ଆଇଫୋନ୍‌ ନିରୂପଣ କରୁଛି ମୁଖଗହ୍ବର କର୍କଟ 

ଲଣ୍ଡନ: ଆଇଫୋନ୍‌ ମାଧ୍ୟମରେ ନିରୂପଣ ହେଉଛି ମୁଖ ଗହ୍ବର କର୍କଟ। ଶୀଘ୍ର ରୋଗ ଚିହ୍ନଟ ଫଳରେ ଯଥାଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରୁଛି। ଏଥିସହ ସମୟ ଓ ସମ୍ବଳ ମଧ୍ୟ ବଞ୍ଚାଯାଇପାରୁଛି। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଥିବା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍‌ଏଚଏସ୍‌) ଦାବି କରିଛି। ବ୍ରିଟେନ୍‌ର ଏନ୍‌ଏଚଏସ୍‌ ଶନିବାର ଦାବି କରିଛି ଯେ, ଏହାର କେତେକ ଡାକ୍ତରଖାନାରେ ମୁଖ ଗହ୍ବର କର୍କଟରେ ପିଡ଼ୀତ ନେଇ ସନ୍ଦୀଗ୍ଧ ରୋଗୀଙ୍କ ରୋଗ ନିରୂପଣ ନୂତନ ଆଇଫୋନ୍‌ […]

ଆଇଫୋନ୍‌ ନିରୂପଣ କରୁଛି ମୁଖଗହ୍ବର କର୍କଟ 

ଲଣ୍ଡନ: ଆଇଫୋନ୍‌ ମାଧ୍ୟମରେ ନିରୂପଣ ହେଉଛି ମୁଖ ଗହ୍ବର କର୍କଟ। ଶୀଘ୍ର ରୋଗ ଚିହ୍ନଟ ଫଳରେ ଯଥାଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରୁଛି। ଏଥିସହ ସମୟ ଓ ସମ୍ବଳ ମଧ୍ୟ ବଞ୍ଚାଯାଇପାରୁଛି। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଥିବା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍‌ଏଚଏସ୍‌) ଦାବି କରିଛି।

ବ୍ରିଟେନ୍‌ର ଏନ୍‌ଏଚଏସ୍‌ ଶନିବାର ଦାବି କରିଛି ଯେ, ଏହାର କେତେକ ଡାକ୍ତରଖାନାରେ ମୁଖ ଗହ୍ବର କର୍କଟରେ ପିଡ଼ୀତ ନେଇ ସନ୍ଦୀଗ୍ଧ ରୋଗୀଙ୍କ ରୋଗ ନିରୂପଣ ନୂତନ ଆଇଫୋନ୍‌ ଡିଭାଇସ୍‌ ଓ ଆପ୍‌ ମାଧ୍ୟମରେ କରାଯାଇଛି। ୩୨ ଏମ୍‌ଏମ୍‌ ଲେନ୍ସ ଏବଂ ତା’ ସହିତ ଥିବା ଆପ୍ ପ୍ରଦାନ କରୁଥିବା ଅଭିନବ ଆଡାପ୍ଟର ଆଇଫୋନକୁ ଏକ ପୋର୍ଟେବଲ୍ ଡାଇଗ୍ନୋଷ୍ଟିକ୍ ଉପକରଣରେ ପରିଣତ କରିପାରିବ ଯାହା ନର୍ସଙ୍କ ଦ୍ୱାରା ମୁଖ ଗହ୍ବର କର୍କଟ ଚିହ୍ନଟ ପାଇଁ ବ୍ୟବହୃତ ହୋଇପାରିବ।

