ଅବତରଣ ସମୟରେ ବିମାନ ଚକରେ ଲାଗିଲା ନିଆଁ

ସାଉଦି ଏୟାରଲାଇନ୍ସର ଏକ ବିମାନ ଚକରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଅବତରଣ ସମୟରେ ବିମାନ ଚକରେ ଲାଗିଲା ନିଆଁ

ଅବତରଣ ସମୟରେ ବିମାନ ଚକରେ ନିଆଁ ଲାଗି ଯାଇଥିବା ସୂଚନା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରିୟାଦରୁ ଆସୁଥିବା ସାଉଦି ଏୟାରଲାଇନ୍ସର ଏକ ବିମାନ ଚକରେ ନିଆଁ ଲାଗି ଯାଇଥିଲା।

ସୂଚନା ଅନୁସାରେ, ଆଜି ପାକିସ୍ତାନର ପେଶୱାର ବିମାନ ବନ୍ଦରରେ ଅବତରଣ ସମୟରେ ସାଉଦି ଏୟାରଲାଇନ୍ସର ଏକ ବିମାନ ଚକରେ ନିଆଁ ଲାଗି ଯାଇଥିଲା। ବିମାନ ସେବା ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ, SV792 ବିମାନରେ ଏହି ଅଘଟଣ ଘଟିଛି।

ବିମାନଟି ରିୟାଦରୁ ପେଶୱାରକୁ ଉଡ଼ାଣ ଭରିଥିଲା। ପାକିସ୍ତାନର ପେଶୱାର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ହଠାତ୍ ଗୋଟିଏ ଟାୟାରରୁ ଧୂଆଁ ବାହାରିଥିଲା।

ବିମାନ ଟ୍ରାଫିକ ନିୟନ୍ତ୍ରକମାନେ ଏନେଇ ତୁରନ୍ତ ପାଇଲଟଙ୍କୁ ସତର୍କ କରାଇଥିଲେ। ଏଥିସହ ବିମାନବନ୍ଦରର ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମକୁ ମଧ୍ୟ ଜଣାଇଥିଲେ। ଫଳରେ ପାଇଲଟ ସତର୍କତା ପୂର୍ବକ ଅବତରଣ କରାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହାରି ମଧ୍ୟରେ ଜରୁରୀକାଳୀନ ଗେଟ୍ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏଥିରେ କେହି ମୃତାହାତ ହୋଇନାହାନ୍ତି।