ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ଦେଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା ସମେତ ଚାନ୍ଦବାଲି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି।

ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ଦେଖିଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ଦାନା’ ପ୍ରଭାବରେ ଉଜୁଡ଼ିଛି ଚାଷ ଜମି। ଭାଙ୍ଗିଛି ଘରଦ୍ୱାର। ରାସ୍ତାରେ ଭାଙ୍ଗି ପଡ଼ିଛି ବଡ଼ବଡ଼ ଗଛ ଓ ବିଦ୍ୟୁତ ଖଣ୍ଟ। ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଛି। ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା ‘ଦାନା’। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା ସମେତ ଚାନ୍ଦବାଲି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିଛନ୍ତି।

ଆକାଶମାର୍ଗରୁ ବୁଲି ଦେଖିବା ପରେ ବିଭିନ୍ନ ବିଭାଗକୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।