ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ: ମୋଦି

ରାଜନୀତିରେ ପରିବର୍ତ୍ତନ ଆଣିବୁ କହି ସେମାନେ ରାଜନୀତିକୁ ଆସିଥିଲେ। କିନ୍ତୁ ସେମାନେ କଟ୍ଟର ବେଇମାନ ବାହାରିଲେ। ବିଧାନସଭା ପ୍ରଥମ ଅଧିବେଶନରେ ସିଏଜି ରିପୋର୍ଟ ଉପସ୍ଥାପନ କରିବୁ। ଯିଏ ବି ଲୁଟିଛନ୍ତି, ଫେରାଇବାକୁ ପଡ଼ିବ। ଦୁର୍ନୀତିର ଯାଞ୍ଚ ହେବ, ଏହା ମୋଦିଙ୍କ ଗ୍ୟାରେଣ୍ଟି।

ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ: ମୋଦି

ଶେଷରେ ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ। ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି। ଦିଲ୍ଲୀବାସୀଙ୍କ ଏହି ବିଶ୍ୱାସ ଆମ ଉପରେ ଋଣ। ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, ଗୋଟିଏ ଦଶକର ଆପ୍‌ଦାରୁ ଦିଲ୍ଲୀ ମୁକ୍ତ ହେଲା। ଆଜି ଦିଲ୍ଲୀରେ ବିକାଶ,ଦୂରଦୃଷ୍ଟି ଓ ବିଶ୍ୱାସର ବିଜୟ ହୋଇଛି। ଆଡ଼ମ୍ବର, ଅରାଜକତା ଓ ଅହଙ୍କାର ପାଇଁ ଆପ୍‌ଦା (ଆମ୍‌ ଆଦମୀ ପାର୍ଟି) ପରାସ୍ତ ହୋଇଛି। ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ବିଜୟର ହକ୍‌ଦାର। ଦିଲ୍ଲୀବାସୀ ସ୍ପଷ୍ଟ କରିଦେଲେ ଦିଲ୍ଲୀର ପ୍ରକୃତ ମାଲିକ କେବଳ ଜନତା। ସର୍ଟକଟ୍ ରାଜନୀତିକୁ ଦିଲ୍ଲୀବାସୀ ସର୍ଟ ସର୍କିଟ କରିଦେଲେ। ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀ କେବେ ଆମକୁ ନିରାଶ କରିନାହାନ୍ତି। ୩ ଥର ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ବିଜୟ ଆମକୁ ମିଳିଥିଲା। ଏଥର ଦିଲ୍ଲୀର ଯୁବବର୍ଗ ପ୍ରଥମ ଥର ବିଜେପିର ସୁଶାସନ ଦେଖିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ, ଏହା ମିନି ଇଣ୍ଡିଆ। ବିବିଧତା ଥିବା ଦିଲ୍ଲୀରେ ଆମକୁ ପ୍ରଚଣ୍ଡ ବହୁମତ ମିଳିଛି। ବିଶେଷ ଭାବେ ପୂର୍ବାଞ୍ଚଳ ଲୋକଙ୍କୁ କୃତଜ୍ଞତା ଜଣାଉଛି। ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ନୀତିକୁ ଲୋକେ ବାଛିଛନ୍ତି। ବିକାଶରେ ବାଧା ସୃଷ୍ଟି କରୁଥିବା ଆପ୍‌ଦାକୁ ଜନତା ହଟାଇଛନ୍ତି। ପୂରା ଦେଶ ଜାଣିଛି ଯେଉଁଠି ଏନ୍‌ଡିଏ, ସେଠାରେ ସୁଶାସନ। ସୁଶାସନର ଲାଭ ମଧ୍ୟବିତ୍ତ ଓ ଗରିବଙ୍କୁ ମିଳିଥାଏ। ଆମ ଦଳ ସବୁବେଳେ ମଧ୍ୟବିତ୍ତଙ୍କୁ ଗୁରୁତ୍ୱ ଦେଇଥାଏ। ଦେଶର ନାରୀଶକ୍ତି ଆମର ସବୁଠୁ ବଡ଼ ରକ୍ଷା କବଚ। ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ ହେବ। ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି। ଦିଲ୍ଲୀକୁ ଏକ ଆଧୁନିକ ସହର କରିବୁ। ଆଜି ଦେଶ ସହରୀକରଣ ମୁହାଁ। ଏହା ଏକ ସୁଯୋଗ। ଗରିବ ଓ ମଧ୍ୟବିତ୍ତଙ୍କୁ ସଶକ୍ତ କରିବାକୁ ଏହା ଏକ ମାଧ୍ୟମ। ଦିଲ୍ଲୀବାସୀଙ୍କ ଆକାଂକ୍ଷା ପୂରଣ କରିବାରେ ଲାଗିପଡ଼ିବୁ।

ଏହା ସହିତ ସେ ଯୁବବର୍ଗଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ପଲିଟିକାଲ ଟ୍ରାନ୍ସଫର୍ମେଶନର ଆବଶ୍ୟକତା ଅଛି। ଦେଶର ଯୁବବର୍ଗ ରାଜନୀତିକୁ ଆସିଲେ ଦେଶର ଭବିଷ୍ୟତ ବଦଳିବ। କ୍ଷମତା ଲୋଭ ନୁହେଁ, ସେମାନେ ସେବାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ।

ଏହି ଅବସରରେ ମୋଦି ଆପ୍‌କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜନୀତିରେ ପରିବର୍ତ୍ତନ ଆଣିବୁ କହି ସେମାନେ ରାଜନୀତିକୁ ଆସିଥିଲେ। କିନ୍ତୁ ସେମାନେ କଟ୍ଟର ବେଇମାନ ବାହାରିଲେ। ବିଧାନସଭା ପ୍ରଥମ ଅଧିବେଶନରେ ସିଏଜି ରିପୋର୍ଟ ଉପସ୍ଥାପନ କରିବୁ। ଯିଏ ବି ଲୁଟିଛନ୍ତି, ଫେରାଇବାକୁ ପଡ଼ିବ। ଦୁର୍ନୀତିର ଯାଞ୍ଚ ହେବ, ଏହା ମୋଦିଙ୍କ ଗ୍ୟାରେଣ୍ଟି।

କଂଗ୍ରେସକୁ ବି ଧୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଆଜି ପୁଣିଥରେ କଂଗ୍ରେସକୁ କଡ଼ା ସନ୍ଦେଶ ମିଳିଛି। ପୁଣି ଥରେ ଖାତା ଖୋଲିବାରେ ବିଫଳ ହୋଇଛି କଂଗ୍ରେସ। ୬ ଥର ଖାତା ଖୋଲିପାରିନି କଂଗ୍ରେସ। ଦିଲ୍ଲୀରେ କଂଗ୍ରେସକୁ ଜିରୋର ଡବଲ ହ୍ୟାଟ୍ରିକ ମିଳିଛି। କଂଗ୍ରେସ ଉପରେ ଦେଶ ଆଉ ଭରସା କରୁନି। ମୁଁ ପୂର୍ବରୁ କହିଛି କଂଗ୍ରେସ ଏକ ପରଜୀବୀ ପାର୍ଟି। ନିଜେ ବୁଡ଼ିବା ସହ ସହଯୋଗୀ ଦଳକୁ ବି ବୁଡ଼ାଉଛି। ଇଣ୍ଡି ଗଠବନ୍ଧନ କଂଗ୍ରେସର ଏହି ଚରିତ୍ରକୁ ଜାଣି ସାରିଲେଣି। ଦିଲ୍ଲୀରେ ଇଣ୍ଡି ଗଠବନ୍ଧନ କଂଗ୍ରେସ ବିରୋଧରେ ପ୍ରଚାର କରିଥିଲେ। କିନ୍ତୁ ସେମାନେ ଆପ୍‌ଦାକୁ ବଞ୍ଚାଇ ପାରିଲେନି। ଆଜିର କଂଗ୍ରେସ ସ୍ୱାଧୀନତା ସମୟର କଂଗ୍ରେସ ନୁହେଁ। କଂଗ୍ରେସ ନେତା ଅର୍ବାନ ନକ୍ସଲର ଭାଷା କହୁଛନ୍ତି। କଂଗ୍ରେସ ଭିତରେ ଅର୍ବାନ ନକ୍ସଲର ଡିଏନ୍‌ଏ ପଶିଯାଇଛି।