ଆର୍ବିଆଇ ମୁଦ୍ରା ନୀତି କମିଟି ବୈଠକ ଆରମ୍ଭ, ହ୍ରାସ ହେବନି ସୁଧ ହାର !
ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରା ନୀତି କମିଟି ବୈଠକ। ଆସନ୍ତା ୬ ତାରିଖରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରାଯିବ। ତେବେ ସୁଧ ହାର ହ୍ରାସ ହୋଇ ନ ପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। କାରଣ ଜିଡିପି ଅଭିବୃଦ୍ଧି ହ୍ରାସ ହୋଇଥିବାବେଳେ ମୁଦ୍ରାସ୍ଫୀତି ଊର୍ଦ୍ଧ୍ବରେ ରହିଛି। ୩ଦିନ ଧରି ଅନୁଷ୍ଠିତ ହେଉଥିବା ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଆସନ୍ତା ୬ ତାରିଖରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ […]

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରା ନୀତି କମିଟି ବୈଠକ। ଆସନ୍ତା ୬ ତାରିଖରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରାଯିବ। ତେବେ ସୁଧ ହାର ହ୍ରାସ ହୋଇ ନ ପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। କାରଣ ଜିଡିପି ଅଭିବୃଦ୍ଧି ହ୍ରାସ ହୋଇଥିବାବେଳେ ମୁଦ୍ରାସ୍ଫୀତି ଊର୍ଦ୍ଧ୍ବରେ ରହିଛି।
୩ଦିନ ଧରି ଅନୁଷ୍ଠିତ ହେଉଥିବା ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଆସନ୍ତା ୬ ତାରିଖରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିବେ। ଅକ୍ଟୋବରରେ ଅନୁଷ୍ଠିତ ହୋଇଥିବା ନୀତି କମିଟି ବୈଠକରେ କ୍ରମାଗତ ଦଶମ ଥର ପାଇଁ ବେଞ୍ଚମାର୍କ ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରହିଥିଲା। ଭାରତର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ଅକ୍ଟୋବରରେ ୧୪ ମାସର ସର୍ବାଧିକ ସ୍ତର ୬.୨୧ ପ୍ରତିଶତ ଛୁଇଁଥିଲା। ଅନ୍ୟପକ୍ଷରେ ୨୦୨୫ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଜୁଲାଇ-ସେପ୍ଟେମ୍ବରରେ ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। କ୍ରମାଗତ ତିନିଟି ତ୍ରୟମାସରେ ଏହା ହ୍ରାସ ପାଇଥିବାବେଳେ ଦୁଇବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧିର ମନ୍ଥରତା ଉପରେ ଆର୍ବିଆଇର ନୀତିଗତ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ନଭେମ୍ବରର ମୁଦ୍ରାସ୍ଫୀତି ହାର ଡିସେମ୍ବର ୧୨ରେ ପ୍ରକାଶ ପାଇବ।
ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବା ପରେ ଡଲାର ଅପେକ୍ଷାକୃତ ମଝବୁତ୍ ହୋଇଛି। ଲଗାତାର ଭୂ-ରାଜନୈତିକ ତିକ୍ତତା ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ମଧ୍ୟରେ ଡଲାର ତୁଳନାରେ ଟଙ୍କା ସର୍ବାଧିକ ଦୁର୍ବଳ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ମୁଦ୍ରା ନୀତି କମିଟି ତୁରନ୍ତ ସୁଧ ହାର ହ୍ରାସ କରି ନ ପାରେ ବୋଲି କେତେକ ବିଶେଷଜ୍ଞ ମତ ରଖିଛନ୍ତି। ବର୍ତ୍ତମାନ ମୁଦ୍ରା ନୀତି କମିଟି ରେପୋ ରେଟ୍ ସ୍ଥିର ରଖିପାରେ ବୋଲି ଅନୁମାନ କରାଯାଉଛି। ତଥାପି ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଉଥିବାରୁ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିବାକୁ ଚାପରେ ରହିବ।