ଅନାସ୍ଥାରେ ହାରିଲେ ଫୁଲବାଣୀ ପୌରାଧ୍ୟକ୍ଷା: ବିଜେପିକୁ ଝଟକା
ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ୮ ନମ୍ବର ୱାର୍ଡର କାଉନସିଲର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ମୋଟ ୧୧ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଜି ଦୁଇ ତୃତୀୟାଂଶ ଭୋଟରେ ପାରିତ ହୋଇଛି।
ସାଧାରଣ ନିର୍ବାଚନରେ ବିଜେଡିର ୨୪ବର୍ଷର ଶାସନକୁ ଧୂଳିସାତ୍ କରି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପିକୁ ଆଜି ପ୍ରଥମ ଝଟକା ଲାଗିଛି । ଦଳର ନିର୍ବାଚିତା ଫୁଲବାଣୀ ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ଭୋଟରେ ଆଜି ଅନାସ୍ଥା ପ୍ରସ୍ତାବ ପାରିତ ହେବାପରେ ସେ ପଦ ହରାଇବା ସ୍ପଷ୍ଟ ହୋଇଯାଇଛି । ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ହେବାପରେ ବିଜେଡିରେ ଚାଲିଥିବା ତୀବ୍ର ଗୋଷ୍ଠୀକନ୍ଦଳର ଫାଇଦା ଉଠାଇ ବିଜେପି ବିଭିନ୍ନ ପୌର ସଂସ୍ଥା ଓ ପଂଚାୟତସମିତିକୁ ନିଜ ଦଖଲକୁ ନେଇପାରେ ବୋଲି ହେଉଥିବା ଚର୍ଚ୍ଚା ମଧ୍ୟରେ ଆଜି ନିଜର ନିର୍ବାଚିତ ପ୍ରତିନିଧିଙ୍କ ପଦକୁ ସୁରକ୍ଷା ଯୋଗାଇବାରେ ବିଫଳ ହେବା ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ୮ ନମ୍ବର ୱାର୍ଡର କାଉନସିଲର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ମୋଟ ୧୧ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଜି ଦୁଇ ତୃତୀୟାଂଶ ଭୋଟରେ ପାରିତ ହୋଇଛି। ମୋଟ ୧୩ଜଣ ସଦସ୍ୟ ବିଶିଷ୍ଟ ଏହି ପୌର ପରିଷଦରେ ବିଜେପିର ୪ଜଣ, ବିଜେଡିର ୭ଜଣ ଓ ୨ଜଣ ସ୍ୱାଧୀନ କାଉନସିଲର ଅଛନ୍ତି। କିନ୍ତୁ ଆଜିର ଅନାସ୍ଥା ଭୋଟରେ ବିଜେପିର ୨ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ । ଆଉ ଅନ୍ୟ ୨ଜଣ କାଉନସିଲର ନିଜ ଦଳର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ଭୋଟ୍ ଦେଇଥିଲେ । ଭୋଟରେ ମୋଟ ୧୧ଜଣ କାଉନସିଲର ଭାଗ ନେଇଥିଲେ ଓ ଜଣେ କାଉନସିଲରଙ୍କ ଭୋଟ ନାକଚ ହେବାରୁ ୧୦ଜଣଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଥିବା ନେଇ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।
ଅନାସ୍ଥା ପାରିତ ସଂପର୍କିତ ସଂକଳ୍ପତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜେପିର ସରକାର ଓ ଫୁଲବାଣୀରେ ବିଜେପି ବିଧାୟକ ଥିବାସତ୍ତ୍ୱେ ଶ୍ରୀମତୀ ମହାନ୍ତିଙ୍କ ପୌରାଧ୍ୟକ୍ଷା ପଦକୁ ବଂଚାଇବା ପାଇଁ ବିଜେପି କାହିଁକି ଆବଶ୍ୟକ ରଣନୀତି ପ୍ରସ୍ତୁତ କଲା ନାହିଁ । କନ୍ଧମାଳ ଲୋକସଭା ଆସନ ବିଜେପି ପାଖରେ ରହିଛି । ଏହି ଲୋକସଭା ଅନ୍ତର୍ଗତ ସମସ୍ତ ୭ଟିରୁ ୪ଟି ଆସନ ବିଜେପି ଖାତାକୁ ଯାଇଛି । ଫୁଲବାଣୀରେ ବିଜେପିର ନିଜସ୍ୱ ବିଧାୟକ ଅଛନ୍ତି । ଏହି ଲୋକସଭା ଆସନ ଅନ୍ତର୍ଗତ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ଗତକାଲି ସରକାରୀ ଦଳ ମୁଖ୍ୟ ସଚେତକ ପଦରେ ବିଜେପି ଅବସ୍ଥାପିତ କରାଇଛି । ତଥାପି ଦଳର ନିର୍ବାଚିତା ପୌରାଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ପଦକୁ ବଂଚାଇବାରେ ବିଜେପି ସେଠାରେ ବିଫଳ ହୋଇଛି ।
ବିଜେଡି ନିଜର କାଉନସିଲରମାନଙ୍କ ଉପରେ ହୁଇପ୍ ଜାରି କରିବା ସହ ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ସେଠାକୁ ପଠାଇ ନିର୍ବାଚନରେ ବିଜେପିର ପୌରାଧ୍ୟକ୍ଷଙ୍କ ପଦ କିଭଳି ଯିବ ତାହା ସୁନିଶ୍ଚିତ କରାଇଥିଲା । ମାତ୍ର ବିଜେପିର ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ସେଭଳି ଆଖିଦୃଶିଆ ପ୍ରୟାସ ହୋଇନଥିବା ଜଣାପଡ଼ିଛି । ଯେଉଁଥିପାଇଁ ଦଳକୁ ନିଜର ନିର୍ବାଚିତ ପ୍ରତିନିଧିଙ୍କୁ ହରାଇବାକୁ ପଡ଼ିଛି ।
ରାଜ୍ୟରେ ୨୦୨୨ ପୌର ଓ ପଂଚାୟତ ନିର୍ବାଚନରେ ବିଜେଡିକୁ ୭୦ପ୍ରତିଶତରୁ ଅଧିକ ସଫଳତା ମିଳିଥିଲା । ଏବେ ବିଜେଡିର ସରକାର ନଥିବା ଏବଂ ଦଳ ଭିତରେ ବଢ଼ୁଥିବା ଅନ୍ତଃକନ୍ଦଳ ଯୋଗୁ ଅଧିକାଂଶ ଜିଲ୍ଲାରେ ଏହି ବିଜେଡି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ମାତ୍ର ରାଜନୀତିକ ଦୃଷ୍ଟିରୁ ବିଜେପି ଯେଉଁ ଢଙ୍ଗରେ ଏସବୁକୁ ପରିଚାଳନା କରିବା କଥା ତାହା କରୁନଥିବାରୁ ଦଳକୁ ନିରାଶ ହେବାକୁ ପଡ଼ୁଥିବା ଚର୍ଚ୍ଚା ।