ଆଇପିଏଲ୍ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସରେ ପାର୍ଥିବ ପଟେଲ୍

ଗୁଜରାଟ ଟାଇଟନ୍ସରେ ଯୋଗଦେଲେ ଭାରତୀୟ ଦଳର ପୂର୍ବତନ ୱିକେଟ କିପର ବ୍ୟାଟର ପାର୍ଥିବ ପଟେଲ। ପାର୍ଥିବଙ୍କୁ ସହାୟକ ଓ ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତ କରିଛି ଗୁଜରାଟ।

ଆଇପିଏଲ୍ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସରେ ପାର୍ଥିବ ପଟେଲ୍

ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଗୁଜରାଟ ଟାଇଟନ୍ସ। ଭାରତୀୟ ଦଳର ପୂର୍ବତନ ୱିକେଟ କିପର ବ୍ୟାଟର ପାର୍ଥିବ ପଟେଲଙ୍କୁ ଦଳ ବ୍ୟାଟିଂ କୋଚ୍ ଓ ସହାୟକ କୋଚ୍ ଭାବରେ ନିଯୁକ୍ତ କରିଛି। ଘରୋଇ କ୍ରିକେଟରେ ପ୍ରତିଭା ନିରୀକ୍ଷଣରେ ପାର୍ଥିବ ପଟେଲଙ୍କ ବେଶ ଅଭିଜ୍ଞତା ରହିଛି। ମେଗା ଅକ୍ସନ ପୂର୍ବରୁ ତାଙ୍କର ଯୋଗଦାନ ୨୦୨୨ ଚାମ୍ପିୟନ ଦଳ ପାଇଁ ବେଶ ଲାଭଦାୟକ ହେବ ବୋଲି କୁହାଯାଉଛି।

ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଗୁଜରାଟ ଟାଇଟନ୍ସ କହିଛି ଯେ, ୧୭ ବର୍ଷର ଦମଦାର କ୍ରିକେଟ କ୍ୟାରିୟର ସହିତ ପୂର୍ବତନ ଭାରତୀୟ ୱିକେଟ କିପର ବ୍ୟାଟର ପାର୍ଥିବ ପଟେଲ ଏବେ ଆମ ଦଳକୁ ନିଜର ଅନୁଭବ ବାଣ୍ଟିବେ। ସେ ଦଳର ସହାୟକ କୋଚ ସହିତ ବ୍ୟାଟିଂ କୋଚ ଦାୟିତ୍ୱ ତୁଲାଇବେ। ୨୦୨୨ ଆଇପିଏଲରେ ଡେବ୍ୟୁ ସିଜିନରେ ଚାମ୍ପିୟନ ହୋଇଥିଲା ଗୁଜରାଟ ଟାଇଟନ୍ସ। ଏଥର ଦଳ ମେଗା ଅକ୍ସନରେ ପାର୍ଥିବଙ୍କ ଅଭିଜ୍ଞତାକୁ ବ୍ୟବହାର କରି ଭଲ ଖେଳାଳି କିଣିବାକୁ ଲକ୍ଷ୍ୟ ରଖିଛି।

ଗୁଜରାଟ ଟାଇଟନ୍ସ ଦଳରେ ପୂର୍ବତନ ବ୍ୟାଟିଂ କୋଚ୍ ଗ୍ୟାରୀ କିର୍ଷ୍ଟନଙ୍କ ସ୍ଥାନ ନେଇଛନ୍ତି ପାର୍ଥିବ ପଟେଲ। ଗତ ସିଜିନ ପରେ ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ ଗୁଜରାଟ ଦଳ ଛାଡ଼ି ପାକିସ୍ତାନ ଦଳର ମୁଖ୍ୟ କୋଚ୍ ଭାବେ ଯୋଗ ଦେଇଥିଲେ। ଗୁଜରାଟ ଟାଇଟନ୍ସରେ ତାଙ୍କ ସ୍ଥାନ ନେଇଥିବା ପାର୍ଥିବ ପଟେଲଙ୍କର ପ୍ରଶିକ୍ଷକ ଭୂମିକାରେ ମଧ୍ୟ ବେଶ ଅଭିଜ୍ଞତା ରହିଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ମଧ୍ୟ ସେ କୋଚିଂ ଷ୍ଟାଫ ସହ କାମ କରିଛନ୍ତି।