ଆକାଶରୁ ନିଆଁ ବର୍ଷା : ୪୪ ଡ଼ିଗ୍ରୀ ଉପରେ ୧୫ ସହର, ବାରିପଦାରେ ୪୬.୪

ଭୁବନେଶ୍ବର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି। କାନ୍ଥ, ଛାତ, ଶେଯ ସବୁ ତାତି ଯାଉଛି। ଫ୍ୟାନ୍‌ ତ ଦୂରର କଥା, କୁଲର୍‌ ବି କାମ କରୁନି। ନିଆଁ ହୁଳା ଭଳି ସେଥିରୁ ବାହାରୁଥିବା ଗମଗମ ପବନ ଦେହମୁଣ୍ଡକୁ ଅଥୟ କରିପକାଉଛି। ତେଣୁ ଶାନ୍ତିରେ ନା ବସି ହେଉଛି ନା ଟିକିଏ ଶୋଇ ହେଉଛି। ଏଭଳି ସ୍ଥିତି ଆଜିବି ପୂରା ରାଜ୍ୟବାସୀଙ୍କୁ ନାକରେ […]

ଆକାଶରୁ ନିଆଁ ବର୍ଷା : ୪୪ ଡ଼ିଗ୍ରୀ ଉପରେ ୧୫ ସହର, ବାରିପଦାରେ ୪୬.୪
Severe Heatwave In Odisha, 15 places in Odisha record temperatures of 44 and more

ଭୁବନେଶ୍ବର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି। କାନ୍ଥ, ଛାତ, ଶେଯ ସବୁ ତାତି ଯାଉଛି। ଫ୍ୟାନ୍‌ ତ ଦୂରର କଥା, କୁଲର୍‌ ବି କାମ କରୁନି। ନିଆଁ ହୁଳା ଭଳି ସେଥିରୁ ବାହାରୁଥିବା ଗମଗମ ପବନ ଦେହମୁଣ୍ଡକୁ ଅଥୟ କରିପକାଉଛି। ତେଣୁ ଶାନ୍ତିରେ ନା ବସି ହେଉଛି ନା ଟିକିଏ ଶୋଇ ହେଉଛି। ଏଭଳି ସ୍ଥିତି ଆଜିବି ପୂରା ରାଜ୍ୟବାସୀଙ୍କୁ ନାକରେ କନ୍ଦାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି, ଏଥି ସହିତ ରାଜ୍ୟର ୨୯ଟି ସହରରେ ତାପମାତ୍ରା ୪୨ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି।


ମଙ୍ଗଳବାର ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ବାରିପଦା । ଆଜି ବାରିପଦାର ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହା ପୂର୍ବରୁ ୨୦୧୦ରେ ବାରିପଦା ତାପମାତ୍ରା ରେକର୍ଡ କରିଥିଲା। ୨୦୧୦ ଏପ୍ରିଲ ୨୧ରେ ବାରିପଦା ତାପମାତ୍ରା ଥିଲା ୪୬.୧। ଏଥି ସହିତ ଆଜି  ବାଲେଶ୍ୱରରେ ୪୬ ଡ଼ିଗ୍ରି ଏବଂ ଭୁବନେଶ୍ୱରରେ ତାପମାତ୍ରା ୪୫.୪ ଡ଼ିଗ୍ରି ଛୁଇଁଛି। କେବଳ ସେତିକି ନୁହେଁ  ଅନୁଗୁଳ ୪୪.୭, ତାଳଚେର ୪୪.୫ ଡିଗ୍ରୀ, ଢେଙ୍କାନାଳ ଓ  ଯାଜପୁର ୪୪.୫, ବୌଦ୍ଧ ୪୪.୩ ଡିଗ୍ରୀ, ଝାରସୁଗୁଡ଼ା, କଟକ ଓ କେନ୍ଦ୍ରାପଡ଼ା ୪୪.୨ ଡିଗ୍ରୀ , ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା, ଭଦ୍ରକ ୪୪ ଡିଗ୍ରୀ, ବଲାଙ୍ଗୀର ୪୩.୭, ଚାନ୍ଦବାଲି ୪୩.୬, ସମ୍ବଲପୁର ୪୩.୪ ଡିଗ୍ରୀ,ଭବାନୀପାଟଣା, ମାଲକାନଗିରି ଓ ରାଉରକେଲା ୪୩.୨ ଡିଗ୍ରୀ, ସୋନପୁର ୪୩.୧, କେନ୍ଦୁଝର ଓ ଖୋର୍ଦ୍ଧା ୪୩ ଡିଗ୍ରୀ ରେକର୍ଡ ହୋଇଛି।


ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆହୁରି ୩ ଦିନ ଆକାଶରୁ ଅଗ୍ନିବର୍ଷା ହେବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।