ଅନେକ ଲୋକ ଜାଣନ୍ତିନି କି ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେଲେ କ୍ଷତିପୂରଣ ମିଳେ, ଓଡ଼ିଶା ହାଇକୋର୍ଟ କହିଲେ…..
କଟକ : ଅନେକ ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନେଇ ଖବର ଆସେ। କେତେବେଳେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟରେ ଜୀବନ ଯାଏ ତ ଆଉ କେତେ ବେଳେ ଘର ପୋଡ଼ି ଛାରଖାର ହୋଇଯାଏ। ଏଇ ଗତ କିଛି ଦିନ ତଳେ କେନ୍ଦ୍ରାପଡା ରାଜନଗର ବ୍ଲକ ବଳରାମପୁର ଗାଁରେ ମଧ୍ୟ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟରେ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଆପଣ ଜାଣନ୍ତି କି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଜୀବନଗଲେ କି ଘର ପୋଡିଲେ […]

କଟକ : ଅନେକ ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନେଇ ଖବର ଆସେ। କେତେବେଳେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟରେ ଜୀବନ ଯାଏ ତ ଆଉ କେତେ ବେଳେ ଘର ପୋଡ଼ି ଛାରଖାର ହୋଇଯାଏ। ଏଇ ଗତ କିଛି ଦିନ ତଳେ କେନ୍ଦ୍ରାପଡା ରାଜନଗର ବ୍ଲକ ବଳରାମପୁର ଗାଁରେ ମଧ୍ୟ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟରେ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଆପଣ ଜାଣନ୍ତି କି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଜୀବନଗଲେ କି ଘର ପୋଡିଲେ କି ଆହତ ହେଲେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳେ। ଆପଣ ଯେଉଁ କମ୍ପାନୀର ଗ୍ରାହକ ହୋଇଥିବେ, ସେହି କମ୍ପାନୀ ଆପଣଙ୍କୁ କ୍ଷତିପୂରଣ ଦେବ। ଏନେଇ କମ୍ପାନୀ ପକ୍ଷରୁ ବୀମା କରାଯାଇଥାଏ। କିନ୍ତୁ ଏହି କଥା ଉପଭୋକ୍ତା ଜାଣିନଥିବା କାରଣରୁ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୁଅନ୍ତି। ଏଥି ସହିତ ଗ୍ୟାସ କମ୍ପାନୀମାନେ ମଧ୍ୟ ଏନେଇ ଉପଭୋକ୍ତା ମାନଙ୍କ ଅବଗତ କରାଇନଥାନ୍ତି। ଯାହାକୁ ନେଇ ଓଡ଼ିଶା ହାଇକୋର୍ଟ ବୀମା ସଂପର୍କିତ ସୂଚନା ଗଣମାଧ୍ୟମ ମାଧ୍ୟମରେ ଉପଯୁକ୍ତ ଭାବେ ପ୍ରଚାର ପ୍ରସାର କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଓଡ଼ିଶା ହାଇକୋର୍ଟ ୨୦୨୧ରେ ନୟାଗଡ଼ରେ ହୋଇଥିବା ଏକ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ମାମଲା ବିଚାର କରିବା ସମୟରେ ଗ୍ରାହକମାନେ ସେମାନଙ୍କ ଅଧିକାର ଜାଣିନଥିବା ଜାଣିବାକୁ ପାଇଥିଲେ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅନୁସାରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇପାରିବେ । ସେହିଭଳି ଭାବେ ସଂପତ୍ତି ନଷ୍ଟ ପାଇଁ ପ୍ରତି ଘଟଣାରେ ପଞ୍ଜୀକୃତ ଗ୍ୟାସ ସିଲିଣ୍ଡର ଗ୍ରାହକକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । କିନ୍ତୁ ଗ୍ୟାସ କମ୍ପାନୀ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ନେଇ ଅନେକ ଜାଣି ନାହାଁନ୍ତି । ଏଭଳି ବୀମା ଅନ୍ତର୍ଭୁକ୍ତ ପ୍ରସଙ୍ଗ ନେଇ ଅଜ୍ଞତା ଯୋଗୁଁ ବହୁ ସମୟରେ ଏପରି ଦୁର୍ଘଟଣାର ପୀଡ଼ିତ ଓ ସେମାନଙ୍କ ପରିବାରକୁ କ୍ଷତିପୂରଣ ପାଇବାର ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଯାହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଗ୍ୟାସ କମ୍ପାନୀମାନଙ୍କୁ ଗ୍ରାହକ ମାନଙ୍କୁ ଏନେଇ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ମନି ରିସିପ୍ଟ ପଛ ପାଖରେ ଏଭଳି ବୀମା କ୍ଷତିପୂରଣ ସଂପର୍କିତ ତଥ୍ୟ ଛପା ଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି । ଏଲପିଜି ସିଲିଣ୍ଡର ପରିଚାଳନା ଓ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବୀମା ଅନ୍ତର୍ଭୁକ୍ତ ପ୍ରସଂଗରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପାଇଁ ଦୃଢ ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି । ଏଥି ସହିତ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଦୁର୍ଘଟଣାରେ ଆହତ ହୋଇଥିବା ଆବେଦନକାରୀଙ୍କୁ ୨ ମାସ ଭିତରେ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ବୀମା କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି।
ଆହୁରି ମଧ୍ୟ ହାଇକୋର୍ଟ କହିଛନ୍ତି ଯେ ଗ୍ୟାସ କମ୍ପାନୀମାନେ କେବଳ ବେପାର ଉପରେ ଧ୍ୟାନ ଦେଇଛନ୍ତି ଗ୍ରାହକମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେ ନେଇ ଧ୍ୟାନ ଦେଉ ନାହାନ୍ତି। ଗ୍ରାହକମାନଙ୍କୁ ସୁରକ୍ଷା ସଂପର୍କିତ ତାଲିମ ଓ ବୀମା ଅନ୍ତର୍ଭୁକ୍ତ ପ୍ରସଙ୍ଗ ଜଣାଇବା କାମ ଗ୍ୟାସ କମ୍ପାନୀର, କିନ୍ତୁ ସେମାନେ ତାହା କରୁନାହାନ୍ତି। ଏଥି ସହିତ କିଛି ସ୍ଥାନରେ ଦେଖିବାକୁ ମିଳୁଛି ଅତ୍ୟନ୍ତ ବିପଦଜ୍ଜନକ ଭବେ ମଟରସାଇକେଲ ଓ ସାଇକେଲରେ ଏକାଧିକ ଗ୍ୟାସ ସିଲିଣ୍ଡର ନେଇ ଏଲପିଜି ଯୋଗାଣ କରୁଥିବା କମ୍ପାନୀର କର୍ମଚାରୀ ଯାଉଛନ୍ତି। ଏପରି ଗ୍ୟାସ ସିଲିଣ୍ଡର ପରିବହନରେ ବିପଦ ରହିଛି । ଗ୍ୟାସ ଲିକର ସମ୍ଭାବନା ରହିଛି। ଏହା ବଡ଼ ବିପଦ ଆଣିପାରେ। ଏଣୁ ଗ୍ୟାସ କମ୍ପାନୀ ସୁରକ୍ଷା ପ୍ରସଙ୍ଗରେ ଧ୍ୟାନ ଦେବା ସହ କର୍ମଚାରୀ ଓ ଗ୍ରାହକଙ୍କୁ ତାଲିମ ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ସୂଚନାଯୋଗ୍ୟ ୨୦୨୧ ସେପ୍ଟେମ୍ବର ୨୭ରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏହି ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇ ଥିଲେ । କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନକାରୀ ବାରମ୍ବାର ବୀମା କମ୍ପାନୀ ଓ ଭାରତ ପେଟ୍ରୋଲିୟମକୁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଡ଼ଃ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦେବା ସହ କମ୍ପାନୀମାନେ ବୀମାନେଇ ଲୋକଙ୍କୁ ସଚେତନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।