ଅସରାଏ ବର୍ଷାରେ କୃଷକ ବଜାରରେ ଆଣ୍ଠୁଏ ପାଣି
ଜଗତ୍ସିଂହପୁର, ୧୩ା୫(ପ୍ରମୋଦ କୁମାର ନାୟକ): ସ୍ବାଧୀନତାର ୭୭ ବର୍ଷ ପରେ ବି ଜଗତ୍ସିଂହପୁର ଜିଲା ମୁଖ୍ୟାଳୟରେ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଯେଉଁ ସମସ୍ୟା ଥିଲା ତାହା ଦୂରହେବା ତ ଦୂରର କଥା ବରଂ ଦିନକୁ ଦିନ ନୂଆ ନୂଆ ସମସ୍ୟା ସୃଷ୍ଟିକରୁଛି। ବିଭାଗୀୟ ଅପାରଗତା, ଦୂରଦୃଷ୍ଟି ତଥା ଆନ୍ତରିକତାର ଅଭାବ ଯୋଗୁ ଏଭଳି ହେଉଥିବା ଆଲୋଚନା ହେଉଛି। ସ୍ଥାନୀୟ ହାଟବଜାରସ୍ଥିତ ଜଗତ୍ସିଂହପୁର-ଆଳିପିଙ୍ଗଳ ମୁଖ୍ୟରାସ୍ତା ପାର୍ଶ୍ୱ କୃଷକ ବଜାରରେ ଏହାର ଉଦାହରଣ ଦେଖିବାକୁ ମିଳିଛି। […] The post ଅସରାଏ ବର୍ଷାରେ କୃଷକ ବଜାରରେ ଆଣ୍ଠୁଏ ପାଣି appeared first on Dharitri Odia News.
ଜଗତ୍ସିଂହପୁର, ୧୩ା୫(ପ୍ରମୋଦ କୁମାର ନାୟକ): ସ୍ବାଧୀନତାର ୭୭ ବର୍ଷ ପରେ ବି ଜଗତ୍ସିଂହପୁର ଜିଲା ମୁଖ୍ୟାଳୟରେ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଯେଉଁ ସମସ୍ୟା ଥିଲା ତାହା ଦୂରହେବା ତ ଦୂରର କଥା ବରଂ ଦିନକୁ ଦିନ ନୂଆ ନୂଆ ସମସ୍ୟା ସୃଷ୍ଟିକରୁଛି। ବିଭାଗୀୟ ଅପାରଗତା, ଦୂରଦୃଷ୍ଟି ତଥା ଆନ୍ତରିକତାର ଅଭାବ ଯୋଗୁ ଏଭଳି ହେଉଥିବା ଆଲୋଚନା ହେଉଛି। ସ୍ଥାନୀୟ ହାଟବଜାରସ୍ଥିତ ଜଗତ୍ସିଂହପୁର-ଆଳିପିଙ୍ଗଳ ମୁଖ୍ୟରାସ୍ତା ପାର୍ଶ୍ୱ କୃଷକ ବଜାରରେ ଏହାର ଉଦାହରଣ ଦେଖିବାକୁ ମିଳିଛି।
ଶନିବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ କୃଷକ ବଜାର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। କାରଣ ରାସ୍ତାର ଗୋଟିଏ ପାର୍ଶ୍ୱରେ ଜଗତ୍ସିଂହପୁର ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସିି) ଦ୍ୱାରା ପରିଚାଳିତ ମାଛ, ମାଂସ ମାର୍କେଟ ଥିବାବେଳେ ଅପରପାର୍ଶ୍ୱରେ କୃଷକ ବଜାର ଅଛି। କିନ୍ତୁ ଉଭୟ ପାର୍ଶ୍ୱରୁ ଜଳ ନିଷ୍କାସନ ପାଇଁ ଜଗତ୍ସିଂହପୁର ଆର୍ଏମ୍ସିି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆର୍ଏମ୍ସି କୃଷକ ବଜାରରେ ଥିବା ପକ୍କାଘର ଏବଂ ମାଛ ମାର୍କେଟ ଆଦି ଭଡ଼ା ସୂତ୍ରରେ ଦେଇ ବେଶ୍ ଲାଭବାନ୍ ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ ସୁବିଧା କରୁନାହିଁ। ଯେଉଁ କାରଣରୁ ଅଦିନିଆ ବର୍ଷାରେ ବି ଏଭଳି ପରିବେଶ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଆର୍ଏମ୍ସି ଘର ତିଆରି ଓ ମରାମତି ଆଦିରେ ବହୁ ଅନୁଦାନ ଖର୍ଚ୍ଚ କରୁଛି। ଏହି କାମ ମଧ୍ୟ ନିମ୍ନମାନର ହେଉଛି। ଠିକାଦାର ଓ ଆର୍ଏମ୍ସି