ଆଲଜେରିଆରେ ପାକିସ୍ତାନର ପୋଲ୍‌ ଖୋଲିଲେ ଓୱେସୀ; କହିଲେ- ଜେଲ୍‌ରେ ଥାଇ ବାପା ହୋଇଥିଲେ ଆତଙ୍କବାଦୀ

ଆତଙ୍କବାଦକୁ ରୋକିବାକୁ ହେଲେ ପାକିସ୍ତାନର ପକ୍ଷ ଛେଦନ କରିବାକୁ ପଡ଼ିବ। ସେଥିପାଇଁ ପାକିସ୍ତାନକୁ ପୁଣି ଥରେ ଗ୍ରେ ଲିଷ୍ଟରେ ପକାଇବାକୁ ପଡ଼ିବ ବୋଲି ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଓୱେସୀ।

ଆଲଜେରିଆରେ ପାକିସ୍ତାନର ପୋଲ୍‌ ଖୋଲିଲେ ଓୱେସୀ; କହିଲେ- ଜେଲ୍‌ରେ ଥାଇ ବାପା ହୋଇଥିଲେ ଆତଙ୍କବାଦୀ

ପାକିସ୍ତାନ ଉପରେ ପୁଣି ବର୍ଷିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ। ଆଲଜେରିଆରେ ପାକିସ୍ତାନର ପୋଲ୍ ଖୋଲିଛନ୍ତି ସେ। ପାକିସ୍ତାନ କିଭଳି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ତଥା ଆତଙ୍କବାଦ ନେଇ ଭାରତର ଆଭିମୁଖ୍ୟ ଓ ଅପରେସନ ସିନ୍ଦୂର ସଂପର୍କରେ ଆଲଜେରିଆ ସରକାରଙ୍କୁ ଅବଗତ କରାଇବାକୁ ମେ’ ୩୦ରୁ ସେଠାକୁ ଯାଇଥିବା ଭାରତ ସରକାରଙ୍କ ପ୍ରତିନିଧି ମଣ୍ଡଳୀରେ ସାମିଲ ଥିବା ଓୱେସୀ କହିଛନ୍ତି ଯେ ପାକିସ୍ତାନରେ ଜଣେ ଆତଙ୍କବାଦୀ ଜେଲ୍‌ରେ ଥିବା ବେଳେ ବାପା ହୋଇଥିଲେ।

ଶନିବାର ଆଲଜେରିଆରେ ଭାରତୀୟ ସମୁଦାୟକୁ ଉଦ୍‌ବୋଧନ ଦେବା ଅବସରରେ ଓୱେସୀ କହିଥିଲେ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକୀଉର ରହମାନ ଲଖଭୀ ଜେଲ୍‌ରେ ଥିବା ବେଳେ ତା’ ପାଇଁ ସ୍ୱତନ୍ତ୍ର ସେବାର ବ୍ୟବସ୍ଥା କରିଥିଲା ପାକିସ୍ତାନ। ସେ ଜେଲ୍‌ରେ ଥିବା ବେଳେ ବାପା ହୋଇଥିଲା। ଗମ୍ଭୀର ଘଟଣାରେ ଅଭିଯୁକ୍ତ ଥିବା ଜଣେ ଆତଙ୍କବାଦୀକୁ କୌଣସି ଦେଶ ଏମିତି ଜେଲ୍‌ ବାହାରକୁ ଯିବାକୁ ଦେବେନାହିଁ। କିନ୍ତୁ ଲଖଭୀ ଜେଲରେ ଥିବା ବେଳେ ବାପା ହୋଇଗଲା। କିନ୍ତୁ ଯେମିତି ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ପକାଇ ଦିଆଗଲା, ତା’ପରେ ତୁରନ୍ତ ଲଖଭୀ ବିରୋଧରେ ଥିବା ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହୋଇଥିଲା।

ଆତଙ୍କବାଦକୁ ରୋକିବାକୁ ହେଲେ ପାକିସ୍ତାନର ପକ୍ଷ ଛେଦନ କରିବାକୁ ପଡ଼ିବ। ସେଥିପାଇଁ ପାକିସ୍ତାନକୁ ପୁଣି ଥରେ ଗ୍ରେ ଲିଷ୍ଟରେ ପକାଇବାକୁ ପଡ଼ିବ ବୋଲି ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଓୱେସୀ। ଇସ୍‌ଲାମ ବିରୋଧରେ ଯାଇ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ହତ୍ୟା କରୁଥିବା ବେଳେ ପାକିସ୍ତାନ ସେମାନଙ୍କୁ ସମର୍ଥନ କରୁଥିବାରୁ ଓୱେସୀ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି। ଇସ୍‌ଲାମ କୌଣସି ଲୋକଙ୍କୁ ମାରିବାକୁ ଅନୁମତି ଦିଏ ନାହିଁ। ଦୁର୍ଭାଗ୍ୟବଶତଃ ତାହା ସେମାନଙ୍କ (ପାକିସ୍ତାନ ଓ ଆତଙ୍କବାଦୀଙ୍କ) ଆଦର୍ଶ ପାଲଟିଯାଇଛି।

ଏହି ଅବସରରେ ଓୱେସୀ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା କଥା କହିଥିଲେ। ସେ କହିଥିଲେ ଯେ ସେଠାରେ ବାଛି ବାଛି ହିନ୍ଦୁ ଯୁବକମାନଙ୍କୁ ହତ୍ୟା କରିଥିଲେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ। ପାକିସ୍ତାନ ଆତଙ୍କବାଦୀମାନଙ୍କ ପୃଷ୍ଠପୋଷକ ସାଜିଛି। ସେମାନଙ୍କୁ ତାଲିମ ଦେଉଛି। ପଞ୍ଜାବ ହେଉ କି କଶ୍ମୀର- ସବୁଠି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦେଖିବାକୁ ମିଳୁଛି। ଜାତିସଂଘ ଦ୍ୱାରା ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି। ଲସ୍କର ଓ ଅଲ୍‌-କଏଦାର ଆଦର୍ଶ ବେଶ୍ ମିଶିଯାଉଛି। ପାକିସ୍ତାନ କେବଳ ଭାରତ ପାଇଁ ନୁହେଁ, ପୂରା ଦକ୍ଷିଣ ଏସିଆ ପାଇଁ ବିପଦ ବୋଲି କହିଛନ୍ତି ଓୱେସୀ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି ସେ କହିଛନ୍ତି।