ଅନନ୍ତ ଓ ରାଧିକାଙ୍କୁ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

ଶୁକ୍ରବାର ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବକୁ ଯେଉଁମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଶନିବାରର ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।

ଅନନ୍ତ ଓ ରାଧିକାଙ୍କୁ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

‘ଶୁଭ ଆଶୀର୍ବାଦ’ ସମାରୋହରେ ଯୋଗ ଦେଇ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କୁ ଆଶୀର୍ବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନନ୍ତ ଓ ରାଧିକଙ୍କ ବିବାହର ଗୋଟିଏ ଦିନ ପରେ ଅର୍ଥାତ୍ ଶନିବାର (ଗତକାଲି) ‌ଏହି ଶୁଭ ଆଶୀର୍ବାଦ ସମାରୋହ ଅନୁଷ୍ଠିତ ହୋଇଥିଲା। ଅମ୍ବାନୀ ପରିବାରର ମୁମ୍ବାଇ ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ତଥା ଦେଶ ବାହାରର ଅନେକ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବଡ଼ ବଡ଼ ଶିଳ୍ପପତି, ରାଜନେତା, ଚଳଚ୍ଚିତ୍ର କଳାକାର, କ୍ରିକେଟର, ଆଧ୍ୟାତ୍ମିକ ଗୁରୁ ଓ ଆହୁରି ଅନେକ ବ୍ୟକ୍ତି ବିଶେଷ।

ସାମ୍ନାକୁ ଆସିଥିବା ଭିଡିଓଗୁଡ଼ିକରୁ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ପହଞ୍ଚିବା ପରେ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନେଇଥିଲେ। ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ପ୍ରଧାନମନ୍ତ୍ରୀଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉପହାର ଦେଇଥିଲେ।   

ଶୁକ୍ରବାର ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବକୁ ଯେଉଁମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଶନିବାରର ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନ, ରଣବୀର କପୁର, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଅଜିତ ପାୱାର, ଆରଜେଡି ମୁଖ୍ୟ ଲାଲୁ ଯାଦବ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଓ ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।