ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ, ରାଜ୍ୟରେ ୪୫ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ବର : ପ୍ରଚଣ୍ଡ ତାତି ସାଙ୍ଗକୁ ଝାଞ୍ଜି, ଗରମ, ଗୁଳୁଗୁଳିରେ କଲବଲ ସାରା ରାଜ୍ୟବାସୀ। ଦିନ ତ ଦିନ, ରାତିରେ ବି ପ୍ରଚଣ୍ଡ ଗରମରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଛି। ଶୁକ୍ରବାର ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଶନିବାର ତା’ଠୁ ବି ଟପିଯାଇଛି। ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ୪୫ ଡିଗ୍ରୀ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ୧୩ […]

ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ, ରାଜ୍ୟରେ ୪୫ ଡିଗ୍ରୀ ଟପିଲା ପାରଦ
Heat Wave in odisha : IMD issues orange warning

ଭୁବନେଶ୍ବର : ପ୍ରଚଣ୍ଡ ତାତି ସାଙ୍ଗକୁ ଝାଞ୍ଜି, ଗରମ, ଗୁଳୁଗୁଳିରେ କଲବଲ ସାରା ରାଜ୍ୟବାସୀ। ଦିନ ତ ଦିନ, ରାତିରେ ବି ପ୍ରଚଣ୍ଡ ଗରମରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଛି। ଶୁକ୍ରବାର ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଶନିବାର ତା’ଠୁ ବି ଟପିଯାଇଛି। ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ୪୫ ଡିଗ୍ରୀ ଅତିକ୍ରମ କରିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ୧୩ ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୩୦ ସହରରେ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ତେବେ ଆଜି ଶନିବାର ବୌଦ୍ଧ ଓ ବାରିପଦାର ତାପମାତ୍ରା ୪୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଗତକାଲି ୪୪.୩ ସହ ଦେଶର ଉତ୍ତପ୍ତ ସହର ଥିଲା ବୌଦ୍ଧ।

6a421287 3479 4929 9065 94b9c9aa8b9e

ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲିଠୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆସନ୍ତାକାଲି ଠାରୁ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରି ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି, ଯାହାରା ପ୍ରଭାବରେ ୨୧ ରୁ ୨୪ ଏପ୍ରିଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି।  ମାତ୍ର ଏପ୍ରିଲ୍‌ ୨୫ ପରେ ତାପମାତ୍ରା ପୁଣି ବୃଦ୍ଧି ପାଇ ମାସ ଶେଷ ବେଳକୁ ୪୬ ଡିଗ୍ରୀ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟର ଉତ୍ତର ଆଭ୍ୟନ୍ତରର ବାରିପଦାରୁ ଝାରସୁଗୁଡ଼ା, କେନ୍ଦ୍ରୀୟ ଓଡ଼ିଶାର ଅନୁଗୁଳରୁ ବୌଦ୍ଧ, ଦକ୍ଷିଣ ଆଭ୍ୟନ୍ତରୀଣର ପାରଳାଖେମୁଣ୍ଡି, ରାୟଗଡ଼ା, ମାଲକାନଗିିରି ଓ ଆଭ୍ୟନ୍ତର ଗଞ୍ଜାମରେ ଅନେକ ସ୍ଥାନରେ ମାସ ଶେଷ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ। ଉପକୂଳରେ ପୁରୀଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଆସନ୍ତା ୩ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୩ଡିଗ୍ରୀ କମ୍‌ ରହିପାରେ। ତେବେ ୨୫ରୁ ପୁଣି ସାମୁଦ୍ରିକ ଦକ୍ଷିଣା-ପୂର୍ବା ପବନ ହେତୁ ଆଂଶିକ ମେଘୁଆ ସହିତ ତାପମାତ୍ରା କମିବ। ଆସନ୍ତା ଏପ୍ରିଲ ୨୨ରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ସୋନପୁର, ସମ୍ବଲପୁର, ଭୁବନେଶ୍ୱର, ଖୋର୍ଦ୍ଧାରେ ଏହି ବର୍ଷା ହେତୁ ୨୨ରୁ ୨୪ ପର୍ଯ୍ୟନ୍ତ ତାପମାତ୍ରା କିଛି କମି ୪୦ ଡିଗ୍ରୀ ପାଖାପାଖି ରହିବ। ଏପ୍ରିଲ ୨୫ରୁ ସାରା ରାଜ୍ୟରେ ତାପମାତ୍ରା ଖୁବ୍‌ ବଢ଼ିବ। ଭୁବନେଶ୍ୱର ଅନୁଗୁଳ, ଝାରସୁଗୁଡ଼ା, ରାୟଗଡ଼ା ଆଦି କେତେକ ସ୍ଥାନରେ ତାପମାତ୍ରା ଏହି ସମୟରେ ୪୬ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ସୋଆ ପରିଚାଳିତ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ। ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏପ୍ରିଲ୍‌ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। ତେବେ ଏପ୍ରିଲ୍‌ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍‌ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡଃ ସାହୁ କହିଛନ୍ତି।