ଆଜି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ସ୍କୁଲ ସହ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।
ମୟୂରଭଞ୍ଜ ଜିଲ୍ଲାରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ୍। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାକୁ ଦୃଷ୍ଟି ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ସ୍କୁଲ ସହ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଜିଲ୍ଲାକୁ ଆଜି ସକାଳ ସାଢ଼େ ୮ଟାରୁ ୧୫ ତାରିଖ ସାଢ଼େ ୮ଟା ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।