍ରକଟ, ଅମାନବୋଚିତ କାର୍ଯ୍ୟ ଭାବରେ ବିବେଚିତ ହୁଏ। ସେଥିପାଇଁ ମଣିଷ କେବଳ ଜଣଙ୍କ ନିକଟରେ ସବୁବେଳେ ଅଧୀନତା, ଆନୁଗତ୍ୟ ସ୍ୱୀକାର କରିବା ଉଚିତ୍‌‌, ସେ ହେଉଛନ୍ତି ପରମପିତା, ପରମେଶ୍ୱର। ଯିଏ ଆମ ପାଇଁ ସବୁକିଛି କରି ମଧ୍ୟ ଆମଠାରୁ କୌଣସି ଆନୁଗତ୍ୟ ଚାହିଁ ନ ଥା’ନ୍ତି। ଏକଥା ଆଧୁନିକ ମନୁଷ୍ୟର ଚିନ୍ତାଧାରାରେ, କାର୍ଯ୍ୟରେ ପରିପ୍ରକାଶ ହେଲେ ଅଧିକ ଆନୁଗତ୍ୟ ପ୍ରକାଶ କରିବା ଅନୁଚିନ୍ତା ଆମ ମନରୁ ଦୂରେଇଯିବ, ସାମାଜିକ ପରିବେଶ ଏହି କାର୍ଯ୍ୟକୁ ଆନ୍ତରିକତାର ସହିତ ସମର୍ଥନ ମଧ୍ୟ କରିବ। n=
ଦାଣ୍ଡମୁକୁନ୍ଦପୁର(ପୁରୀ), ମୋ: ୯୪୩୮୦୪୮୬୧୫

ଅର୍ଜୁନ ଘଡ଼େଇ