ଆଦାନୀ ଲାଂଚ ଅଭିଯୋଗ ମାମଲା: ଓଡ଼ିଶାରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ମାପିଚୁପି ମତ ରଖିଲା ବିଜେପି

ଆମେରିକୀୟ କୋର୍ଟରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ଓଡ଼ିଶା ସରକାରୀ ଅଫିସିଆଲଙ୍କ ସମ୍ପୃକ୍ତିର ଅଭିଯୋଗ ଥିବାବେଳେ ଏବେ କ୍ଷମତାରେ ନଥିବା ବିଜେଡି କାହାକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରୁଛି । ଯଦି କୌଣସି ଅଭିଯୋଗ  ଆସିଛି ତା’ର ସମସ୍ତ ପ୍ରକାରର ତଦନ୍ତକୁ ସ୍ୱାଗତ କରିବା ପରିବର୍ତ୍ତେ ଏହାକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହି କ’ଣ ପ୍ରମାଣ କରିବାକୁ ବିଜେଡି ଚାହୁଁଛି ।

ଆଦାନୀ ଲାଂଚ ଅଭିଯୋଗ ମାମଲା: ଓଡ଼ିଶାରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ମାପିଚୁପି ମତ ରଖିଲା ବିଜେପି

ଆଦାନୀ ଗ୍ରୀନ୍ କମ୍ପାନୀ ବିରୁଦ୍ଧରେ ଆମେରିକା କୋର୍ଟରେ ଲାଂଚ କାରବାର ଅଭିଯୋଗ ମାମଲାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି । ରାଜ୍ୟରେ କଂଗ୍ରେସ ଏହି ମାମଲାରେ ସିଧାସଳଖ ତତକାଳୀନ ବିଜେଡି ସରକାରକୁ ଦାୟୀ କରି ସିବିଆଇ ତଦନ୍ତ ଦାବି କରିଥିବାବେଳେ ବିଜେଡି ଏହି ଅଭିଯୋଗ ଭିତ୍ତିହୀନ ଓ ଅସତ୍ୟ ବୋଲି କହିଛି । ଆଉ ରାଜ୍ୟରେ କ୍ଷମତାସୀନ ବିଜେପି ମାପିଚୁପି ବୟାନ ରଖି  ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି କହିଛି ।  ୫୦୦ ମେଗାୱାଟ ସୌର ବିଦ୍ୟୁତ କ୍ରୟକୁ ନେଇ ଭାରତ ସରକାରଙ୍କ ଉଦ୍ୟୋଗ ‘ସୋଲାର ଏନର୍ଜି କର୍ପୋରେସନ୍ ଅଫ ଇଣ୍ଡିଆ(ଏସଇସିଆଇ) ସହ  ଓଡ଼ିଶା ସରକାରଙ୍କ ଉଦ୍ୟୋଗ ଗ୍ରୀଡକୋ ୨୦୨୧ ମସିହାରେ ସ୍ୱାକ୍ଷରିତ ଏମଓୟୁ ପାଇଁ ଓଡ଼ିଶା ସରକାରୀ କଳକୁ ପ୍ରଭାବିତ ନିମନ୍ତେ ଲାଂଚ କାରବାର ହୋଇଥିବା ନେଇ ଆଦାନୀ ଗ୍ରୀନ୍ କମ୍ପାନୀର ଆଭ୍ୟନ୍ତରୀଣ ରିପୋର୍ଟରେ ଉଲ୍ଲେଖ ଥିବା ଅଭିଯୋଗ ହୋଇଛି ।

ଆମେରିକା କୋର୍ଟରେ ୟୁଏସ୍ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ ଦ୍ୱାରା ଆଦାନୀ ଗ୍ରୀନ୍ ବିରୁଦ୍ଧରେ ଲାଂଚ କାରବାର ନେଇ ଦାଏର ଦସ୍ତାବିଜ ସାର୍ବଜନୀନ ହେବାପରେ ଓଡ଼ିଶାରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟରେ କ୍ଷମତାସୀନ ବିଜେପି ଏହି ଘଟଣାରେ ମାପିଚୁପି ବୟାନ ଦେଇଛି । ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ କୌଣସି ମନ୍ତବ୍ୟ ରଖିବା ଠିକ୍ ହେବନି । ଯଦି ସେଭଳି କିଛି ହୋଇଥିବ, ତା’ର ତଦନ୍ତ ଉପଯୁକ୍ତ ଏଜେନ୍ସୀ କରିବେ । ଯେଉଁମାନଙ୍କ ସମ୍ପୃକ୍ତି ଥିବ ତଦନ୍ତ ହେଲାପରେ ସ୍ପଷ୍ଟ ହେବ ।

