ଅର୍ଦ୍ଧନଗ୍ନ ଅବସ୍ଥାରେ ଆମ୍ବେଦକରଙ୍କ ଫଟୋ ମୁଣ୍ଡାଇ ରାସ୍ତାରେ ବୁଲିଲେ ଛାତ୍ର

କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାର ଏକ ହଷ୍ଟେଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା।

ଅର୍ଦ୍ଧନଗ୍ନ ଅବସ୍ଥାରେ ଆମ୍ବେଦକରଙ୍କ ଫଟୋ ମୁଣ୍ଡାଇ ରାସ୍ତାରେ ବୁଲିଲେ ଛାତ୍ର

ଜଣେ ହଷ୍ଟେଲ ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରାଇ ରାସ୍ତାରେ ବୁଲାଇଲେ ଅନ୍ୟ ଅନ୍ତେବାସୀ। ଛାତ୍ର ଜଣକ ମୁଣ୍ଡରେ ବିଆର ଆମ୍ବେଦକରଙ୍କ ଫଟୋ ଥୋଇ ରାସ୍ତାରେ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଆମ୍ବେଦକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ର ଜଣକ ଯୋଗଦେବାକୁ ମନା କରିଥିବାରୁ ତାଙ୍କୁ ଏପରି ଦଣ୍ଡ ଦିଆଯାଇଥିବା କୁହାଯାଉଛି। କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାର ଏକ ହଷ୍ଟେଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ପ୍ରାୟ 15-20 ଜଣ ଛାତ୍ରଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ପୁଲିସ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଏହି ଅଷ୍ଟଲରେ ଛାତ୍ରମାନେ ଏକାଠି ହୋଇ ବିଆର ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭାର ଆୟୋଜନ କରିଥିଲେ। କିନ୍ତୁ ପୀଡିତ ଛାତ୍ର ଜଣକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଫଳରେ ଅନ୍ୟ ଛାତ୍ରମାନେ ତାଙ୍କୁ ଆକ୍ରମଣ କରିବା ସହ ଅର୍ଦ୍ଧନଗ୍ନ କରାଇ ରାସ୍ତାରେ ବୁଲାଇଛନ୍ତି। ଏପରିକି ତାଙ୍କୁ ମୁଣ୍ଡରେ ଆମ୍ବେଦକରଙ୍କ ଫଟୋ ବୋହିବାକୁ ମଧ୍ୟ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। 

ସମ୍ପୃକ୍ତ ଛାତ୍ରମାନଙ୍କ ବିରୁଦ୍ଧରେ ଧାରା 341, 323, 504, 505 (2) ଏବଂ 506  ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଦର୍ଶା ଯାଇଥିବା ସମସ୍ତ ଛାତ୍ର ନାବାଳକ। ଆଇନ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛ।