ଅଷ୍ଟ୍ରେଲିଆ ଓପନର ପୁରୁଷ ଡବଲ୍ସ ଟାଇଟଲ ଜିତିଲେ ବୋପନ୍ନା, ପୁରସ୍କାର ବାବଦକୁ ପାଇଲେ କେତେ ଟଙ୍କା

ପୁରୁଷ ଡବଲ୍‌ସରେ ବୋପନ୍ନାଙ୍କର ଏହା ହେଉଛି ପ୍ରଥମ ଟାଇଟଲ।

ଅଷ୍ଟ୍ରେଲିଆ ଓପନର ପୁରୁଷ ଡବଲ୍ସ ଟାଇଟଲ ଜିତିଲେ ବୋପନ୍ନା, ପୁରସ୍କାର ବାବଦକୁ ପାଇଲେ କେତେ ଟଙ୍କା

୪୩ ବର୍ଷ ବୟସରେ କମାଲ କରିଛନ୍ତି ଭାରତର ଟେନିସ ଷ୍ଟାର ରୋହନ ବୋପନ୍ନା। ଜିତିଛନ୍ତି ଅଷ୍ଟ୍ରେଲିଆନ ଓପନର ପୁରୁଷ ଡବଲ୍ସ ଟାଇଟଲ। ଏହା ସହିତ ସବୁଠୁ ବୟସ୍କ ଖେଳାଳି ଭାବେ ପୁରୁଷ ଟେନିସ୍‌ରେ ଗ୍ରାଣ୍ଡ ସ୍ଲାମ ଜିତିବାର ରେକର୍ଡ ନିଜ ନାଁରେ କରିଛନ୍ତି ବୋପନ୍ନା। ଏହା ପୂର୍ବରୁ ୪୦ ବର୍ଷ ବୟସରେ ନେଦରଲ୍ୟାଣ୍ଡସର ଜିଁ ଜୁଲିଆନ ରୋଜର ୨୦୨୨ରେ ଫ୍ରେଞ୍ଚ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଥିଲେ।

ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କୁ ସାଥୀ କରି ଏଥର ଅଷ୍ଟ୍ରେଲିଆନ ଓପନ ଖେଳିଥିବା ରୋହନ ବୋପନ୍ନା ଗତକାଲି ପୁରୁଷ ଡବଲ୍ସର ଫାଇନାଲରେ ଇଟାଲୀର ସିମୋନ ବୋଲେଲି ଓ ଆନ୍ଦ୍ରେ ବାବାସୋରୀଙ୍କୁ ୭-୬, ୭-୫ରେ ପରାସ୍ତ କରିଥିଲେ।

ଏକ ଟିମ୍‌ ଭାବେ ମାଥ୍ୟୁ ଏବଡେନ ଓ ରୋହନ ବୋପନ୍ନାଙ୍କର ଏହା ହେଉଛି ପ୍ରଥମ ଟାଇଟଲ। ସେହିପରି ପୁରୁଷ ଡବଲ୍‌ସରେ ବୋପନ୍ନାଙ୍କର ଏହା ହେଉଛି ପ୍ରଥମ ଟାଇଟଲ। ଗ୍ରାଣ୍ଡ ସ୍ଲାମରେ ପୁରୁଷ ଡବଲ୍ସରେ ୬୦ଟି ମ୍ୟାଚ୍ ଖେଳିବା ପରେ ତାଙ୍କୁ ଏହି ସଫଳତା ମିଳିଛି। 

ଗତକାଲି ଅଷ୍ଟ୍ରେଲିଆନ ଓପନରେ ପୁରୁଷ ଡବଲ୍ସ ଟାଇଟଲ ଜିତିବା ପରେ ରୋହନ ବୋପନ୍ନା ଓ ମାଥ୍ୟୁ ଏବଡେନଙ୍କୁ ପୁରସ୍କାର ବାବଦକୁ ଟ୍ରଫି ସହିତ ୭୩୦,୦୦୦ ଅଷ୍ଟ୍ରେଲୀୟ ଡଲାର ପ୍ରଦାନ କରାଯାଇଥିଲା। ସେମାନେ ପାଇଥିବା ପୁରସ୍କାର ରାଶିର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୩ କୋଟି ୯୮ ଲକ୍ଷ ଟଙ୍କା ହେବ। ଅର୍ଥାତ୍ ଏହାକୁ ଦୁଇ ଭାଗ କଲେ ଉଭୟ ୧ କୋଟି ୯୯ ଲକ୍ଷ ଟଙ୍କା ଲେଖାଏଁ ପାଇବେ।