ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଆସିଲା କଂଗ୍ରେସର ସାଂସଦ ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ। 

ସେହିପରି ଯାଜପୁରରୁ ଅଞ୍ଚଳ ଦାସଙ୍କୁ ଟିକେଟ ଦିଆଯାଇଥିବା ବେଳେ ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ।

ପୂର୍ବରୁ ୮ ଲୋକସଭା ଆସନ ଓ ୪୭ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ବିଜେପି ଓ ବିଜେଡି ସମସ୍ତ ୨୧ ଲୋକସଭା ଟିକେଟ୍‌ ଘୋଷଣା କରିସାରିଛନ୍ତି। ଏବେ ବି ୪ ଲୋକସଭା ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ।

ପୂର୍ବରୁ ଘୋଷଣା ହୋଇଥିବା ଲୋକସଭା ପ୍ରାର୍ଥୀ..

ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

ସେପଟେ ୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ୫ ବିଧାୟକଙ୍କୁ ରିପିଟ୍ କଲା ଦଳ। କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଟିକେଟ୍। ଖୋଦ୍ ସେନାପତି ଅର୍ଥାତ୍, ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ। ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

ବହୁ ହେଭିୱେଟ ଓ କିଛି ନୂଆ ଚେହେରାଙ୍କୁ ବି ଏଥର ଭରସା କରିଛି କଂଗ୍ରେସ। ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ। ଲାଞ୍ଜିଗଡ଼ରେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ ଏଥର କଂଗ୍ରେସ ଟିକେଟରୁ ଲଢ଼ିବେ। ତଳସରା ପାଇଁ ହକି ଷ୍ଟାର୍ ପ୍ରବୋଧ  ତିର୍କୀଙ୍କୁ ନୂଆ ସେଲିବ୍ରିଟି ଚେହେରା ଭାବେ ନିର୍ବାଚନୀ ମୈଦାନକୁ ପଠାଇଛି କଂଗ୍ରେସ। ମାଲକାନଗିରିରେ ଲଗାତାର ତୃତୀୟ ଥର ଟିକେଟ୍ ପାଇଛନ୍ତି ମାଲା ମାଢ଼ି।

ତେବେ ତୀବ୍ର ସମାଲୋଚିତ ହେବା ପରେ ବି, ପରିବାରବାଦରୁ ମୁହଁ ବୁଲାଇନି କଂଗ୍ରେସ। ବାପା, ପୁଅ, ଝିଅଙ୍କୁ ମିଳିଛି ଟିକେଟ୍। ନର୍ଲାରୁ ବରିଷ୍ଠ ନେତା ଭକ୍ତ ଚରଣ ଦାସ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ, ତାଙ୍କ ପୁଅ ସାଗର ଚରଣ ଦାସ ଏଥର ପୁଣି ଲଢ଼ିବେ ଭବାନୀପାଟଣାରୁ। ସେପଟେ ବାପା ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ଟିକେଟ ପାଇଥିବା ବେଳେ, ଝିଅ ଲିପିକା ମାଝୀଙ୍କୁ ଡାବୁଗାଁରେ ବିଧାନସଭା ଟିକେଟ ଦେଇଛି କଂଗ୍ରେସ। ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏଥର ନିଜେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିବା ବେଳେ, ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ବଲାଙ୍ଗୀରରୁ ପ୍ରୋଜେକ୍ଟ କରିଛି ଦଳ। ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣାରେ, କଂଗ୍ରେସ ୬ ମହିଳାଙ୍କୁ ଟିକେଟ ଦେଇଥିବା ବେଳେ, ଇଣ୍ଡିଆ ମେଣ୍ଟ ସହଯେଗୀ JMMକୁ ବୀରମିତ୍ରପୁର ଏବଂ CPMକୁ ବଣାଇ ଆସନ ଛାଡ଼ିଛି ।