ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱରରୁ ତାଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଥିଲା।

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଜି ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଛି। ଅବସ୍ଥା ଗୁରୁତର ଥିବାରୁ ଗତ ଜୁଲାଇ ୨୦ ତାରିଖରେ ତାଙ୍କୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଥିଲା। ଭୁବନେଶ୍ୱରର ଏମ୍‌ସରୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ନିଆଯାଇଥିଲା। 

ଆସନ୍ତାକାଲି ଦିଲ୍ଲୀ ଏମ୍‌ସରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି। 

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରକାଶ କରିଛନ୍ତି। ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ଜୀବନ ବଞ୍ଚାଇ ପାରିନଥିବାରୁ ମୁଁ ଦୁଃଖିତ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ପିସିସି ସଭାପତି ଭକ୍ତ ଦାସଙ୍କ ଶୋକ ପ୍ରକାଶ କରିଛନ୍ତି। ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଘଟିଥିବା ହୃଦୟ ବିଦାରକ ଘଟଣାରେ ପୀଡ଼ିତା ଝିଅଟିର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବରେ ମର୍ମାହତ । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ତଥା ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ବଞ୍ଚାଯାଇ ପାରିଲାନାହିଁ । ଇଶ୍ୱର ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା।

‘ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ’

ଗତ ଜୁଲାଇ ୧୯ ତାରିଖ (ଶନିବାର)ରେ ପୀଡ଼ିତାଙ୍କ ଦେହରେ ଲାଗିଥିଲା ନିଆଁ। ଆଉ ଠିକ୍ ଦୁଇ ସପ୍ତାହ ପରେ ଆଜି ସେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ପରେ ଆଜି ଓଡ଼ିଶା ପୁଲିସ ଦେଇଛି ବଡ଼ ସୂଚନା। କହିଛି, ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।

ଉଦ୍ଧାର କରିଥିବା ବ୍ୟକ୍ତି କ’ଣ କହିଥିଲେ 

ସେଦିନ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ, ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ମୋ ଘର ଭିତରକୁ ଦୌଡ଼ି ଆସିଥିଲା। ତା’ ଦେହରେ ନିଆଁ ଲାଗିଥିବାରୁ ତୁରନ୍ତ ତା’ ଉପରେ ପାଣି ଢାଳି ଦେଇଥିଲି। ନିଆଁ ଲିଭାଇ ତାକୁ ପୋଷାକ ପିନ୍ଧାଇଥିଲି। ତା’ ଶରୀରର ବିଭିନ୍ନ ସ୍ଥାନ ପୋଡ଼ିଯାଇଛି। କାହାକୁ ବହି ଦେଇ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତା’ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ସେ କହିଥିଲା। ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିଲେ ବୋଲି ସେ କହିଥିଲେ। ସେମାନଙ୍କୁ ସେ ଚିହ୍ନି ନଥିବା କହିଥିଲେ।

ମା’ଙ୍କ ଏତଲାରେ କ’ଣ ଉଲ୍ଲେଖ ରହିଥିଲା

ବଳଙ୍ଗା ଥାନାରେ ପୀଡ଼ିତାଙ୍କ ମା’ ଏତଲା ଦେଇଥିଲେ। ସେ ସେଥିରେ ଉଲ୍ଲେଖ କରିଥିଲେ ଯେ ଦୁର୍ବୃତ୍ତମାନେ ତାଙ୍କ ଝିଅ ମୁହଁରେ ରୁମାଲ ପକାଇ ଅଚେତ କରି ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ। ଝିଅ ସେମାନଙ୍କ କବଳରୁ ଖସି ଆସି ତେରହଳ ଗାଁକୁ ପଳାଇ ଆସିଥିଲା। ୩ ଦୁର୍ବୃତ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଥିଲେ।

୭୫% ପୋଡ଼ିଯାଇଥିଲା 

ଗୁରୁତର ନାବାଳିକାଙ୍କୁ ସେଦିନ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୭୫% ପୋଡ଼ିଯାଇଥିଲା। ତାଙ୍କୁ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ଏୟାର ଲିଫ୍ଟ୍ କରାଯାଇଥିଲା। 

ସବୁ ଖର୍ଚ୍ଚ ସରକାର ବହନ କରିଥିଲେ

ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସାର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ। ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର ଠାରୁ ସବୁ ଖର୍ଚ୍ଚ ବହନ କରିଥିଲେ। ଦିଲ୍ଲୀ ବର୍ଣ୍ଣ ୟୁନିଟ୍‌ର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିଥିଲେ। ଏଥିସହ ସିଏମ୍‌ ରିଲିଫ ପାଣ୍ଠିରୁ ୬ ଲକ୍ଷ ମଞ୍ଜୁର କରାଯାଇଥିଲା।