ଅଲୋଡ଼ା ହେଲା ଶିଶୁକନ୍ୟା; ବସ୍ ତଳୁ ଉଦ୍ଧାର
ଧବଳେଶ୍ୱର ନାମକ ଏକ ଘରୋଇ ବସର ଚକ ପାଖରେ ଶିଶୁକନ୍ୟାଟିକୁ କିଏ ଛାଡ଼ି ପଳାଇ ଯାଇଥିଲା।
ମରିଯାଉଛି ମଣିଷ ପଣିଆ। କେଉଁଠି ବ୍ରିଜ ତଳୁ ଶିଶୁକନ୍ୟା ଉଦ୍ଧାର କରାଯାଉଛି ତ ଆଉ କେଉଁଠିତ ବସର ଚକ ତଳେ ନବଜାତକୁ ଛାଡ଼ି ଚାଲିଯାଉଛି ମା’। ଏପରି ହୃଦୟ ବିଦାରକ ଘଟଣା ବିଭିନ୍ନ ଜିଲ୍ଲାରୁ ଆସୁଥିବା ବେଳେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଏକ ଘରୋଇ ବସ ତଳୁ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଶିଶୁଟିର ବୟସ ପ୍ରାୟ ୬ମାସ ହେବ।
ଚମ୍ପୁଆ ବସ ଷ୍ଟାଣ୍ଡରେ ଛିଡା ହୋଇରହିଥିବା ଧବଳେଶ୍ୱର ନାମକ ଏକ ଘରୋଇ ବସର ଚକ ପାଖରେ ଶିଶୁକନ୍ୟାଟିକୁ କିଏ ଛାଡ଼ି ପଳାଇ ଯାଇଥିଲା। ଗତ ରାତି ପ୍ରାୟ ୯ଟା ସମୟରେ ବସର ହେଲପର ଗାଡିର ଚକ ଗୁଡିକୁ ଯାଞ୍ଚ କରୁଥିବା ସମୟରେ ଚକ ତଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ କନ୍ୟାଟି ଥିବା ଦେଖିଥିଲେ।
ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶିଶୁକନ୍ୟାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏବେ ଶିଶୁକନ୍ୟାଟି ସୁସ୍ଥ ଥିବା ଚିକିତ୍ସାଧୀନ ଡାକ୍ତର କରିଛନ୍ତି। କିଏ ଓ କାହିଁକି ଏପରି ଅମାନବୀୟ କାର୍ଯ୍ୟ କଲା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।