ଆଶା କର୍ମୀ ପାଲଟିଲେ ଦେବଦୂତ; ବାତ୍ୟା ବେଳେ ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ
ଏହି ‘ବାତ୍ୟା’ ସମୟରେ ଘରୁ ଗୋଡ଼ କାଢ଼ିଥିଲେ ଜଣେ ଆଶାକର୍ମୀ । ଆଉ ସାଜିଥିଲେ ଦେବଦୂତ୍ତ, ପାଲଟି ଯାଇଥିଲେ ବିପଦ ବେଳର ବନ୍ଧୁ।
ଗତକାଲି ବାତ୍ୟା ‘ଦାନା’ ତାହାର କରାଳ ରୂପ ଦେଖାଇଥିଲା। ଏହି ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ନିଜ ପରିବାର ଲୋକଙ୍କ ସହ ରହିବାକୁ ଉଚିତ ମଣିଥିଲେ। ମାତ୍ର ଏହି ‘ବାତ୍ୟା’ ସମୟରେ ଘରୁ ଗୋଡ଼ କାଢ଼ିଥିଲେ ଜଣେ ଆଶାକର୍ମୀ । ଆଉ ସାଜିଥିଲେ ଦେବଦୂତ୍ତ, ପାଲଟି ଯାଇଥିଲେ ବିପଦ ବେଳର ବନ୍ଧୁ।
ପବନ, ବର୍ଷା ମାଡ଼କୁ ଖାତିର ନ କରି ସେ ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ପଛାଇ ନାହାନ୍ତି।ଏହି ଆଶା କର୍ମୀଜଣକ ହେଲେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ।
ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶିବାନୀଙ୍କୁ ସାବାସୀ ଜଣାଇ ପ୍ରଶଂସାରେ ପୋତି ପକାଇଛନ୍ତି। ଏହାପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି। ସେ କେବଳ ଜଣେ ବୃଦ୍ଧାଙ୍କୁ ନୁହନ୍ତି, ୭ ବୃଦ୍ଧବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଥିବା ବେଳେ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲରେ ପହଞ୍ଚାଇ ପାରିଥିବା ଜଣାଯାଇଛି।
ଗତକାଲି ଦିନ ସମୟରେ ବାତ୍ୟା ‘ଦାନା’ର ପ୍ରକୋପରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ସହ ଖୁବ୍ ଜୋରରେ ପବନ ବହିଥିଲା। ଏହି ସମୟରେ ଗ୍ରାମର ଜଣେ ମହିଳା କଚା ଘରେ ରହି ଯାଇଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚି ପାରି ନ ଥିଲେ। ଏହି ଖବର ପାଇ ତତ୍କ୍ଷଣାତ ତାଙ୍କ ନିକଟରେ ପହଞ୍ଚିଥିଲେ ଶିବାନୀ। ଆଖପାଖରେ ଗାଡ଼ି ନ ଥିବାରୁ ଶିବାନୀ କାଦୁଅ ପଚ ପଚ ରାସ୍ତାରେ ତାଙ୍କୁ କାନ୍ଧରେ ପକାଇ ବୋହି ଆଣିଥିଲେ। ଏପରି ଭାବେ ପ୍ରାୟ ୧ କିମି ବୋହିବା ପରେ ସେ ତାଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚାଇଥିଲେ।
ଏହି ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଦେଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଆଶା ଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ । ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଲେଖିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକଟି ଜୀବନର ସୁରକ୍ଷା କରିବା ହେଉଛି ଲୋକଙ୍କ ସରକାରର ଦାୟିତ୍ୱ ଓ କର୍ତ୍ତବ୍ୟ। ଏକ ଅମୂଲ୍ୟ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିବାନୀଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା।
ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ଶିବାନୀଙ୍କ ଭଳି ଅନେକ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଆଜି ଗର୍ବିତ ଓ ସୁରକ୍ଷିତ ବୋଲି ପୋଷ୍ଟ କରିଛନ୍ତି।
ଏନେଇ ଶିବାନୀ କହିଛନ୍ତି, ୨୦୦୬ ମସିହାରୁ ଆଶାକର୍ମୀ ଭାବେ କାମ କରି ଆସୁଛି। ଗର୍ଭବତୀ,ପ୍ରସ୍ତୁତି ଯାହାର ଯେତେବେଳେ ଯେଉଁ ସେବା ଦରକାର,ତାହା ଯୋଗାଇବାକୁ ଚେଷ୍ଟା କରେ। ବହୁ ସ୍ଥାନରେ ଲୋକଙ୍କଠାରୁ ବହୁ କଥା ଶୁଣିବାକୁ ପଡ଼େ। ହେଲେ ତାହାକୁ ଖାତିର ନ କରି ପୁଣି ଥରେ ସେବା ମନୋବୃତ୍ତି ନେଇ ଘରୁ ଗୋଡ଼ କାଢ଼ି ବାହାରିଯାଏ। ଜୀବନ ଥିବା ଯାଏ ଏପରି ଲୋକଙ୍କ ସେବା କରିବାକୁ ସ୍ଥିର କରିଛି।
ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି
ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା। #CycloneDana #OdishaBravesDana pic.twitter.com/AUjkNsrdIE— Mohan Charan Majhi (@MohanMOdisha) October 24, 2024