ଆଉ ମିଳିବନି ୫ ଟଙ୍କାରେ ଯାତ୍ରା ସୁବିଧା, ମୁଖ୍ୟମନ୍ତ୍ରୀ ବସ୍ସେବାରେ ମା’ ଦେବେ ୩ ଗୁଣ ଦେୟ
ଭୁବନେଶ୍ୱର : ଓଡ଼ିଆ ପରିବାରରେ ମା’ମାନଙ୍କୁ ପରିବାରର ଲକ୍ଷ୍ମୀ ବୋଲି ବିବେଚନା କରାଯାଏ। ଏଥିପାଇଁ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ‘ଲକ୍ଷ୍ମୀ’ ବସ୍ ଯୋଜନା ପ୍ରଚଳନ କରିଥିଲେ ଏବଂ ଏଥିରେ ଯାତ୍ରା ନିମନ୍ତେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଦେୟ ଥିଲା ମାତ୍ର ୫ ଟଙ୍କା। ଅପହଞ୍ଚ ଇଲାକାରେ ଏହି ବସ୍ସେବା ଯୁଗାନ୍ତକାରୀ ପରିବର୍ତ୍ତନ ସୃଷ୍ଟି କରିଥିଲା। ମାତ୍ର ସରକାର ପରିବର୍ତ୍ତନ ପରେ ‘ଲକ୍ଷ୍ମୀ’ ବସ୍ ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ରଖାଯାଇଛି। ମାତ୍ର […]

ଭୁବନେଶ୍ୱର : ଓଡ଼ିଆ ପରିବାରରେ ମା’ମାନଙ୍କୁ ପରିବାରର ଲକ୍ଷ୍ମୀ ବୋଲି ବିବେଚନା କରାଯାଏ। ଏଥିପାଇଁ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ‘ଲକ୍ଷ୍ମୀ’ ବସ୍ ଯୋଜନା ପ୍ରଚଳନ କରିଥିଲେ ଏବଂ ଏଥିରେ ଯାତ୍ରା ନିମନ୍ତେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଦେୟ ଥିଲା ମାତ୍ର ୫ ଟଙ୍କା। ଅପହଞ୍ଚ ଇଲାକାରେ ଏହି ବସ୍ସେବା ଯୁଗାନ୍ତକାରୀ ପରିବର୍ତ୍ତନ ସୃଷ୍ଟି କରିଥିଲା। ମାତ୍ର ସରକାର ପରିବର୍ତ୍ତନ ପରେ ‘ଲକ୍ଷ୍ମୀ’ ବସ୍ ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ରଖାଯାଇଛି। ମାତ୍ର ବିଡ଼ମ୍ବନା ହେଉଛି ପୂର୍ବରୁ ଏହି ବସ୍ରେ ଯାତ୍ରା ପାଇଁ ଧାର୍ଯ୍ୟ ୫ ଟଙ୍କା ଭଡ଼ାକୁ ପରିବର୍ତ୍ତନ ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ପୂର୍ବପରି ଆଉ ମହିଳା, ମିଶନଶକ୍ତି ସଦସ୍ୟା, ଛାତ୍ରଛାତ୍ରୀଙ୍କୁ ଏହି ବସ୍ରେ ଯାତ୍ରା ପାଇଁ ଆଉ ୫ଟଙ୍କା ନୁହେଁ, ଅଧିକ ଅର୍ଥ ପଇଠ କରିବାକୁ ପଡ଼ିବ ।
ଗତ କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବାର ଅବଧି ୨୦୩୨-୩୩ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଏଥିରେ ମହିଳା, ଦିବ୍ୟାଙ୍ଗ ଓ କିନ୍ନର ଓ ବରିଷ୍ଠ ନାଗରିକମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ ବୋଲି ଘୋଷଣା କରିଛନ୍ତି। ଅର୍ଥାତ୍ ଯାତ୍ରୀ ଭଡ଼ାର ଅର୍ଦ୍ଧେକ ଅର୍ଥ ମହିଳାଙ୍କୁ ବହନ କରିବାକୁ ପଡ଼ିବ। ସାଧାରଣ ବସ୍ରେ ଗୋଟିଏ କିମି ପିଛା ସର୍ବନିମ୍ନ ଟଙ୍କାଟିଏ ଭଡ଼ା ହେଲେ ମଧ୍ୟ ୩୦ କିମି ରାସ୍ତାକୁ ଭଡ଼ା ୩୦ ଟଙ୍କା ହେବ। ଏହି କ୍ରମରେ ପଞ୍ଚାୟତରୁ ୩୦ କିମି ବ୍ଲକ୍ ଦୂରତା ଥିଲେ ମହିଳାମାନଙ୍କୁ ୩୦ ଟଙ୍କା ଅଧା ୧୫ ଟଙ୍କା ଦେବାକୁ ପଡ଼ିବ। ଯାହାକି ପୂର୍ବ ୫ ଟଙ୍କା ତୁଳନାରେ ୩ ଗୁଣା ଅଧିକ ରହିବ।
ସେହିପରି ଜିଲ୍ଲା ସ୍ତରରେ ଯାତ୍ରାର ଭଡ଼ା ଆହୁରି ଅଧିକ ବଢ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ମୁଖ୍ୟାଳୟ ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ନାମରେ ଅକାଂକ୍ଷୀ ଯୋଜନା ହାତକୁ ନେଇଥିଲେ। ୨୦୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ଓ ବ୍ଲକରୁ ଜିଲ୍ଲାକୁ ବସ୍ ସେବା ବ୍ୟବସ୍ଥା ହୋଇଥିଲା। ଏହି ସେବା ଦ୍ୱାରା ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଯାତ୍ରୀ ଉପକୃତ ହୋଇ ଆସୁଛନ୍ତି। ଆନ୍ତଃ ବ୍ଲକ୍ ଏବଂ ବ୍ଲକ୍ରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳ ଆରମ୍ଭ ହୋଇଥିବାରୁ କୃଷକ, ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ, ସାଧାରଣ ଲୋକେ ବହୁ ସହଜରେ ଯାତାୟତ କରି ପାରୁଛନ୍ତି। ବିଶେଷକରି ମହିଳା ସଶକ୍ତୀକରଣ ଦିଗରେ ଏହା ବଡ଼ ପଦକ୍ଷେପ ସାଜିଛି। ରାଜ୍ୟର ସବୁ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ କାରବାର ବିସ୍ତାର କରୁଥିବା ବେଳେ ଉତ୍ତମ ଗମନାଗମନ ବ୍ୟବସ୍ଥା ସୁନିଶ୍ଚିତ ଲକ୍ଷ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବା ଆରମ୍ଭ କରିଥିଲେ। ଏବେ ଏହି ଯୋଜନାର ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଗଲା ଭଳି ସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପଟେ ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁ ଜିଲ୍ଲାକୁ ବିସ୍ତାର ହୋଇପାରି ନାହିଁ। ଏହି ବସ ଗୁଡ଼ିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବାର ଯୋଜନା ରହିଥିଲା। ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ମହିଳାମାନଙ୍କ ପାଇଁ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିଥିଲା। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଏହି ଯୋଜନାରେ ଚଳାଚଳ କରିବାର ଯୋଜନା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ସବୁ ଜିଲ୍ଲାରୁ ଆରମ୍ଭ ହୋଇପାରି ନାହିଁ।