କର୍ତ୍ତୃପକ୍ଷ ସଲାସୁତୁରାରେ ଅର୍ଥ ଚଳୁ କରୁଛନ୍ତି। କିନ୍ତୁ ବିଲ୍ଡିଂ କିମ୍ବା ଅନ୍ୟ ଘର ନିର୍ମାଣ ପୂର୍ବରୁ ସୁଚିନ୍ତିତ ଯୋଜନା ହେଉଥିବା ପରିଲକ୍ଷିତ ହେଉନାହିଁ। ତାହା ହୋଇଥିଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟିହୋଇ ନ ଥାନ୍ତା। ମାଛ ଓ ମାଂସ ମାର୍କେଟ ବିଲ୍ଡିଂ ନିର୍ମାଣ ସମୟରେ ଡ୍ରେନେଜ ସୁବିଧା କରାଯାଇ ନ ଥିବାରୁ ଏହି ପରିସର ସବୁଦିନ ଅପରିଷ୍କାର ରହୁଛି। ଫଳରେ କୌଣସି ବ୍ୟକ୍ତି ଏହି ମାର୍କେଟ ଭିତରକୁ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରକ୍ତ ଓ ମଇଳାପାଣି ଜମି ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏପରି କି ଠାଏ ଠାଏ ମଶା, ମାଛି ଭଣ ଭଣ ହେଉଛନ୍ତି। ତା’ଭିତରେ ଲୋକେ ବାଧ୍ୟହୋଇ ମାଛ, ମାଂସ କିଣିବାକୁ ଯାଉଛନ୍ତି। ଏହି ସମସ୍ୟାର ସମାଧାନ ଏଯାଏ ହୋଇପାରି ନ ଥିବା ବେଳେ କୃଷକ ବଜାରରେ ଡ୍ରେନେଜ୍ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଦେଲାଣି। କୃଷକ ବଜାରରେ ଏକାଧିକ ଦୋକାନ ରହିଛି। ତା’ପାର୍ଶ୍ୱରେ ସୋମନାଥ ହାଟ ରହିଛି। ପ୍ରତ୍ୟହ ଏହି ହାଟରେ ଗହଳି ଲାଗିରୁହେ। ନିକଟରେ ମାଛ, ମାଂସ ମାର୍କେଟ ପାର୍ଶ୍ୱରେ ଆର୍ଏମ୍ସି ବାଲି ପୋତି ନୂଆ ଘର ନିର୍ମାଣ କରୁଛି। କିନ୍ତୁ କାମ ଆରମ୍ଭ ପୂର୍ବରୁ ଡ୍ରେନେଜ୍ ବ୍ୟବସ୍ଥା କରି ନ ଥିବାରୁ ଜଳ ନିଷ୍କାସନ ଠପ୍ ହୋଇଯାଇଛି। ଏବେ ଜମିରହିଥିବା ପଚାପାଣି ସଂକ୍ରମଣର କାରଣ ହେଲାଣି। ଆଉ ଦିନେ ଦୁଇଦିନ ମଧ୍ୟରେ ପରିସ୍ଥିତି ଅଧିକ ବିଗିଡ଼ିବା ସମ୍ଭାବନା ସୃଷ୍ଟିକରିଛି ବୋଲି ଏହି ବ୍ୟକ୍ତିମାନେ ଅଭିଯୋଗରେ କହିଛନ୍ତି। ଏ ସମ୍ପର୍କରେ ଆର୍ଏମ୍ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସଙ୍କୁ ପଚାରିବାରୁ ଡ୍ରେନେଜ୍ କରାଯିବ ବୋଲି ଚିନ୍ତା କରାଯାଇଛି। ମାତ୍ର ଏହା ପୂର୍ବରୁ ବର୍ଷା ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟିହୋଇଛି ବୋଲି କହି ନିଜର ଅସହାୟତା ପ୍ରକାଶ କରିଥିଲେ। ଅନୁରୂପ ଭାବେ ଜଗତ୍ସିଂହପୁର ସହରର ଏକାଧିକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ରହିଛି। ଆଗକୁ ବର୍ଷାଦିନ ଆସୁଥିବାରୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଯୁକ୍ତି କରାଯାଇଛି। ଜିଲାପାଳ ଏହା ଉପରେ ଦୃଷ୍ଟିଦେଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
The post ଅସରାଏ ବର୍ଷାରେ କୃଷକ ବଜାରରେ ଆଣ୍ଠୁଏ ପାଣି appeared first on Dharitri Odia News.