ଆଉ ଜଣେ ଆପ୍‌ ନେତା କୈଳାଶ ଗେହଲଟ EDରେ ହାଜର !

ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।

ଆଉ ଜଣେ ଆପ୍‌ ନେତା କୈଳାଶ ଗେହଲଟ EDରେ ହାଜର !

ପୁଣି ଇଡିରେ ହାଜର ହେଲେ ଆଉ ଜଣେ ଆପ୍‌ ନେତା । EDରୁ ସମନ ପାଇବା ପରେ ଆଜି ଇଡି ଅଫିସ୍‌ରେ ହାଜର ହୋଇଛନ୍ତି, ଦିଲ୍ଲୀ ପରିବହନ ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା କୈଳାଶ ଗେହଲଟ । ମଦ ନୀତି ମାମଲାରେ ଇଡି ତାଙ୍କୁ ସମନ କରିଥିଲା । ଆଉ ଆଜି ସେ ଜେରା ପାଇଁ ଇଡି ଅଫିସ୍‌ରେ ହାଜର ହୋଇଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ନାଜାଫଗଡର ବିଧାୟକ ଥିବା ଗେହଲଟ ମଦ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ଏକ ପ୍ୟାନେଲର ଅଂଶ ଥିଲେ। ED ଦାବି କରିଛି ଯେ ମଦ ନୀତି ପ୍ରସ୍ତୁତ ହେଉଥିବାବେଳେ ଗେହଲଟ ସେତେବେଳେ ଆପ୍‌ର ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏହାପୂର୍ବରୁ, ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।

ଅନ୍ୟପଟେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଏପ୍ରିଲ ୧ ଯାଏଁ ବଢ଼ିଛି କେଜରିୱାଲଙ୍କ ରିମାଣ୍ଡ ଅବଧି। ୧ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଏପ୍ରିଲ ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। 

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଦୁର୍ନୀତି ସଂପର୍କରେ ଖୋଳତାଡ଼ ଚଳାଇଥିଲା। ପ୍ରଥମ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ କେଜରିୱାଲଙ୍କୁ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ କେଜରିୱାଲ କହିଥିଲେ ମୋତେ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି । ଜନତା ଏହାର ଉଚିତ ଜବାବ ଦେବେ।

ଅନ୍ୟପଟେ କେଜରିୱାଲଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ କେଜରିୱାଲ ଇସ୍ତଫା ଦେବା ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା।