ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଭାରତକୁ ହଟାଇ ୧ନଂରେ ଅଷ୍ଟ୍ରେଲିଆ

ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ହରାଇଥିଲେ ହେଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଭାରତକୁ ହଟାଇ ୧ନଂରେ ଅଷ୍ଟ୍ରେଲିଆ

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ବଡ଼ ସଫଳତା ମିଳିଛି। ଦଳ ଏବେ ବିଶ୍ୱ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଭାରତକୁ ତଳକୁ ଠେଲି କଙ୍ଗାରୁ ଟିମ ଶୀର୍ଷ ସ୍ଥାନ ଦଖଲ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ଜିତି ନେଇଛି। ଏଥିସହ ତୃତୀୟ ଟେଷ୍ଟରେ ମଧ୍ୟ କଙ୍ଗାରୁ ଟିମ ଟପ୍‌ରେ ରହିଛି।

ପାକିସ୍ତାନ ବିପକ୍ଷ ସିରିଜକୁ ଜିତିବା ପରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତ କେପ ଟାଉନ ଟେଷ୍ଟକୁ ୭ ୱିକେଟରେ ଜିତିଥିଲେ ହେଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ୧-୧ରେ ଶେଷ ହୋଇଛି।

ସିରିଜ ଡ୍ର ରହିବାରୁ ଏହାର ଫାଇଦା ଅଷ୍ଟ୍ରେଲିଆକୁ ମିଳିଛି। ଭାରତ ଗୋଟିଏ ପଏଣ୍ଟ ହରାଇଥିବା ବେଳେ ଅଷ୍ଟ୍ରେଲିଆ ୧୧୮ ପଏଣ୍ଟ ସହ ଶୀର୍ଷରେ ପହଞ୍ଚି ଯାଇଛି। ୧୧୭ ପଏଣ୍ଟ ସହ ଭାରତ ଦ୍ୱିତୀୟକୁ ଖସିଛି। ତୃତୀୟ ସ୍ଥାନରେ ଇଂଲଣ୍ଡ, ୪ର୍ଥରେ ଦକ୍ଷିଣ ଆଫ୍ରିକା, ୫ମରେ ନ୍ୟୁଜିଲ୍ୟାଣ୍ଡ, ୬ଷ୍ଠରେ ପାକିସ୍ତାନ, ୭ମରେ ଶ୍ରୀଲଙ୍କା, ୮ମରେ ୱେଷ୍ଟଇଣ୍ଡିଜ, ୯ମରେ ବାଂଲାଦେଶ ଓ ୧୦ମ ସ୍ଥାନରେ ଜିମ୍ବାୱେ ରହିଛନ୍ତି।

ପାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛି। ନିକଟରେ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମିଳିଥିଲା। ସେହିପରି ଘରୋଇ ସିରିଜରେ ମଧ୍ୟ ଦଳ କମାଲ କରିଛି। କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁ ଏବେ ଅଷ୍ଟ୍ରେଲିଆ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ହରାଇଥିଲେ ହେଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। କେପଟାଉନରେ ଦମଦାର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ୨୦୨୩-୨୫ର ପଏଣ୍ଟ ଟେବୁଲର ୧ନଂ ସ୍ଥାନ ଭାରତ ଦଖଲ କରିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନକୁ ଖସିଛି।