ଆଜି ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କ ନିକଟରେ ଲାଗିହେବ ସପ୍ତପୁରୀ ଭୋଗ

ପୁରୀ: ସପ୍ତପୁରୀ ଅମାବାସ୍ୟାରେ ମଙ୍ଗଳବାର ମହାପ୍ରଭୁଙ୍କୁ ସାତପୁରଦିଆ ସପ୍ତପୁରୀ ଲାଗି ହେବ। ଏଥିଲାଗି ସୋମବାର ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଛି। ଦ୍ୱିପ୍ରହର ଧୂପ ବଢ଼ିଲା ପରେ କୁମ୍ଭାର ବିଶୋଇ ସେବକମାନେ ବାଘମୁହାଁ ବାନ୍ଧି ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ। ଶ୍ରୀମନ୍ଦିର ଭିତର ବେଢ଼ାରେ ଗୋଟିଏ ଥର ବୁଲାଇ ଏହାକୁ ଅଚିନ୍ତା ପହଣ୍ଡି ରୋଷ ବେହେରଣଠାରେ ରଖିଥିଲେ। ସନ୍ଧ୍ୟାଧୂପ ବଢ଼ିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ […]

ଆଜି ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କ ନିକଟରେ ଲାଗିହେବ ସପ୍ତପୁରୀ ଭୋଗ
jai-JAGANNATH

ପୁରୀ: ସପ୍ତପୁରୀ ଅମାବାସ୍ୟାରେ ମଙ୍ଗଳବାର ମହାପ୍ରଭୁଙ୍କୁ ସାତପୁରଦିଆ ସପ୍ତପୁରୀ ଲାଗି ହେବ। ଏଥିଲାଗି ସୋମବାର ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଛି। ଦ୍ୱିପ୍ରହର ଧୂପ ବଢ଼ିଲା ପରେ କୁମ୍ଭାର ବିଶୋଇ ସେବକମାନେ ବାଘମୁହାଁ ବାନ୍ଧି ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ। ଶ୍ରୀମନ୍ଦିର ଭିତର ବେଢ଼ାରେ ଗୋଟିଏ ଥର ବୁଲାଇ ଏହାକୁ ଅଚିନ୍ତା ପହଣ୍ଡି ରୋଷ ବେହେରଣଠାରେ ରଖିଥିଲେ। ସନ୍ଧ୍ୟାଧୂପ ବଢ଼ିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀଙ୍କ ପୀଠକୁ ଯାଇ ଠାକୁରାଣୀଙ୍କୁ ଅର୍ପଣ କରିଥିଲେ। ଏହାପରେ ଦକ୍ଷିଣକାଳୀଙ୍କ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଅର୍ପଣ କରିଥିଲେ। ଉକ୍ତ ଆଜ୍ଞାମାଳ ରୋଷଘରେ ବିଜେ ହୋଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ମଙ୍ଗଳବାର ସାତପୁରୀ ରୋଷରେ ଏହି ତାଡ଼ରେ ସାତପୁରୀ ପିଠା ପ୍ରସ୍ତୁତ ହେବ। ସକାଳ ଧୂପରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି କରାଯିବ।

ମାଟିରେ ନିର୍ମିତ ସାତପୁରୀ ତାଡ଼ରେ ସାତପୁରୀ ପିଠା ପ୍ରସ୍ତୁତ ହୁଏ। କୁମ୍ଭାର ବିଶୋଇ ସେବକମାନେ ଏହାକୁ ତିଆରି କରିଥା’ନ୍ତି। ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦରକୁ ଆସିଥାଏ। ତିନୋଟିରେ ପିଠା ତିଆରି ହୁଏ। ମାଟିରେ ନିର୍ମିତ ହୋଇଥିବାରୁ କାଳେ ଭାଙ୍ଗିଯିବ ସେଥିପାଇଁ ଗୋଟିଏ ତାଡ଼ ଅଧିକ ଆସିଥାଏ।