ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ ଭରିବେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କ ସମର୍ଥନ ଲାଗି ବିଜେଡି ଘୋଷଣା କରିଛି।

ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ ଭରିବେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କ ସମର୍ଥନ ଲାଗି ବିଜେଡି ଘୋଷଣା କରିଛି।

୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପ୍ରଥମେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ପରେ ସେ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲା। ଆଉ ବିଜେଡି ସମର୍ଥନରେ ହିଁ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହୋଇଥିଲେ।

ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। 

ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ସେହି ଚର୍ଚ୍ଚାର ଅନ୍ତ ଘଟିଥିବା ବେଳେ ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।