ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ
ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ ପୋଲିସ ମାଡ଼ ମାରିଛି। ଏପରି କି ସେତିକିରେ ମନ ବୁଝି ନ ଥିଲା ଯେ ଫାଣ୍ଡିକୁ ନେଇ ମଧ୍ୟ ନିସ୍ତୁକ ପିଟିଛି। ପରେ ଯୁବକଙ୍କ ଚୋରିରେ ସମ୍ପୃକ୍ତ ନ ଥିବା ଜାଣିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଛି। ସମ୍ବଲପୁର ଜିଲା ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡି ଅଞ୍ଚଳରେ […] The post ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ appeared first on Dharitri Odia News.
ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ ପୋଲିସ ମାଡ଼ ମାରିଛି। ଏପରି କି ସେତିକିରେ ମନ ବୁଝି ନ ଥିଲା ଯେ ଫାଣ୍ଡିକୁ ନେଇ ମଧ୍ୟ ନିସ୍ତୁକ ପିଟିଛି। ପରେ ଯୁବକଙ୍କ ଚୋରିରେ ସମ୍ପୃକ୍ତ ନ ଥିବା ଜାଣିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଛି। ସମ୍ବଲପୁର ଜିଲା ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବକ ଜଣକ ହେଉଛନ୍ତି ରାଜେଶ ମିର୍ଦ୍ଧା। ଏହାକୁ ନେଇ ସମ୍ପୃକ୍ତ ଯୁବକଙ୍କ ମା’ ସୁବାସିନୀ ମିର୍ଦ୍ଧା ଶନିବାର ସମ୍ବଲପୁର ଏସ୍ପି ଓ ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଅପରପକ୍ଷରେ ପୋଲିସ ବିରୋଧରେ ହୋଇଥିବା ଅଭିଯୋଗ ସତ୍ୟ ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି କହିଛନ୍ତି।
ସୁବାସିନୀଙ୍କ ଅଭିଯୋଗ ଅନୁସାରେ ଗତ ୩ ତାରିଖ ସକାଳ ପ୍ରାୟ ସାଢେ ୭ଟାରେ ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡିର ୨ଜଣ ପୋଲିସ କର୍ମଚାରୀ ସାହାଜବାହାଲ ଗ୍ରାମକୁ ଆସି ତାଙ୍କ ପୁଅ ରାଜେଶଙ୍କୁ ଏକ ବ୍ୟାଟେରି ଚୋରି ସନ୍ଦେହରେ ଘରୁ ଉଠାଇ ନେଇଥିଲେ। ଏହାପରେ ଗାଁ ଦାଣ୍ଡ ମନ୍ଦିର ସମ୍ମୁଖରେ ରାଜେଶଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ଚୋରି ସମ୍ପର୍କରେ ପଚରାଉଚରା କରିବା ସହ ମାଡ଼ ମାରିବା ପରେ ତାଙ୍କୁ ଫାଣ୍ଡିକୁ ନେଇ ପୋଲିସ ନିସ୍ତୁକ ପିଟିଥିଲା। ଏପରି କି ମାଡ଼ ମାରିବା ବେଳେ ପୋଲିସ ରାଜେଶଙ୍କୁ ଜାତିଆଣ ଆକ୍ଷେପ କରିଥିଲା ବୋଲି ସୁବାସିନୀ ଅଭିଯୋଗରେ ଦର୍ଶାଇଛନ୍ତି। ପରେ ଚୋରିରେ ତାଙ୍କର ସମ୍ପୃକ୍ତି ନ ଥିବା ଅନୁଭବ କରି ଫାଣ୍ଡିରେ ଏକ ସାଦା କାଗଜରେ ରାଜେଶଙ୍କ ଦସ୍ତଖତ କରାଇ ଅପରାହ୍ନରେ ଆଣି ତାଙ୍କୁ ଘରେ ଛାଡ଼ିଥିଲା। ରାଜେଶଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା ପାଇଁ ବୁର୍ଲା ଭିମ୍ସାରକୁ ନେଇଥିଲେ। ତେବେ ନିଜ ଦୋଷ ଲୁଚାଇବାକୁ
କେତେଜଣ ପୋଲିସ କର୍ମଚାରୀ ତାଙ୍କ ଘରକୁ ଆସି ଏନେଇ କେସ୍ ନ କରିବାକୁ ତାଙ୍କୁ ଧମକ ଚମକ ଦେଇଥିବା ସୁବାସିନୀ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ବ୍ୟାଟେରି ଚୋରିରେ ସମ୍ପୃକ୍ତ ନାହିଁ ବୋଲି ଯେତେ ନେହୁରା ହେଲେ ମଧ୍ୟ ପୋଲିସ ତାଙ୍କୁ ମାଡ଼ ମାରିବାରୁ ନିବୃତ୍ତ ହୋଇ ନ ଥିଲା। ଖାଲି ସେତିକି ନୁହେଁ, ଯଦି ତାଙ୍କ ପୁଅ ଅଭିଯୁକ୍ତ ତା’ହେଲେ ତାଙ୍କୁ କୋର୍ଟ ଚାଲାଣ ନ କରି ପୋଲିସ ଘରେ ଆଣି କାହିଁକି ଛାଡ଼ିଲା ବୋଲି ସୁବାସିନୀ ପ୍ରଶ୍ନ କରିଛନ୍ତି। ରାଜେଶ ସୁସ୍ଥ ହୋଇ ଘରକୁ ଫେରିବାପରେ ସୁବାସିନୀ ଜିଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ପୁଅ ପାଇଁ ସୁରକ୍ଷା ମାଗିଛନ୍ତି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଭାଗୀରଥି ପଟେଲ କହିଛନ୍ତି, ଅଭିଯୋଗର ତଦନ୍ତ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଛି। ଉକ୍ତ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ବୁର୍ଲା ଏସ୍ଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ appeared first on Dharitri Odia News.