ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହେବନି ଅସୁବିଧା, ହେବେନି ଠକାମୀର ଶିକାର !

୧ ତାରିଖରୁ ନିଯୁକ୍ତ ହେବେ ୨୦ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ଓ ସୁଆର ସେବକଙ୍କ ସ୍ୱାଗତ ।

ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହେବନି ଅସୁବିଧା, ହେବେନି ଠକାମୀର ଶିକାର !

ଶ୍ରୀମନ୍ଦିର ଆସୁଥିବା ପ୍ରତିଟି ଭକ୍ତର ମନ କାଳିଆକୁ ନୟନ ଭରା ଦର୍ଶନ, ଆଉ ପେଟ ପୂରା ଗରମ ଗରମ ଅବଢ଼ା ସେବନ । ହେଲେ ତାହା କଣ ସମ୍ଭବ ହେଉଛି ? କାରଣ ଆନନ୍ଦ ବଜାରରେ ନିରୀହ ଭକ୍ତଙ୍କୁ ଭୁଆଁ ବୁଲାଇ କିଛି ଅସାଧୁ ବ୍ୟବସାୟୀ ବିକି ଦେଉଛନ୍ତି ବାସି ଅବଢ଼ା। ଅନ୍ନ, ଡାଲି ଓ ବେସର ସବୁ ଥଣ୍ଡା, ନହେଲେ ଗନ୍ଧ ଛାଡୁଥିବ, ହେଲେ ତାକୁ ବି ମିଛ କହି ବିକିବାକୁ ପଛାଉ ନାହାନ୍ତି।

ବର୍ଷ ବର୍ଷ ଧରି ଚାଲିଛି ଏଭଳି ଶୋଷଣ। ଯଦି କିଏ ପ୍ରତିବାଦ କଲା, ତାହାଲେ ତାକୁ ପୁରୀ ବୋଲିରେ ଗାଳି ଶୁଣିବାକୁ ପଡ଼ିଲା। ହେଲେ ସେ ଦାଦାଗିରି ଆଉ ଚଳିବନି। ସେମାନଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଶୃଙ୍ଖଳିତ କରିବାକୁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ। ସେମାନେ ବିଶୃଙ୍ଖଳାକାରୀଙ୍କୁ ଜଗିବା ସହ ଚୋରି ଓ ପକେଟମାରଙ୍କ ଉପରେ ବି ନଜର ରଖିବେ।

ଶ୍ରୀମନ୍ଦିର ଓଏସଡିଙ୍କ ସୂଚନା ଅନୁସାରେ- ଏଥିପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ପିଏସଆଇପିଏଲ୍ ନାମକ ଏକ ଘରୋଇ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ପଦବୀ ପୂରଣ ହେବ ଓ ସେପଟେମ୍ବର ପହିଲାରୁ ଆକ୍ସନ ମୋଡ୍‌କୁ ଆସିବେ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡ୍ ରହିବ ଏବଂ ପ୍ରଶିକ୍ଷଣ ବି ଦିଆଯିବ।

ସ୍ୱୀକୃତିପ୍ରାପ୍ତ ସେବକଙ୍କ ବାଦ୍ କିଏ ଆନନ୍ଦ ବଜାରରେ ଅବଢ଼ା ବିକ୍ରୀ କଲେ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମନ୍ଦିର ବାହାରେ ପ୍ରସ୍ତୁତ କୌଣସି ଦ୍ରବ୍ୟ ଯେମିତିକି ଖଜା, କ୍ଷୀରା ଓ ରାବିଡ଼ି ଯେମିତି ଆନନ୍ଦବଜାରକୁ ନଆସେ ତାକୁ ବି ଜଗିବେ। ତେବେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକ୍ରମେ ଭକ୍ତଙ୍କୁ ଯେପରି କେହି ଦୁର୍ବ୍ୟବହାର ପ୍ରଦର୍ଶନ ନକରେ ତା ଉପରେ ତୀକ୍ଷ୍ମ ନଜର ରଖିବେ।

ଶ୍ରୀମନ୍ଦିର ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ଛଡ଼ା ଅନ୍ୟ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରିର ନିୟମ ନାହିଁ। ହେଲେ କ୍ଷୀରା-ରାବିଡ଼ି ଭଳି ଅମୂଣିଆ ସହ ବହୁ ସମୟରେ ବାସି ଅବଢ଼ା ବି ବିକ୍ରି ଚାଲୁଥିବା ନେଇ ଖୋଦ୍ ସୁଆର ସେବକ ମଧ୍ୟ ଅଭିଯୋଗ କରୁଛନ୍ତି। କିଛି ଦଲାଲ ଓ ଅସାଧୁ ବ୍ୟବସାୟୀ ଆନନ୍ଦ ବଜାରକୁ କବଜା କରିଥିବାର ବି ନଜିର ରହିଛି।

ତେଣେ ଆନନ୍ଦ ବଜାରରେ ଶୃଙ୍ଖଳା ଆସିଲେ- ଏଣିକି କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ବିକ୍ରି ପାଇଁ ଅଧିକୃତ ରହିବେ। ଦରକାର ପଡିଲେ ସେମାନଙ୍କୁ ପରିଚୟପତ୍ର ଦେବ ଶ୍ରୀମନ୍ଦିର ପ୍ରଶାସନ। ତେଣେ ଏକଥା ଶୁଣି ଭକ୍ତ ବି ଖୁସି ପ୍ରକାଶ କରିଛନ୍ତି। ସେପଟେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୁଯୋଗ ପାଇବା ଆଶାରେ ଥିବା ପୂର୍ବତନ ସେନା କର୍ମଚାରୀ ବି ବେଶ୍ ଉତ୍ସାହିତ।

ଏବେ ଦେଖିବାର କଥା, ଶ୍ରୀମନ୍ଦିର ପ୍ରଶାସନର ଏ ନୂଆ ପଦକ୍ଷେପ, ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ଦିଗରେ କେତେ ଫଳପ୍ରଦ ହେଉଛି।