ଆଜି ହେମନ୍ତଙ୍କୁ ଇଡି ଜେରା, ବଢ଼ିଲା ଗିରଫ ସମ୍ଭାବନା

ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ତେଣୁ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ।

ଆଜି ହେମନ୍ତଙ୍କୁ ଇଡି ଜେରା, ବଢ଼ିଲା ଗିରଫ ସମ୍ଭାବନା

ଝାଡଖଣ୍ଡରେ ଲାଗିରହିଛି ହାଇଡ୍ରାମା। ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଗତକାଲି ସେ ନିଖୋଜ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବଜେଟ ପାଇଁ ବ୍ୟସ୍ତ ଥିବା କହିଥିଲେ। ତେବେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିର ସମ୍ମୁଖୀନ ହୋଇପାରନ୍ତି ହେମନ୍ତ । ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଯାଇଛି।

ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇ ନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ତେଣୁ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ। ଗତ ୨୦ରେ ମଧ୍ୟ ରାଞ୍ଚି ସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି। ଆର୍ଥିକ ଅନିୟମିତତା ମାମଲାରେ ଯଦି ହେମନ୍ତ ସୋରେନ ଇଡି ଦ୍ବାରା ଗିରଫ ହୁଅନ୍ତି, ତେବେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାର ସବୁ ବନ୍ଦୋବସ୍ତ କରିଛନ୍ତି ବୋଲି କୁହାଯାଉଛି।

ତେବେ ହେମନ୍ତ ସୋରେନଙ୍କୁ ଜେରା କରିବା ପାଇଁ ଇଡି ଅଧିକାରୀ ଦିଲ୍ଲୀସ୍ଥିତ ବାସଭବନରେ ରେଡ କରିଥିଲେ। ସେଠାରେ ସେ ନଥିବା ଖବର ପାଇ ଆଉ ଏକ ଟିମ ରାଞ୍ଚିରେ ଚଢାଉ କରିଥିଲା। ସେଠାରେ ମଧ୍ୟ ତାଙ୍କୁ ପାଇନଥିଲେ ଅଧିକାରୀ। ଏହାପରେ ସେ ନିଖୋଜ ଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତାଙ୍କୁ ଧରିବା ପାଇଁ ଇଡି ଅଧିକାରୀମାନେ ଦିଲ୍ଲୀସ୍ଥିତ ବାସଭବନରେ ୧୩ଘଣ୍ଟା ରହିଥିଲେ। ହେମନ୍ତ ସୋରେନଙ୍କ ଘରୁ ୨ଟି ବିଏମଡବ୍ଲୁ କାର, ନଗଦ ୩୬ଲକ୍ଷ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।