ତେବେ ମୁଖ୍ୟବିରୋଧୀ ଦଳ ବିଜେଡି ଏହି ଆଦାନୀ ଲାଂଚ ଅଭିଯୋଗ ମାମଲାରେ ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ଭଳି ଏକ ପ୍ରେସ୍ ରିଲିଜ୍ ଜାରି କରି ଓଡ଼ିଶା ସଂକ୍ରାନ୍ତରେ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହିଛି । ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଦସ୍ତଖତରେ ଜାରି ପ୍ରେସ୍ ରିଲିଜରେ ବିଜେଡି କହିଛି ଯେ,୨୦୨୧ ମସିହାରେ କେନ୍ଦ୍ର ସରକାରଙ୍କ ମିନି ନବରତ୍ନ ଉଦ୍ୟୋଗ ଏସଇସିଆଇ ଓ ଓଡ଼ିଶା ସରକାରଙ୍କ ଗ୍ରୀଡକୋ ମଧ୍ୟରେ ଅକ୍ଷୟଶକ୍ତି କ୍ରୟ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହା କେନ୍ଦ୍ର ସରକାରଙ୍କ ସୋଲାର ଉତ୍ପାଦନ ସ୍କିମ୍ ସହ ଜଡ଼ିତ । ଏହା ଦୁଇ ସରକାରୀ ସଂସ୍ଥା ମଧ୍ୟରେ ସର୍ବନିମ୍ନ ଦରରେ ୫୦୦ମେଗାୱାଟ ବିଦ୍ୟୁତ କ୍ରୟ ପାଇଁ ଚୁକ୍ତି ହୋଇଥିଲା । ଏଥିରେ ଆଦାନୀ ଗ୍ରୁପ୍ ସମେତ ଅନ୍ୟ କୌଣସି ଘରୋଇ ପକ୍ଷ ସାମିଲ ନଥିଲେ । ଏପରିକି ନିଜର ଅକ୍ଷୟଶକ୍ତି ପ୍ରତିବଦ୍ଧତାକୁ ପୂରଣ ପାଇଁ ୨୦୧୧ ମସିହା ପରଠୁ କେନ୍ଦ୍ର ସରକାରଙ୍କ ଉଦ୍ୟୋଗଗୁଡ଼ିକରୁ ଓଡ଼ିଶା ବିଦ୍ୟୁତ କ୍ରୟ କରୁଛି । ତେଣୁ ଓଡ଼ିଶା ସଂକ୍ରାନ୍ତରେ ଏଭଳି ଅଭିଯୋଗ ଭିତ୍ତିହୀନ ଓ ଅସତ୍ୟ ବୋଲି ଶ୍ରୀ ଦେବ କହିଛନ୍ତି ।

ତେବେ ଆମେରିକୀୟ କୋର୍ଟରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ଓଡ଼ିଶା ସରକାରୀ ଅଫିସିଆଲଙ୍କ ସମ୍ପୃକ୍ତିର ଅଭିଯୋଗ ଥିବାବେଳେ ଏବେ କ୍ଷମତାରେ ନଥିବା ବିଜେଡି କାହାକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରୁଛି । ଯଦି କୌଣସି ଅଭିଯୋଗ  ଆସିଛି ତା’ର ସମସ୍ତ ପ୍ରକାରର ତଦନ୍ତକୁ ସ୍ୱାଗତ କରିବା ପରିବର୍ତ୍ତେ ଏହାକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହି କ’ଣ ପ୍ରମାଣ କରିବାକୁ ବିଜେଡି ଚାହୁଁଛି ।

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ସୌରଶକ୍ତି ବିକ୍ରି ପାଇଁ ଆଦାନୀ ଗ୍ରୁପ୍ ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ ଲାଂଚ କାରବାର କରିଛି । ଆଉ ଦୁର୍ଭାଗ୍ୟର କଥା ୨୦୨୧ ମସିହାରେ ଯେତେବେଳେ ଏହି ଲାଂଚ କାରବାର ହୋଇଥିଲା, ଓଡ଼ିଶାରେ ସରକାରରେ ବିଜେଡି ରହିଥିଲା । ସେତେବେଳେ ଏହି ଲାଂଚ କାରବାରରେ ସରକାରର କେଉଁ ଅଫିସର ଓ ମନ୍ତ୍ରୀ ସାମିଲ ଥିଲେ କି ନାହିଁ ତା’ର ସିବିଆଇ ତଦନ୍ତ ହେବା ଦରକାର । ଯେକୌଣସି ଅଫିସର ଥାଉ ବା ରାଜନୀତି କରୁଥିବା ଅଫିସର ଥାଆନ୍ତୁ ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ଲୋକେ ଜାଣିବା ଦରକାର ଆଦାନୀଠୁ କିଏ କେତେ ଟଙ୍କା ଖାଇଛନ୍ତି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି ।

ବିଜେଡି ଗୋଟିଏପଟେ ପ୍ରେସ୍ ରିଲିଜ୍ ଜାରି କରି ଘଟଣାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହି ଏଡ଼ାଇ ଯାଇଥିବାବେଳେ ଦଳର ମୁଖପାତ୍ର ପ୍ରଦୀପ ମାଝୀ କହିଛନ୍ତି ଯେ, ସବୁପ୍ରକାରର ତଦନ୍ତକୁ ସାମ୍ନା କରିବାକୁ ବିଜେଡି ପ୍ରସ୍ତୁତ । ଆଇନ ତା’ବାଟରେ ଯାଉ ବୋଲି ବିଜେଡି ସବୁବେଳେ ଚାହେଁ ।

ସେହିପରି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଆଜି କଂଗ୍ରେସଭବନରେ ଏକ ପ୍ରେସ୍ ମିଟ୍ କରି ଆଦାନୀ ଗ୍ରୁପ୍ ବିରୁଦ୍ଧରେ ବର୍ଷିଛନ୍ତି ।