ଆଧୁନିକତ୍ୱର ଆଧିପତ୍ୟରେ ହଜିଗଲାଣି ଗାଁ ଚଳଣି

ଆଧୁନିକ ପରମ୍ପରାକୁ ଆପଣାଇବାକୁ ଯାଇ ମନୁଷ୍ୟ ତା’ ରୁଚିରେ ବହୁ ପରିବର୍ତ୍ତନ ଆଣିଛି। ସମସ୍ତେ ନିଜର ଜୀବନଶୈଳୀକୁ ସମୟର ତାଳେ ତାଳେ ଗତିଶୀଳ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି। ଏହାର ପ୍ରଭାବ ଆମ ଗ୍ରାମ୍ୟ ସଂସ୍କୃତି ଓ ଚାଲିଚଳଣ ଉପରେ ମଧ୍ୟ ପଡ଼ିଛି। କଟକ ରେଡିଓ ଷ୍ଟେସନ ବନ୍ଦ ହୋଇନି। ସମୟାନୁସାରେ ଖବର ପଢ଼ୁଛନ୍ତି ସମ୍ବାଦ ପାଠକ ଏବଂ କାର୍ଯ୍ୟକ୍ରମ ଊପସ୍ଥାପନା କରୁଛନ୍ତି ଘୋଷକ/ଘୋଷିକା। କିନ୍ତୁ ଶୁଣୁନାହାନ୍ତି ଗାଁଗଣ୍ଡାର ଶ୍ରୋତା। ରେଡିଓ ବଦଳରେ ଘରେ ଘରେ ଏଲଇଡି […]

ଆଧୁନିକତ୍ୱର ଆଧିପତ୍ୟରେ ହଜିଗଲାଣି ଗାଁ ଚଳଣି
sakala article

ଆଧୁନିକ ପରମ୍ପରାକୁ ଆପଣାଇବାକୁ ଯାଇ ମନୁଷ୍ୟ ତା’ ରୁଚିରେ ବହୁ ପରିବର୍ତ୍ତନ ଆଣିଛି। ସମସ୍ତେ ନିଜର ଜୀବନଶୈଳୀକୁ ସମୟର ତାଳେ ତାଳେ ଗତିଶୀଳ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି। ଏହାର ପ୍ରଭାବ ଆମ ଗ୍ରାମ୍ୟ ସଂସ୍କୃତି ଓ ଚାଲିଚଳଣ ଉପରେ ମଧ୍ୟ ପଡ଼ିଛି। କଟକ ରେଡିଓ ଷ୍ଟେସନ ବନ୍ଦ ହୋଇନି। ସମୟାନୁସାରେ ଖବର ପଢ଼ୁଛନ୍ତି ସମ୍ବାଦ ପାଠକ ଏବଂ କାର୍ଯ୍ୟକ୍ରମ ଊପସ୍ଥାପନା କରୁଛନ୍ତି ଘୋଷକ/ଘୋଷିକା। କିନ୍ତୁ ଶୁଣୁନାହାନ୍ତି ଗାଁଗଣ୍ଡାର ଶ୍ରୋତା। ରେଡିଓ ବଦଳରେ ଘରେ ଘରେ ଏଲଇଡି ଟିଭି ପ୍ରଚଳନ ହେଲାଣି। ପ୍ରତି ଘଣ୍ଟାରେ କେବୁଲ ଟିଭିରେ ଛବି ସହ ତଟକା ଖବର ଦେଖୁଛନ୍ତି ଓ ଶୁଣୁଛନ୍ତି ମଫସଲ ଅଞ୍ଚଳ ଲୋକେ। ତେଣୁ ରେଡିଓ ବିକ୍ରି ହେଉଥିବା ଦୋକାନ ଆଉ ଦେଖିବାକୁ ମିଳୁନି।

