ଆଣବିକ ଶକ୍ତି ମିଶନ

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ମସିହା ପାଇଁ ଉପସ୍ଥାପିତ ବଜେଟ୍‌ରେ ଆଣବିକ ଶକ୍ତି ମିଶନ ଗଠନ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ କୋଡ଼ିଏ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ମୁଖ୍ୟ ଲକ୍ଷ୍ୟ ମଧ୍ୟରେ ୨୦୪୭ ମସିହା ସୁଦ୍ଧା ଦେଶର ଆଣବିକ ଶକ୍ତି କ୍ଷମତାକୁ ୧୦୦ ଗିଗାୱାଟ (ଏକ ଗିଗାୱାଟ ହେଉଛି ଏକ ହଜାର ମେଗାୱାଟ୍‌‌)କୁ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ପୃଥିବୀର ଉଷ୍ମତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପାଇଁ ମୁଖ୍ୟତଃ […]

ଆଣବିକ ଶକ୍ତି ମିଶନ
sakala article

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ମସିହା ପାଇଁ ଉପସ୍ଥାପିତ ବଜେଟ୍‌ରେ ଆଣବିକ ଶକ୍ତି ମିଶନ ଗଠନ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ କୋଡ଼ିଏ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ମୁଖ୍ୟ ଲକ୍ଷ୍ୟ ମଧ୍ୟରେ ୨୦୪୭ ମସିହା ସୁଦ୍ଧା ଦେଶର ଆଣବିକ ଶକ୍ତି କ୍ଷମତାକୁ ୧୦୦ ଗିଗାୱାଟ (ଏକ ଗିଗାୱାଟ ହେଉଛି ଏକ ହଜାର ମେଗାୱାଟ୍‌‌)କୁ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି।

ପୃଥିବୀର ଉଷ୍ମତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପାଇଁ ମୁଖ୍ୟତଃ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସର ଉତ୍ସର୍ଜନକୁ ଦାୟୀ କରାଯାଉଛି। ଅନ୍ୟ ଉତ୍ସ ଅପେକ୍ଷା ତାପଜ ବିଦ୍ୟୁତ୍‌‌ କେନ୍ଦ୍ରରୁ ଅଧିକ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ। ଦୁର୍ଭାଗ୍ୟବଶତଃ ପୃଥିବୀର ପ୍ରାୟ ଷାଠିଏ ପ୍ରତିଶତ ବିଦ୍ୟୁତ୍‌‌ ହେଉଛି ତାପଜ ବିଦ୍ୟୁତ୍‌‌। ଏଣୁ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାକୁ ହେଲେ ତାପଜ ବିଦ୍ୟୁତ୍‌‌ ଉତ୍ପାଦନକୁ ହ୍ରାସ କରି ଅଣ-ଜୀବାଶ୍ମ ଉତ୍ସରୁ ସ୍ୱଚ୍ଛ ଓ ନିର୍ମଳ ବିଦ୍ୟୁତ୍‌‌ ଉତ୍ପାଦନର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀରେ ଏଥିପାଇଁ ତାପଜ ବିଦ୍ୟୁତ୍‌‌ ଉତ୍ପାଦନକୁ ହ୍ରାସ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି।

ଭାରତ ୨୦୭୦ ମସିହା ସୁଦ୍ଧା ନେଟ୍‌‌ ଶୂନ-କାର୍ବନ ଉତ୍ସର୍ଜନ ପାଇଁ ଘୋଷଣା କରିଛି। ପୁନଶ୍ଚ ଭାରତ ୨୦୩୦ ମସିହା ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ୍‌‌ ବିଦ୍ୟୁତ୍‌‌ ଉତ୍ପାଦନର ଲକ୍ଷ୍ୟ ରଖିଛି, ଯାହା ମୋଟ ବିଦ୍ୟୁତ୍‌‌ ଉତ୍ପାଦନର ପ୍ରାୟ ଅଧା ହେବ। ଅଣ-ଜୀବାଶ୍ମ ଶକ୍ତି ଉତ୍ସ ମଧ୍ୟରେ ସୌର ଶକ୍ତି ଓ ପବନ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଏହାର ବିକାଶ କରାଯାଇଛି। ମାତ୍ର ଏହି ଉତ୍ସ ଦୁଇଟି ପ୍ରକୃତି ଉପରେ ନିର୍ଭର କରୁଥିବାରୁ ବିଶ୍ୱସନୀୟ ନୁହେଁ। ଏଣୁ ବିକଳ୍ପ ଶକ୍ତି ଉତ୍ସ ହେଉଛି ଆଣବିକ ଶକ୍ତି। ୟୁରାନିୟମ ପରମାଣୁର ବିଭାଜନ ଦ୍ୱାରା ଉତ୍ପନ୍ନ ତାପଶକ୍ତିରୁ ବିଦ୍ୟୁତ୍‌‌ ଉତ୍ପାଦନ କରାଯାଏ। ବର୍ତ୍ତମାନ ପୃଥିବୀର ୩୩ଟି ଦେଶରେ ୪୪୦ଟି ପରମାଣୁ ରିଆକ୍‌‌ଟର କାର୍ଯ୍ୟ କରୁଛି ଏବଂ ଏଗୁଡ଼ିକର ମିଳିତ ପ୍ରତିଷ୍ଠିତ କ୍ଷମତା ହେଉଛି ୩୯୦ ଗିଗାୱାଟ୍‌‌। ଏହା ସମସ୍ତ ଉତ୍ସରୁ ପ୍ରତିଷ୍ଠିତ ବିଦ୍ୟୁତ କ୍ଷମତାର ୧୨ ପ୍ରତିଶତ। ବର୍ତ୍ତମାନ ଆମ ଦେଶରେ ୮୧୮୦ ମେଗାୱାଟ କ୍ଷମତାର ୨୪ଟି ପରମାଣୁ ରିଆକ୍‌‌ଟର କାର୍ଯ୍ୟ କରୁଛି ଏବଂ ଏଥିରୁ ଉତ୍ପାଦିତ ବିଦ୍ୟୁତ୍‌‌ର ଭାଗ ମୋଟ ବିଦ୍ୟୁତ୍‌‌ର ୨ ପ୍ରତିଶତରୁ କମ୍‌‌। ଏଣୁ ଏହାର ବିକାଶ ନିହାତି ଆବଶ୍ୟକ। ତେଣୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏଥିପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେଇଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆଣବିକ ଶକ୍ତି ମିଶନକୁ ତିନି ଭାଗରେ ବିଭକ୍ତ କରାଯାଇପାରେ। ସେଗୁଡ଼ିକ ହେଉଛି ଏହାର ଲକ୍ଷ୍ୟ, କ୍ଷୁଦ୍ର ମଡ୍ୟୁଲାର ରିଆକ୍‌‌ଟର ନିର୍ମାଣ ଏବଂ ଆଣବିକ ଆଇନର ସଂଶୋଧନ। ଏହାର ଲକ୍ଷ୍ୟ ମଧ୍ୟରେ ରହିଛି ୨୦୪୭ ମସିହା ସୁଦ୍ଧା ଦେଶର ଆଣବିକ ଶକ୍ତି କ୍ଷମତାକୁ ୧୦୦ ଗିଗାୱାଟରେ ପହଞ୍ଚାଇବା। ଏହି ମିଶନରେ ବଡ଼ ବଡ଼ ଆଣବିକ ଶକ୍ତି କେନ୍ଦ୍ର ତୁଳନାରେ କ୍ଷୁଦ୍ର ଆଣବିକ ରିଆକ୍‌‌ଟରକୁ ଗୁରୁତ୍ୱ ଦିଆଯାଇଛି। ସାଧାରଣତଃ ଗୋଟିଏ ଆଣବିକ ରିଆକ୍‌‌ଟର କ୍ଷମତା ୫୦୦ ମେଗାୱାଟରୁ ଅଧିକ ହୋଇଥାଏ। ଏହାର ନିର୍ମାଣ ସମୟ ଅଧିକ ହେବା ସହିତ ଖର୍ଚ୍ଚ ମଧ୍ୟ ଅଧିକ ହୋଇଥାଏ। ଅନ୍ୟପକ୍ଷରେ ୩୦୦ ମେଗାୱାଟ କ୍ଷମତାରୁ କମ୍‌‌ ଥିବା ରିଆକ୍‌‌ଟରକୁ କ୍ଷୁଦ୍ର ରିଆକ୍‌‌ଟର କୁହାଯାଉଛି। ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ ଏହା ମଡ୍ୟୁଲାର ଭାବେ ନିର୍ମାଣ କରାଯାଏ। ଏଣୁ ମୁଖ୍ୟତଃ କାରଖାନାରେ ଏହା ନିର୍ମିତ ହୋଇ ଈପ୍‌‌ସିତ ସ୍ଥାନରେ ବିଭିନ୍ନ ମଡ୍ୟୁଲଗୁଡ଼ିକୁ ଏକାଠି ଯୋଡ଼ାଯାଇଥାଏ। ପୃଥିବୀରେ ଏହି ପ୍ରକାର ରିଆକ୍‌‌ଟର କାର୍ଯ୍ୟକ୍ଷମ ନାହିଁ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ରୁଷିଆ ଓ ଦକ୍ଷିଣ କୋରିଆରେ ଅଶିରୁ ଅଧିକ ଏହିଭଳି ରିଆକ୍‌‌ଟର ଡିଜାଇନ୍‌‌ ହୋଇ ନିର୍ମାଣାଧୀନ ଅଛି।

ଆମ ଦେଶରେ ଏହି ରିଆକ୍‌‌ଟରର ନାମ ‘ଭାରତ କ୍ଷୁଦ୍ର ରିଆକ୍‌‌ଟର’ ରଖାଯାଇଛି। ଏଥିରୁ ଜଣାପଡ଼େ ଯେ ଭାରତ ନିଜସ୍ୱ ଜ୍ଞାନକୌଶଳରେ ଏହାକୁ ଆମ ଦେଶରେ ଉତ୍ପାଦନ କରିବ। ଆମ ଦେଶରେ ବ୍ୟବହାର ହେବା ସହିତ ଏହାକୁ ମଧ୍ୟ ବିଦେଶକୁ ରପ୍ତାନୀ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୩୩ ମସିହା ସୁଦ୍ଧା ଦେଶରେ ଏହିଭଳି ପାଞ୍ଚଟି ରିଆକ୍‌‌ଟର ସ୍ଥାପନ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶରେ ଆଣବିକ ଶକ୍ତିର ବିକାଶ ଓ ଭାରତ ମଡ୍ୟୁଲାର ରିଆକ୍‌‌ଟର ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ୨୦୨୪ ମସିହାରେ ପ୍ରଥମେ ଘୋଷଣା କରିଥିଲେ, ମାତ୍ର ଏହି ବର୍ଷ ବଜେଟରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଭାରତରେ ୨୨୦ ମେଗାୱାଟ୍‌‌ କ୍ଷମତାର ୧୬ଟି ରିଆକ୍‌‌ଟର ବର୍ତ୍ତମାନ କାର୍ଯ୍ୟ କରୁଛି। କିନ୍ତୁ ଏଗୁଡ଼ିକ ମଡ୍ୟୁଲାର ନୁହେଁ। ମାତ୍ର ଏଥିରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ମଡ୍ୟୁଲାର ରିଆକ୍‌‌ଟର ନିର୍ମାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଏ। ଆଣବିକ ଶକ୍ତି ବିଭାଗ ଏବଂ ଟାଟା କନ୍‌‌ସଲ୍‌‌ଟିଂ ଇଞ୍ଜିନିୟରସ ମିଳିତ ଭାବେ ୨୨୦ ମେଗାୱାଟ କ୍ଷମତାର ‘ଚାପକୃତ ଭାରୀଜଳ ରିଆକ୍‌‌ଟର’ର ପୁନଃଡିଜାଇନ୍‌‌ କରି ଭାରତ କ୍ଷୁଦ୍ର ରିଆକ୍‌‌ଟରର ବିକାଶ ଆରମ୍ଭ କରିଦେଇଛନ୍ତି। ଏହାର ଏପରି ଡିଜାଇନ୍‌‌ କରାଯାଉଛି ଯେପରି ଏହା ଇସ୍ପାତ, ଆଲୁମିନିୟମ, ତମ୍ବା ଓ ସିମେଣ୍ଟ କାରଖାନାଗୁଡ଼ିକରେ ନିଜସ୍ୱ (କ୍ୟାପ୍‌‌ଟିଭ) ବିଦ୍ୟୁତ୍‌‌ କେନ୍ଦ୍ର ଭାବେ ବ୍ୟବହୃତ ହୋଇପାରିବ।

ବର୍ତ୍ତମାନର ଯୋଜନା ଅନୁଯାୟୀ ଦେଶରେ ଆଣବିକ ଶକ୍ତି କ୍ଷମତାକୁ ୨୦୩୧-୩୨ ମସିହା ସୁଦ୍ଧା ୨୨୮୦୦ ମେଗାୱାଟରେ ପହଞ୍ଚାଇବା ପାଇଁ କେତେକ ରିଆକ୍‌‌ଟର ନିର୍ମିତ ହେଉଛି। କିନ୍ତୁ ଆଣବିକ ଶକ୍ତି ମିଶନରେ ଏହାକୁ ୨୦୪୭ ମସିହା ସୁଦ୍ଧା ୧୦୦ ଗିଗାୱାଟରେ ପହଞ୍ଚାଇବାର ଅର୍ଥ ହେଉଛି ଏହି କ୍ଷମତାକୁ ୨୦୩୨ରୁ ୨୦୪୭ ମସିହା ମଧ୍ୟରେ ୧୫ ବର୍ଷରେ ପାଞ୍ଚଗୁଣ କରିବା। ଅର୍ଥାତ୍‌‌ ପ୍ରତିବର୍ଷ ପାଞ୍ଚରୁ ଛଅ ଗିଗାୱାଟର କ୍ଷମତା ଯୋଗ କରିବା। ଏହାକୁ ହାସଲ କରିବା ସରକାରଙ୍କ ଅଧୀନସ୍ଥ ଭାରତୀୟ ଆଣବିକ ଶକ୍ତି ନିଗମ ସକ୍ଷମ ହୋଇପାରିବ ନାହିଁ। ଏଥିପାଇଁ ବେସରକାରୀ କମ୍ପାନୀଗୁଡ଼ିକୁ ଏହି ମିଶନରେ ସାମିଲ କରିବା ଆବଶ୍ୟକ। ତେଣୁ ଏହି ମିଶନରେ ପରମାଣୁ ଶକ୍ତି ଆଇନ-୧୯୬୨ର ସଂଶୋଧନ କରିବା ପାଇଁ ଘୋଷଣା କରାଯାଇଛି। କାରଣ ଏହି ଆଇନ ଅନୁଯାୟୀ କେବଳ ସରକାର ହିଁ ଆଣବିକ ଶକ୍ତି ଉପରେ କାର୍ଯ୍ୟ କରିପାରିବେ। ପୁନଶ୍ଚ ଆଇନ ଅଛି ଯେ ଆଣବିକ ଦୁର୍ଘଟଣା ହେଲେ ଏହାର ନିର୍ମାତା ଓ ମାଲିକଙ୍କୁ ଏଥିପାଇଁ କ୍ଷତିପୂରଣ ଦେବାକୁ ହେବ। ଏହାର ସଂଶୋଧନ ନ ହେଲେ ବେସରକାରୀ କମ୍ପାନୀ ଏବଂ ବିଶେଷକରି ବହୁଦେଶୀୟ କମ୍ପାନୀଗୁଡ଼ିକ ଏଥିପ୍ରତି ଆଗ୍ରହୀ ହେବେ ନାହିଁ। ଏଣୁ ସଂସଦରେ ଏହି ଦୁଇଟିର ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଅଛି। ଆଇନଗତ ବ୍ୟବସ୍ଥା ପାଇଁ ସରକାର ‘ଆଣବିକ ଅଡିଟ୍‌‌ ପ୍ରାଧିକରଣ’ ପ୍ରତିଷ୍ଠା ପାଇଁ ଚିନ୍ତା କରୁଛନ୍ତି।

ଇଂ ମାୟାଧର ସ୍ୱାଇଁ
ଭୁବନେଶ୍ୱର, ମୋ: ୯୪୩୮୬୯୩୭୨୪