ଆସନ୍ତାକାଲି ଭାରତ ବନ୍ଦ; ସାମିଲ ହେବେ ୨୫ କୋଟିରୁ ଅଧିକ ଶ୍ରମିକ, ପ୍ରଭାବିତ ହେବ ବ୍ୟାଙ୍କ ଓ ପରିବହନ ସେବା

ଟ୍ରେଡ୍‌ ୟୁନିୟନଗୁଡ଼ିକର ନେତାମାନେ କହିଛନ୍ତି ଯେ ଏହି ବନ୍ଦ ଦ୍ୱାରା ବ୍ୟାଙ୍କ ଓ ଡାକ ସେବା ବ୍ୟାହତ ହେବ। କୋଇଲା ଖନନ ବନ୍ଦ ରହିବ। ବିଭିନ୍ନ ଫ୍ୟାକ୍ଟ୍ରୀ ଓ ସରକାରଙ୍କ ଦ୍ୱାରା ପରିଚାଳିତ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବ।

ଆସନ୍ତାକାଲି ଭାରତ ବନ୍ଦ; ସାମିଲ ହେବେ ୨୫ କୋଟିରୁ ଅଧିକ ଶ୍ରମିକ, ପ୍ରଭାବିତ ହେବ ବ୍ୟାଙ୍କ ଓ ପରିବହନ ସେବା

ଆସନ୍ତାକାଲି (ବୁଧବାର) ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା, ଡାକ ସେବା, କୋଇଲା ମାଇନିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ୨୫ କୋଟିରୁ ଅଧିକ ଶ୍ରମିକ। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କୁ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ କର୍ପୋରେଟ ସମର୍ଥକ କହି ସେମାନେ ଏହି ବନ୍ଦ ଡାକରା ଦେଇଛନ୍ତି।

ଟ୍ରେଡ୍‌ ୟୁନିୟନଗୁଡ଼ିକର ନେତାମାନେ କହିଛନ୍ତି ଯେ ଏହି ବନ୍ଦ ଦ୍ୱାରା ବ୍ୟାଙ୍କ ଓ ଡାକ ସେବା ବ୍ୟାହତ ହେବ। କୋଇଲା ଖନନ ବନ୍ଦ ରହିବ। ବିଭିନ୍ନ ଫ୍ୟାକ୍ଟ୍ରୀ ଓ ସରକାରଙ୍କ ଦ୍ୱାରା ପରିଚାଳିତ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବ।

ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (AITUC)ର ଅମରଜିତ କୌର କହିଛନ୍ତି, ଆମେ ସରକାରଙ୍କ ନିକଟରେ ୧୭ଟି ଦାବି ରଖିଥିଲୁ। କିନ୍ତୁ ସରକାର ସେଗୁଡ଼ିକୁ ପୂରଣ କରି ନାହାନ୍ତି। ଏମିତିକି ଗତ ୧୦ ବର୍ଷରେ ଥରୁଟିଏ ମଧ୍ୟ ବାର୍ଷିକ ଶ୍ରମିକ ସମ୍ମିଳନୀର ଆୟୋଜନ କରିନାହାନ୍ତି।

ଟ୍ରେଡ୍‌ ୟୁନିୟନଗୁଡ଼ିକ କହିଛନ୍ତି ଯେ ସଂସଦରେ ଯେଉଁ ୪ଟି ନୂଆ ଲେବର କୋଡ୍‌ ପାରିତ ହୋଇଛି, ସେଥିରେ ଶ୍ରମିକମାନଙ୍କ ଅଧିକାରକୁ ଅଣଦେଖା କରାଯାଇଛି। ଶ୍ରମିକମାନେ ଯେପରି ଆନ୍ଦୋଳନ କରିନପାରିବେ ସେ ଦିଗରେ ପଦକ୍ଷେପ ନିଆଯାଇଛି। କାର୍ଯ୍ୟ ସମୟକୁ ବଢ଼ାଇ ଦିଆଯାଇଛି। ଶ୍ରମ ଆଇନ ଉଲ୍ଲଂଘନ କଲେ ନିଯୁକ୍ତିଦାତାଙ୍କୁ ଦଣ୍ଡରୁ ରକ୍ଷା କରିବାକୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ପବ୍ଲିକ ସେକ୍ଟରଗୁଡ଼ିକର ଘରୋଇକରଣ, ଚାକିରିରେ ଆଉଟସୋର୍ସିଂ ଓ ଠିକା ଶ୍ରମିକଙ୍କ ଉପଯୋଗକୁ ସେମାନେ ବିରୋଧ କରୁଛନ୍ତି। କାରଣ ଏହା ସେମାନଙ୍କ ଚାକିରିର ସୁରକ୍ଷା ଓ ନ୍ୟାଯ୍ୟ ମଜୁରୀ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସେମାନେ ଦାବି କରିଛନ୍ତି।

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କୃଷି ଶ୍ରମିକ ସଂଗଠନଗୁଡ଼ିକର ମିଳିତ ସାମ୍ମୁଖ୍ୟ ଏହି ଧର୍ମଘଟକୁ ସମର୍ଥନ କରିଛି ଏବଂ ଗ୍ରାମାଞ୍ଜଳରେ ବଡ଼ ଧରଣର ପ୍ରତିବାଦ ଆୟୋଜନ କରିବାକୁ ଯୋଜନା କରିଛି।

୨୦୨୦, ୨୦୨୨ ଓ ୨୦୨୪ରେ ଦେଶ ବ୍ୟାପୀ ଆନ୍ଦୋଳନ କରାଯାଇଥିବା ବେଳେ ସେଥିରେ ଲକ୍ଷ ଲକ୍ଷ ଶ୍ରମିକ ସାମିଲ ହୋଇଥିଲେ। ଆସନ୍ତାକାଲି ହେବାକୁ ଥିବା ବନ୍ଦ ଯୋଗୁ ବ୍ୟାଙ୍କ ଓ ପରିବହନ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ତେବେ ସ୍କୁଲ, କଲେଜ ଓ ଘରୋଇ ଅଫିସଗୁଡ଼ିକ ଖୋଲା ରହିବ। ଯେହେତୁ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ, ସେଥିପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଦେଶ ବ୍ୟାପୀ ରେଳ ସେବା ବନ୍ଦ ନେଇ ଟ୍ରେଡ୍ ୟୁନିୟନଗୁଡ଼ିକର କୌଣସି ଯୋଜନା ନଥିବା ବେଳେ ରେଳ ଷ୍ଟେସନଗୁଡ଼ିକରେ ବିକ୍ଷୋଭ ହେବାକୁ ଥିବାରୁ ରେଳ ସେବା ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି।