ଆବୁ ଧାବିରୁ ଓଡ଼ିଆ ଯୁବକଙ୍କ ମରଶରୀର ଆଣିବା ପାଇଁ ବୈଜୟନ୍ତ ଲେଖିଲେ ଚିଠି
ଚାରିଆଡୁ ନିରାଶ ହେବା ପରେ ମୃତକଙ୍କ ପରିବାର ଲୋକେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
ଆବୁ ଧାବିରୁ ଜଣେ ଓଡ଼ିଆ ଯୁବକଙ୍କ ମରଶରୀରକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।
ମୃତ ଯୁବକଙ୍କ ନାଁ ବଳରାମ ଗଉଡ଼। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚୈତନ୍ୟପୁର ଗାଁରେ। ସେ ଆବୁଧାବିରେ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ।
ଗତ ସେପ୍ଟେମ୍ବର ୨୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଲୋକେ ମରଶରୀରକୁ ଫେରାଇ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଚାରିଆଡୁ ନିରାଶ ହେବା ପରେ ସେମାନେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଘଟଣା ସଂପର୍କରେ ଅବଗତ କରାଇବା ସହ ପତ୍ର ଲେଖି ବଳରାମଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ଶ୍ରୀ ପଣ୍ଡା।