ଏହି ଉପକରଣ ଉଚ୍ଚ ମାନ(ଏଚ୍‌ଡି)ରେ ଗଳାର ଏଣ୍ଡୋସ୍କପି ପରୀକ୍ଷଣ କରି ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଚିତ୍ର ପଠାଇଥାଏ। ବିଶେଷଜ୍ଞ ଉକ୍ତ ଚଳଚ୍ଚିତ୍ରର ସମୀକ୍ଷା କରି କର୍କଟ ରୋଗ ହୋଇଥିଲେ ଶୀଘ୍ର ଚିହ୍ନଟ କରିପାରନ୍ତି। ତେଣୁ କର୍କଟ ରୋଗ ହୋଇଥିବା ଶୀଘ୍ର ଜଣାପଡ଼ିଲେ ଚିକିତ୍ସା ମଧ୍ୟ ଯଥାଶୀଘ୍ର ଆରମ୍ଭ ହୋଇପାରିବ। ଫଳରେ ରୋଗୀଙ୍କ ସୁସ୍ଥ ହେବା ଆଶା ବଢ଼ିଯାଇଥାଏ। ଏହି ରୋଗ ଶୀଘ୍ର ନିରୂପଣ ହେବା ଓ ତଦ୍‌ଅନୁଯାୟୀ ଯଥାଶୀଘ୍ର ଚିକିତ୍ସା ଆରମ୍ଭ କରିବା ଉଭୟ ରୋଗୀ ଓ ସେମାନଙ୍କ ପରିବାର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏନ୍‌ଏଚଏସ୍‌ ଇଂଲଣ୍ଡର ଜାତୀୟ କର୍କଟ ନିର୍ଦେଶକ ଡ. କାଲି ପାଲମେର।

ଇଂଲଣ୍ଡର ଉତ୍ତର ମିଡ଼ଲାଣ୍ଡସ୍ ୟୁନିଭର୍ସିଟି ହସ୍ପିଟାଲ୍ ଏନ୍‌ଏଚଏସ୍‌ ଟ୍ରଷ୍ଟରେ କମ୍‌ ବିପଦ ଥିବା ରୋଗୀଙ୍କ ଉପରେ ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହି ଉପକରଣ ମାଧ୍ୟମରେ ରୋଗ ନିରୂପଣ ଶତ ପ୍ରତିଶତ ହୋଇପାରିଛି ଓ ୨୩ ଘଣ୍ଟା ମଧ୍ୟରେ ପରୀକ୍ଷା ଫଳ ଜଣାପଡ଼ୁଛି। ଫଳରେ ଡାକ୍ତରଖାନାରେ ରୋଗ ନିରୂପଣ ସମୟ ବଞ୍ଚିବା ସହ ଶୀଘ୍ର ଚିକିତ୍ସା ଆରମ୍ଭ ହୋଇପାରିବ। ଏପର୍ଯ୍ୟନ୍ତ ୧୮ ଶହରୁ ଅଧିକ ରୋଗୀଙ୍କର ଆଇଫୋନ୍‌ ମାଧ୍ୟମରେ ପରୀକ୍ଷଣ କରାଯାଇ ସେମାନେ କର୍କଟ ରୋଗରେ ପୀଡ଼ିତ ହୋଇ ନ ଥିବା ସୂଚନା ଦିଆଯାଇଛି।

ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ କରୀନ୍ ସ୍ମିଥ୍ କହିଛନ୍ତି ଯେ ଏହି ନୂତନ ଅନୁସନ୍ଧାନ ଫଳରେ ରୋଗ ନିରୂପଣ ପ୍ରତୀକ୍ଷା ତାଲିକା କମିବା ସହ ରୋଗ ନିରାକରଣ ତ୍ବରାନ୍ବିତ କରାଯାଇପାରିଛି ବୋଲି କହିଛନ୍ତି। ଏଥିସହ କମ୍‌ ବିପଦ ଥିବା କର୍କଟ ରୋଗୀଙ୍କ ଚିହ୍ନଟ ପରେ ସେମାନଙ୍କ ଚିକିତ୍ସା କରାଯାଇ କର୍କଟ ମୁକ୍ତ କରାଯାଇପାରିଛି। ପଶ୍ଚିମ ମିଡ଼ଲାଣ୍ଡସ୍‌ସ୍ଥିତ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ସଂସ୍ଥା ‘ଏଣ୍ଡୋସ୍କୋପ୍‌-ଆଇ ଲିମିଟେଡ’ ଏହି ଉପକରଣ ବିକଶିତ କରିଛି। ଚିକିତ୍ସା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇପାରିଛି।