ଅଶ୍ୱିନଙ୍କୁ ୫୦୦ଟି ସ୍ୱର୍ଣ୍ଣ ମୁଦ୍ରା ସାଙ୍ଗକୁ ଏକ କୋଟି ଟଙ୍କା ପୁରସ୍କାର

ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ) ପୁରସ୍କୃତ କରିଛି।

ଅଶ୍ୱିନଙ୍କୁ ୫୦୦ଟି ସ୍ୱର୍ଣ୍ଣ ମୁଦ୍ରା ସାଙ୍ଗକୁ ଏକ କୋଟି ଟଙ୍କା ପୁରସ୍କାର

ଭାରତୀୟ ଷ୍ଟାର ବୋଲର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମିଳିଛି ୫୦୦ ଗୋଲ୍ଡ କଏନ୍ ସାଙ୍ଗକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି। ଏକ କାର୍ଯ୍ୟକ୍ରମରେ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ) କ୍ରିକେଟର ଅଶ୍ୱିନଙ୍କୁ ୫୦୦ଟି ସ୍ୱର୍ଣ୍ଣ ମୁଦ୍ରା ସାଙ୍ଗକୁ ଏକ କୋଟି ଟଙ୍କା, ଏକ ସେଙ୍ଗୋଲ୍ ଏବଂ ଏକ ସ୍ୱତନ୍ତ୍ର ବ୍ଲେଜର ପ୍ରଦାନ କରିଛି।

ପୁରସ୍କାର ଗ୍ରହଣ କରିବା ସମୟରେ ଅଶ୍ୱିନଙ୍କ ସହ ତାଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ମଧ୍ୟ ଯୋଗ ଦେଇଥିଲେ। ସେ ମଞ୍ଚରେ ରହି ଅଶ୍ୱିନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ଅତୁଳନୀୟ ଅବଦାନ ପାଇଁ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କ୍ରିକେଟର ସମସ୍ତ ଫର୍ମାଟରେ ଦମଦାର ପ୍ରଦର୍ଶନ କରି ଆସୁଥିବା ଅଶ୍ୱିନ ନିକଟରେ କ୍ରିକେଟର ଲମ୍ବା ଫର୍ମାଟ ଟେଷ୍ଟ ସିରିଜରେ ଜାଦୁ ଦେଖାଇଥିଲେ। ବିଶେଷ କରି ରାଜକୋଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ ୫୦୦ ୱିକେଟ ନେଇ ଅଶ୍ୱିନ ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ପରିଚୟ ସୃଷ୍ଟି କରିଛନ୍ତି।

ଏହା ପରେ ଧର୍ମଶାଳାରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଅଶ୍ୱିନ ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ପୂରଣ କରିଛନ୍ତି। ୫୦୦ ୱିକେଟ ନେବାରେ ଅଶ୍ୱିନ ଦ୍ୱିତୀୟ ଭାରତୀୟ ବୋଲର୍ ଭାବେ କୃତ୍ତିତ୍ୱ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଏହି ରେକର୍ଡର ଭାଗିଦାରୀ ହୋଇଥିଲେ।

ସବୁଠୁ ବଡ଼ କଥା ହେଉଛି କି, କୁମ୍ବଲେ ୧୦୫ ମ୍ୟାଚ୍‌ରେ ୫୦୦ ୱିକେଟ ନେଇଥିଲେ। କିନ୍ତୁ ଅଶ୍ୱିନ ୯୭ଟି ମ୍ୟାଚ୍‌ରେ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇ ପାରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ନିଜ ରାଜ୍ୟ କ୍ରିକେଟ ଆସୋସିଏସନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।