ପୂର୍ବରୁ ମଫସଲ ଅଞ୍ଚଳରେ ଭୁଆସୁଣି ରାତି ପାହିଲେ ପିଣ୍ଡାରେ ଗୋବର ପାଣି ଛିଞ୍ଚା ଆରମ୍ଭ କରୁଥିବା ବେଳେ ଘର ଭିତରୁ ରେଡିଓରୁ ବାହାରି ଆସେ ଭିକାରୀ ବଳ ଓ ପ୍ରଫୁଲ୍ଲ କରଙ୍କ ବିଭିନ୍ନ ଜଗନ୍ନାଥ ଭଜନର ସ୍ୱର। ପରେ ପରେ ଚାଷୀଭାଇଙ୍କ ପାଇଁ ଚାଷ ଖବର ଶୁଣି ହଳଲଙ୍ଗଳ ବାହାର କରୁଥିଲେ ଗାଁ ଲୋକେ। ଏବେ ଆଉ ତାହା ନାହିଁ। ରାତି ପାହିଲେ ଆଉ ଉଠୁ ନାହାନ୍ତି ଲୋକେ, ବରଂ ଉଠୁଉଠୁ ଜିମ୍‌‌ ଲକ୍ଷ୍ୟରେ ପାଖ ବଜାରକୁ ବାହାରି ଯାଉଛନ୍ତି ଯୁବକ ଯୁବତୀ। ଚାଷବାସ ସମୟରେ ବିଲକୁ ପୁରୁଷମାନେ ଯିବା ପାଇଁ ଘରେ ମହିଳାମାନେ ସକାଳୁ ସକାଳୁ ଶିଳରେ ଚାଉଳ ବାଟି ପିଠା କରିବାକୁ ଲାଗି ପଡ଼ୁଥିଲେ। ସମୟଚକ୍ରରେ ତାହା ବି ହଜି ଗଲାଣି। ପିଠା ବଦଳରେ ଏବେ ପିଜା ଖୋଜୁଛନ୍ତି ଲୋକେ। ଶିଳ ଓ ଶିଳପୁଆ ବଦଳରେ ଘରେ ଘରେ ଗ୍ରାଇଣ୍ଡର ବ୍ୟବହାର ହେଲାଣି। ପିଠାପଣା ଆଉ ନାହିଁ, ଯେଉଁଥି ପାଇଁ ବାର ମାସରେ ତେର ପର୍ବକୁ ଭୁଲି ଗଲେଣି ଏବେକାର ଲୋକେ। ଫେସ୍‌‌ବୁକରେ ପାଳିତ ହେଉଛି ପର୍ବପର୍ବାଣୀ। ପଖାଳ ଗାଁ ଦାଣ୍ଡରୁ ଉଠି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଦିନ ମଜୁରିଆ ବିଲକୁ ସକାଳ ୯ଟାରେ ଯାଉଛନ୍ତି। ସେମାନେ ଆଉ ଚାଷ ଓ କ୍ଷେତକୁ ଭଲ ପାଉନାହାନ୍ତି। କେମିତି ଘଣ୍ଟା ହିସାବରେ ମଜୁରୀ ନେବେ ସମୟକୁ ଅନାଇ ରହୁଛନ୍ତି। ଶ୍ରବଣ ମାସ ଚାଷ ଶେଷରେ ନିଜ ପିଣ୍ଡାରେ ଚଷାଭାଇ ବୁଣୁଥିଲେ ମସିଣା, ହେଁସ, ଅନ୍ଧିଲି, ଖଇଁଚି ଆଦି। ଏପରିକି ଚାଷକାମ ସରିଥିବାରୁ ଘରର ସ୍ତ୍ରୀ ଲୋକମାନେ ବାଡ଼ିରେ ଥିବା ନଡ଼ିଆ ବାହୁଙ୍ଗାରୁ ପତ୍ର କାଢ଼ି ସେଥିରୁ ପିଣ୍ଡା ମସିଣା ତିଆରି କରୁଥିବା ବେଳେ ନଡ଼ିଆ କଞ୍ଚି କାଢ଼ି ପହଁରା ତିଆରି କରିବା ସହ ଘରର ବିଭିନ୍ନ ଉପକରଣ ସାମଗ୍ରୀ ତିଆରି କରୁଥିଲେ। ଏବେ ଯାହା କିଛି ଆବଶ୍ୟକ ପଡ଼ିଲା ସହରକୁ ଯାଇ ଫର୍ଣ୍ଣିିଚର ଦୋକାନରୁ ଯାହାକୁ ଯେତେ ଘର ଉପକରଣ କିଣି ଆଣୁଛନ୍ତି। ତେଣୁ ଏବେକାର ପିଲା ଅନ୍ଧିଲି ଓ ଖଇଁଚି କ’ଣ ବୋଲି ପ୍ରଶ୍ନ କରୁଛନ୍ତି।

ପୂର୍ବରୁ ଗାଁ ଦାଣ୍ଡରେ ଲୋକଙ୍କ କାମକାର୍ଯ୍ୟ ଓ ଭୋଜିଭାତ ବେଳେ ପେଟ୍ରୋମାକ୍ସ ଲାଇଟ୍‌‌ର ଖୋଜା ପଡ଼ୁଥିଲା। ଯୁଗ ବଦଳିବା ସହ ରୁଚି ବି ବଦଳି ଗଲାଣି। ବରଯାତ୍ରୀ ଶୋଭାଯାତ୍ରାରେ ଡିଜେ ବାଜା ସାଙ୍ଗକୁ ଅତ୍ୟାଧୁନିକ ରଙ୍ଗବେରଙ୍ଗର ଲାଇଟ ଏବେ ଗାଁ ଦାଣ୍ଡକୁ ଦୁଲୁକାଇବା ସହ ଚମକାଉଛି। ଏହା ସାଙ୍ଗକୁ ଗାଁମୁଣ୍ଡ ବରଗଛ ମୂଳେ ଖେଳା ଯାଉଥିବା କବାଡ଼ି, ଗଛ ବାଗୁଡ଼ି ଲୋପ ପାଇଯାଇଥିବା ବେଳେ କୋମଳମତି ଛାତ୍ରଛାତ୍ରୀ ଗାଁ ଦାଣ୍ଡରେ ଖେଳୁଥିବା କାଚ ଗୋଟି, ନଟୁ, କାଉଡ଼ାବୁଳ ଖେଳ ମଧ୍ୟ ଆଉ ନାହଁ। ଯୁବତୀମାନେ ଖେଳୁଥିବା ବୋହୂବୋହୂକା, ପୁଚି ଆଉ ନାହିଁ। ସେମାନଙ୍କ ଜାଗା ନେଇଛି ମୋବାଇଲ ଓ ଫେସ୍‌‌ବୁକ୍‌‌। ମହିଳାମାନେ ଅପରାହ୍ନରେ ଲୁଡ଼ୁ କିମ୍ବା ତାସ ଖେଳି ସମୟ ବିତାଉଥିଲେ। ଆଉ ତାହା ଦେଖିବାକୁ ମିଳୁନି। ରୋଷେଇ କରୁ କରୁ କାନ୍ଥରେ ଲାଗିଥିବା ଏଲଇଡି ଟିଭିରେ ସିରିଏଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି ମହିଳା।

ସେହିଭଳି ସନ୍ଧ୍ୟା ହେଲେ ଗାଁ ମଝିରେ ଥିବା ଭାଗବତ ଟୁଙ୍ଗିରେ ଏକତ୍ରିତ ହେଉଥିଲେ ଲୋକେ। ସେଠାରେ ପୁରାଣ ଓ ଭାଗବତ ପାଠ କରୁଥିବା ବ୍ୟକ୍ତିବିଶେଷଙ୍କ କଥା ଶୁଣି ଘରକୁ ଫେରୁଥିଲେ। ଯେଉଁଥିପାଇଁ ଗାଁ ଗଣ୍ଡାରେ ଉପୁଜୁଥିବା ସମସ୍ୟା ଓ କଳି ସେହିଠାରେ ତୁଟି ଯାଉଥିଲା। ଏବେ କିନ୍ତୁ କଥାରେ କଥାରେ ଥାନା, ପୁଲିସ, କୋର୍ଟ ଓ କଚେରି। ଏଥିପାଇଁ ବୁଡ଼ିଗଲାଣି ସମ୍ପର୍କର ଡୋରୀ, ହଜିଗଲାଣି ମାନବିକତା।

ମୋନାଲିସା ମହାନ୍ତି
ଆଗରପଡ଼ା(ଭଦ୍ରକ)
ମୋ: ୯୭୭୭୦୬୨୪୬୫