ଅପରାଧୀର ଔକାତ୍ ମାପିଲା ପୋଲିସ... ଘୋଷଣା କଲା ଆଠଣା ପୁରସ୍କାର

ଏପରି ଘୋଷଣା ପଛରେ ପୋଲିସର ଏକ ଉଦ୍ଦେଶ୍ୟ ରହିଛି। ଅଭିଯୁକ୍ତ ନିଜକୁ ଡନ୍ ବୋଲି ଭାବିବା ଉଚିତ୍ ନୁହେଁ। ପ୍ରକୃତରେ ତା’ର ମୂଲ୍ୟ ୫୦ ପଇସା ସହ ସମାନ ବୋଲି ପୋଲିସ କହିଛି।

ଅପରାଧୀର ଔକାତ୍ ମାପିଲା ପୋଲିସ... ଘୋଷଣା କଲା ଆଠଣା ପୁରସ୍କାର

ସାଧାରଣତଃ କୁଖ୍ୟାତ ଲୁଟେରା ବା ଅପରାଧୀଙ୍କୁ ଧରାଇବା ପାଇଁ ସେମାନଙ୍କ ନାଁରେ ପୁରସ୍କାର ରାଶି ଘୋଷଣା ହୋଇଥାଏ। ପୋଲିସ ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ୫୦୦ରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ଯାଏ ପୁରସ୍କାର ରାଶି ପ୍ରଦାନ କରିବାର ଆମେ ଦେଖିଛେ। ହେଲେ ଆପଣ କେବେ ଶୁଣିଛନ୍ତି କି ଅପରାଧୀକୁ ଧରାଇଲେ ମିଳିବ ୫୦ପଇସା। ହଁ, ମାତ୍ର ୫୦ପଇସା। ଯାହା ଅଚଳ କହିଲେ ଚଳେ। ତେବେ ଅପରାଧୀକୁ ଧରାଇବା ପରେ ୫୦ପଇସା ପୁରସ୍କାର ପ୍ରଦାନ ନେଇ ଏକ ଘୋଷଣା କରାଯାଇଛି।

ରାଜସ୍ଥାନର ଝୁଂଝୁନ ପୋଲିସ ଅପରାଧୀ ମୁଣ୍ଡରେ ୫୦ପଇସାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିଲ୍ଲା ଅଧୀକ୍ଷକ ଦେବେନ୍ଦ୍ର ବିଷ୍ଣୋଇ ଏନେଇ ଏକ ଆଦେଶ ଜାରି କରିଛନ୍ତି। ସିଙ୍ଗାନା ପୋଲିସ ଷ୍ଟେସନରେ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏକ ମାମଲାର ଅଭିଯୁକ୍ତ ଯୋଗେଶ ମେଘୱାଲଙ୍କୁ ଧରିବା ପାଇଁ ୫୦ ପଇସା ପୁରସ୍କାର ଘୋଷଣା କରାଯାଇଛି।

ଏସପି ଏହି ନିର୍ଦ୍ଦେଶରେ କହିଛନ୍ତି, “ଯେଉଁ ବ୍ୟକ୍ତି ଅଭିଯୁକ୍ତକୁ ଧରିବାରେ ସାହାଯ୍ୟ କରିବ ବା ଅଭିଯୁକ୍ତ ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବ ତାଙ୍କୁ ୫୦ପଇସା ପୁରସ୍କାର ଦିଆଯିବ।” ଏପରି ଘୋଷଣା ପଛରେ ପୋଲିସର ଏକ ଉଦ୍ଦେଶ୍ୟ ରହିଛି। ଅଭିଯୁକ୍ତ ନିଜକୁ ଡନ୍ ବୋଲି ଭାବିବା ଉଚିତ୍ ନୁହେଁ। ପ୍ରକୃତରେ ତାର ମୂଲ୍ୟ ୫୦ ପଇସା ସହ ସମାନ ବୋଲି ସେ କହିଛନ୍ତି।